ଓଡିଆନ୍ ନ୍ୟୁଜ

217

ଚିତ୍ତଚୋର ଚିଲିକା

Team Odian News |

ଚିତ୍ତଚୋର ଚିଲିକା 


୧୧/୧୧(ଓଡ଼ିଆନ ନ୍ୟୁଜ): ଚିଲିକାର  ସୁନ୍ଦର ରୂପରେ  ବିମୋହିତ ହୋଇ ବଡ଼ ବଡ଼ କବିମାନେ  କବିତା ଲେଖିବାକୁ ବାଧ୍ୟ ହୋଇପଡ଼ିଛନ୍ତି । ଗୋପବନ୍ଧୁଙ୍କ ଏକ ରଚନାରୁ ମନେପଡ଼େ- “ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ...  ।” କାଳଜୟୀ କବିତା ଗୁଡ଼ିକରେ  କିଏ ଏହାକୁ ନିଳାମ୍ଭୁ ଚିଲିକା ବୋଲି ବର୍ଣ୍ଣନା କରିଛନ୍ତିତ କେହି ତାହାକୁ ସୁନ୍ଦରୀ ଚିଲିକାର ଆଖ୍ୟା ଦେଇଛି । ସତରେ ଏହାର ଦୃଶ୍ୟ ଏଭଳି ଯେ କେହିବି ଦେଖିଲେ ଅଟକି ଯିବାକୁ ଇଛା କରିବ । ଦୀର୍ଘ ଜଳରାଶିରେ ଭ୍ରମଣ ସହ ଆହୁରି ଅନେକ ସ୍ଥାନ ଏହି ହ୍ରଦରେ ରହିଛି ଯାହାକି ଆଗନ୍ତୁକମାନଙ୍କୁ  ବେଶ୍ ଆକୃଷ୍ଟ କରିଥାଏ ।  ସୁରକ୍ଷା ଦୃଷ୍ଟିରୁ ଯେତିକି ଭଲ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସ୍ଥାନଟି  ସେତିକି ଉପଯୁକ୍ତ । ଶୀତ ଦୀନରେ ବିଭିନ୍ନ ପ୍ରଜାତିର  ବିଦେଶୀ ପକ୍ଷୀଙ୍କ ଆଗମନ ଅଧିକ ରମଣୀୟ କରି ଦେଇଥାଏ ଚିଲିକାର ଜଳ ରାଶିକୁ । ଜାଣନ୍ତୁ ଚିଲିକା ହ୍ରଦର ଆକର୍ଷଣ ବିଷୟରେ...
କାଳୀଜାଇରେ ବଣଭୋଜି
ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଏହି ତିନଟି ଜିଲ୍ଲାରେ ପରିବ୍ୟାପ୍ତ  ଚିଲିକା ହ୍ରଦ । ଭାରତର ସର୍ବବୃହତମ୍ ଲୁଣିଜଳ ହ୍ରଦ ଭାବେ ି ଚିଲିକା ଯେତିକି ପରିଚିତ ତାଠାରୁ ଅଧିକ ପରିଚିତି ଗୋଟିଏ ପର୍ଯ୍ୟଟନସ୍ଥଳୀ ଭାବରେ । ଚିଲାକାର ପ୍ରଥମ ଆକର୍ଷଣ କାଳୀଜାଇ ମନ୍ଦୀର , ଏଠାକୁ ଯିବାକୁ ହେଲେ ସାତପଡ଼ା, ବରକୁଳ ଓ ରମ୍ଭାରୁ  ଡ଼ଙ୍ଗା ବା ବୋଟ୍ ଧରି ଯିବାକୁ ହୁଏ । ପ୍ରାୟ ୨ ରୁ ୩ଘଣ୍ଟା ଜଳଯାତ୍ରା ପରେ କାଳୀଜାଇ ପାହାଡ଼ ବା ମନ୍ଦିର ନିକଟରେ ପହଁଚିବେ । ମା’ କାଳିଜାଇଙ୍କ ମନ୍ଦିର ଦେଖିବା ସହ ମନ୍ଦିର ପଛ ପାଖ ପାହାଡ଼ ଉପରେ ପିକ୍ନିକ୍ କରିବା ପାଇଁ ବହୁତ ସୁବିଧା ଅଛି । ଏହାସହ ଏଠାରେ ମୟୁରମାନେ ଖୋଲାରେ ବୁଲିବା ସହ ଲୋକମାନଙ୍କ ନିକଟ ତର ହେବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ମକର ସଂକ୍ରାନ୍ତିକୁ ହୋମ-ଯଜ୍ଞ ସହ ମେଳା ଲାଗିଥାଏ । ଏହି ଦିନ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ କାଳୀଜାଇକୁ । ଆଗରୁ କେବଳ ମାଛ ଧରାଳୀମାନେ ଗଭିର ପାଣିକୁ ଯିବା ପୂର୍ବରୁ ମନ୍ଦିର ଆସି ମା’ଙ୍କ ଆର୍ଶୀବାଦ ନେଉଥିବା ବେଳେ ଏବେ ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି । ଏଠାକାର ସୂର୍ଯ୍ୟ ଉଦୟ ଓ ଅସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ । ଏଠାରେ ରାତି ବିତେଇବା ପାଇଁ ବି ପାନ୍ଥାଶାଳା ବ୍ୟବସ୍ଥା ଅଛି ।
ନଳବଣ ଓ ମଙ୍ଗଳାଯୋଡ଼ିରେ ପକ୍ଷୀ

କାଳୀଜାଇ ମନ୍ଦିର ଠାରୁ ପ୍ରାୟ ଅଧଘଣ୍ଟାର ପାଣି ରାସ୍ତା ଦେଇ ଯିବାପରେ ପଡ଼ିଥାଏ ନଳବଣ । ଚିଲିକାକୁ ଶୀତଦିନରେ ଆସୁଥିବା ପ୍ରାୟ ସମସ୍ତ ପ୍ରକାର ବିଦେଶୀ ପକ୍ଷୀଙ୍କ ଠିକଣା ଏହି ନଳବଣ । ପାଖକୁ ଯିବାପାଇଁ ମନା ଥିଲେ ମଧ୍ୟ ଦୂରରୁ ଦଳଦଳ ପକ୍ଷୀଙ୍କୁ ଦେଖି ବେଶ୍ ଉପଭୋଗ କରିପାରିବେ  । ଢେଉ ସହ  ହଂସ ହଂସରାଳୀଙ୍କ ଖେଳ ଓ ପାଣିକୁ ଲମ୍ଫ ମାରି ମାଛରଙ୍କାର ମାଛଧରା ସହ ଅନ୍ୟାନ ପକ୍ଷୀଙ୍କ ପାଣିଖେଳ ଦେଖିବାକୁ ପାଇ ପାରିବେ । ଏଠାରୁ ଟିକିଏ ଆଗକୁ ଗଲେ ପଡ଼େ ଚଡ଼େଇଗୁହା ପାହାଡ଼ । ଧଳାରଙ୍ଗର ଏହି ଟାଙ୍ଗରା ପାହଡ଼ଟା ପକ୍ଷୀମାନଙ୍କର ପାଇଖାନା ବୋଲି କୁହନ୍ତି ଅନେକ । ପକ୍ଷୀମାନେ ଏଠାରେ ରହିଥାନ୍ତି ଓ ସେମାନଙ୍କ ମଳରେ ଏହି ପାହଡ଼ଟି ଧଳା ହୋଇଯାଇଛି ବୋଲି ଲୋକକଥା ରହିଛି । କିନ୍ତୁ ସେଇଟା ହିଁ ତାକୁ ବେଶି ସୁନ୍ଦର କରିଦେଉଛି ।  ନଳବଣଠୁ ଅଳ୍ପ ଦୁରରେ ରହିଛି ମଙ୍ଗଳାଯୋଡ଼ି ଦ୍ୱୀପ । ଏଠାରେ ମଧ୍ୟ ଆପଣ ବିଭିନ୍ନ ପ୍ରଜାତୀର ପକ୍ଷୀ ଦେଖିବା ସହ ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ପାଇବେ ।

 ସାତପଡ଼ାରେ ଡ଼ଲଫିନ୍ ଦେଖା
ଚିଲିକାକୁ ଯିବା ପାଇଁ ହେଲେ ଅନ୍ୟଏକ ବାଟ ହେଉଛି ସାତପଡ଼ା । ପୁରୀଠାରୁ ମାତ୍ର ୪୮ କିଲୋମିଟର ଦୂରରେ ଏହି ସାତପଡ଼ା । ଏହି ସ୍ଥାନଟି ଡଲଫିନଙ୍କ ପାଇଁ ବେଶୀ ପରିଚିତ କହିଲେ ଠିକ୍ ହେବ । ଏଠାରେ ଅନେକ ଡଲଫିନ ରହିଛନ୍ତି । ଚିଲିକା ହ୍ରଦର ଏହା ହେଉଛି ଅନ୍ୟତମ ଆକର୍ଷଣ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ସାତପଡ଼ାରେ ଡ଼ଲଫିନ ଦେଖିବା ପାଇଁ କେବେ ଭୁଲନ୍ତି ନାହିଁ, ତେବେ ଆପଣ କେମିତି ଭୁଲିବେ? ଏଠାରେ ବିରଳ ପ୍ରଜାତିର ଇରାୱାଡ଼ି ଡ଼ଲଫିନ୍ ଓ ବଟଲ ନୋଜେଡ଼ ଡ଼ଲଫିନ୍ ଦେଖିବାକୁ ମିଳିଥାନ୍ତି । ଆଉ ହଁ ଜାଣି ରଖନ୍ତୁ ଯେ, ଡଲଫିନ ଦେଖିବା ପାଇଁ ହେଲେ ଆପଣଙ୍କୁ ଟିକେଟ କରିବାକୁ ପଡ଼ିବ । ବିଶ୍ୱର ଦୁଇଟି ସ୍ଥାନ ମଧ୍ୟରୁ ଚିଲିକା ହେଉଛି ଗୋଟିଏ ଯେଉଁଠି ଇରାୱାଡ ଡ଼ଲଫିନ୍ ଦେଖାଯାଆନ୍ତି । ଚିଲିକାର ଅନ୍ୟ ଆକର୍ଷଣ ହେଉଛି ବ୍ରେକଫାଷ୍ଟ ଆସଇଲ୍ୟାଣ୍ଡ, ହନିମୁନ ଆସଇଲ୍ୟାଣ୍ଡ, ରଜହଂସ ଆଇସଲ୍ୟାଣ୍ଡ । ରମ୍ଭାଠାରୁ ଏହି ସ୍ଥାନଗୁଡ଼ିକ ନିକଟ ତର ଅଟନ୍ତି । ଏଠାରେ ପକ୍ଷୀ ଦେଖିବା ସହ ବଣ ଭୋଜିର ମଜା ନେଇ ପାରିବେ । ଏହାସହ ଆଇ ଲ୍ୟାଣ୍ଡରେ ବୁଲିବାର ଅନୁଭୁତିବି ସାଉଁଟି ପାରିବେ । ସେହିଭଳି ଚିଲିକା ବୁଲି ଯିବା ସମୟରେ ବ୍ରହ୍ମପୁତ୍ର ମୁହାଣ ବଣଭୋଜି ପାଇଁ ଏକ ଭଲ ସ୍ଥାନ ଅଟେ ।
କେମିତି ଯିବେ
ଭୁବନେଶ୍ୱରରୁ ଚିଲିକା ଯିବା ପାଇଁ ଟ୍ରେନ,ବସ୍ର ସାହାର୍ଯ୍ୟ ନେଇ ପାରିବେ । ଚିଲାକା ଯିବା ପାଇଁ ଭୁବନେଶ୍ୱରରୁ ୫ରୁ ଅଧିକ ଟ୍ରେନ ଯାଉଥିବା ବେଳେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଦେଇ ଅନେକ ବସ ଯାତାୟତ କରୁଛି । ଏହାସହ ଆପଣ ଚିଲିକା ଭିତରେ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଡ଼ଙ୍ଗା ବା ବୋଟର ସାହାର୍ଯ୍ୟ ନେବାକୂ ପଡ଼ିବ ।