ଓଡିଆନ୍ ନ୍ୟୁଜ

202

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ

Team Odian News |

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ
କଟକ ,୨୪/୧୧(ଓଡ଼ିଆନ ନ୍ୟୁଜ) : କଟକର ଐତିହାସିକ ବାଲିଯାତ୍ରା ଆଜି ଉଦଘାଟିତ ହୋଇଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ ମେଳାକୁ ଶୁକ୍ରବାର ସଂଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଦଶ ଦିନ ବାଲିଯାତ୍ରା ଆୟୋଜନ ହେଉଥିବା ବେଳେ ୧୬୦୦ରୁ ଅଧିକ ସ୍ବୀକୃତିପ୍ରାପ୍ତ ସରକାରୀ ଷ୍ଟଲ୍‌, ଓରମାସ୍‌, ଭିନ୍ନକ୍ଷମ ଷ୍ଟଲ୍ ସମେତ ୪୩ ଦୋଳି ଏବଂ ସ୍ବତନ୍ତ୍ର ଖାଦ୍ୟ ଷ୍ଟଲ୍‌ ପଡ଼ିଛି। ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବାରୋପ କରାଯାଇ ଧୂଳି ନଉଡ଼ିବା ପାଇଁ କେମିକାଲ୍ ବ୍ୟବହାର କରାଯାଇଥିବା ବେଳେ ପଲିଥିନ୍‌କୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଶ୍ରମ ଗାନ୍ଧିପୁରୀ ‌ଦେନପାସାରସ ବାଲି ଇଣ୍ଡୋନେସିଆର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଗୁସ୍‌ ଇନ୍ଦ୍ର ଉଦୟନ ଯୋଗ ଦେଇ ଓଡ଼ିଶାର କଟକ ଏବଂ ଇଣ୍ଡେ‌ାନେସିଆର ବାଲି ସହରକୁ ‘ସିଷ୍ଟର୍‌ ସିଟି’ ରୂପେ ଅଭିହିତ କରିଥିଲେ। ଉଭୟ ସହରର କଳା, ସଂସ୍କୃତି, ଚାଲିଚଳନ ପ୍ରାୟତଃ ସମାନ। ଓଡ଼ିଶାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଏବେ ବି ଇଣ୍ଡୋନେସିଆବାସୀ ହିରୋ ରୂପେ ମନେ ରଖିଛନ୍ତି। ଯେତେବେଳେ କଳିଙ୍ଗର ସାଧବ ପୁଅ ବଣିଜ ପାଇଁ ଜାଭା, ବାଲି, ସୁମାତ୍ରାକୁ ଯାତ୍ରା କରୁଥିଲେ, ସେମାନଙ୍କୁ ସେଠାରେ ପାଛୋଟି ନିଆଯାଏ। ସେମାନଙ୍କ ଉଦ୍ଦେଶ୍ୟରେ ଉକ୍ତ ଦିନ ସ‌ମସ୍ତେ ମଉନ ବ୍ରତ ଧାରଣ କରିଥାନ୍ତି। ଏଣୁ ବାଲିଯାତ୍ରା ହେଉଛି କଳିଙ୍ଗ ଏବଂ ବାଲିର ଏକ ସଂଯୋଗ ସେତୁ ବୋଲି ଇନ୍ଦ୍ର ଉଦୟନ କହିଥିଲେ।

ଉତ୍ସବରେ ସମ୍ମାନିତ ଅତିିଥି ଭାବେ ସାଂସଦ ଡକ୍ଟର କୁଳମଣି ସାମଲ, ସାଂସଦ ନରେନ୍ଦ୍ର ସ୍ବାଇଁ, ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, କେନ୍ଦ୍ରାଞ୍ଚଳ ଆର୍‌ଡସି ମହେନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ମେୟର ମୀନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ କୁମାର ବାରିକ, ଅତିରିକ୍ତ ଜିଲ୍ଲାପାଳ ହରିଶ ନାୟକ ଓ ବିଜୟ ଖଣ୍ଡୟତରାୟ, ଶିକ୍ଷାବିତ୍‌ ଏମ୍‌.କ୍ୟୁ. ଖାନ୍‌, ଅଭିନେତା ଅରିନ୍ଦମ ରଏ, ସ୍ଥାନୀୟ କର୍ପୋରେଟର ରମଜାନ୍‌ ଖାଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବାଲିଯାତ୍ରା କଟକ ଉତ୍ସବ ସ୍ମରଣିକା-୨୦୧୮ ଉନ୍ମୋଚିତ ହେବା ସହ ହକି ବିଶ୍ବକପ୍ ଉପଲକ୍ଷେ କପ୍‌ ପ୍ରଦର୍ଶିତ ହୋଇଥିଲା।