ଓଡିଆନ୍ ନ୍ୟୁଜ

154

ବରଗଛକୁ ବାଟ ଓଗାଳିଲେ ଗ୍ରାମବାସୀ ।

Team Odian News |

 ବରଗଛକୁ ବାଟ ଓଗାଳିଲେ ଗ୍ରାମବାସୀ ।
କେନ୍ଦ୍ରାପଡ଼ା ,୨୮/୯(ଓଡ଼ିଆନ୍‍ ନ୍ୟିୁଜ୍‍): ବରଗଛକୁ ବାଟ ଛାଡ଼ିଲେ ନାହିଁ ,ବାଟ ଓଗାଳିଲେ । ଏଭଳି ଖବର ପଢ଼଼ି ଆପଣ ଶଙ୍କାରେ ପଡ଼ୁଛନ୍ତି କି । ହେଲେ ଘଟଣାଟି  ଆଶ୍ଚର୍ଯ୍ୟ ହେଲେବି ସତ । ରାଜକନିକା ବ୍ଲକ୍‍ରେ ଏକ ବରଗଛ ଚାଲୁଥିବା ବେଳେ ଗାଁ ରାସ୍ତାରେ  ଅଟକି ଆଉ ଆଗକୁ ଯାଇପାରି ନଥିବାର ଜଣାପଡ଼ିଛି । ବହୁ ପୁରୁଣା ଦିନର ଏହି ଗଛକୁ ଦେଖିବା ପାଇଁ ଏବେ  ଦୂରଦୂରାନ୍ତରୁ ପର୍ଯ୍ୟଟକ  ଏବଂ ବୃକ୍ଷ ପ୍ରେମୀମାନଙ୍କର ଭିଡ଼ ଲାଗିରହିଛି । 
 କାଳିକାପୁର ଗ୍ରାମର ପ୍ରସିଦ୍ଧ ମା’ କାଳିକାଈଙ୍କ ମନ୍ଦିର ଆଗରେ ରହିଛି  ଏହି ପୁରାତନ  ବିରାଟ   ବରଗଛ । ଗଛଟି ମନ୍ଦିର ପଛ ପଟରେ ରହିଥିଲା । ତା ପୂର୍ବରୁ ଜେନାସାହି ଓ ରାଜନଅର ଘୋଡ଼ାଶାଳ ନିକଟରେ ଥିବାର ଗ୍ରାମର ବହୁ ବୟସ୍କ ଲୋକମାନେ  କୁହନ୍ତି ।  ହେଲେ ବର୍ଷ ପରେ ବର୍ଷ  ବିତିଯାଉଥିବା ବେଳେ ଏବେ ଗଛଟି ମନ୍ଦିରକୁ ଡ଼େଇ ଗାଁ ମଝିରେ ଅଟକି ରହିଛି । ଏମିତିକି ଗଛଟି ଆଗକୁ ଚାଲିଯାଇଥାନ୍ତା । ହେଲେ ଗାଁ ଦାଣ୍ଡରେ ଯାତାୟତରେ ସମସ୍ୟା ହେବାରୁ ଗ୍ରାମବାସୀମାନେ ଗଛକୁ ଆଉ ଆଗକୁ ବଢ଼ିବାକୁ ଦେଲେ ନାହିଁ ।  ଗାଁ ମଝି ରାସ୍ତାରେ ଗଛ ଓହଳ ସହିତ ଡ଼ାଳକୁ କାଟିଦେବାକୁ ବାଧ୍ୟ ହୋଇଥିଲେ । ଏହା ସହିତ ଏହି ଗଛର ଗୋଟିଏ ବଡ଼ ଓହଳ ବ୍ରାହ୍ମଣସାହିର ହରିରହ ରଥଙ୍କ ଘର ଡ଼ିଅ ଉପରେ ରହିଥିଲା । ହରିହର ଭାଇବାଣ୍ଟ ହେବା ପରେ ନୂଆ ଘର କରିବାର ଆବଶ୍ୟକ ପଡ଼ିବାରୁ ଗଛର ଓହଳ ଓ ଡ଼ାଳକୁ କାଟିବାକୁ ବାଧ୍ୟ ହୋଇଥିବା ନେଇ ଗ୍ରାମର  ୮୮ ବର୍ଷୀୟ ଦଶରଥ ବିଶ୍ୱାଳ କହନ୍ତି । ସେହି ଦିନ ଠାରୁ ବରଗଛଟି ସେଇଠି ଅଟକି ରହିଛି । ଗାଁ ଲୋକଙ୍କ ସୁଖ ଦୁଃଖର ମୁକସାକ୍ଷୀ ପାଲଟିଛି ଏହି ବରଗଛ । ମା’ କାଳିକାଈଙ୍କ ସହିତ ଏହି ଗଛ ଓତପ୍ରୋତ ଭାବେ ଜଡ଼ିତ ଥିବାରୁ ଭକ୍ତମାନଙ୍କ ପାଇଁ ଚଳନ୍ତି ବୃକ୍ଷ ଦେବତା ଭାବେ ପୂଜା ପାଉଛନ୍ତି । ପ୍ରତିଦିନ ମା’ଙ୍କ ପୂଜା ସହିତ ଏହି  ବରଗଛକୁ ପୂଜା କରାଯାଇଥାଏ । ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ଗ୍ରାମର ଲୋକମାନେ  ସଂକୀର୍ତ୍ତନ କରି ଗଛର ଚାରିପଟେ ବୁଲି ପ୍ରାର୍ଥନା କରୁଛନ୍ତି । ରାକ୍ଷିପୂର୍ଣ୍ଣିମା ଦିନ ଗଛରେ ରାଖି ବାନ୍ଧି ଗ୍ରାମର ଆବାଳ ବୃଦ୍ଧ ବନିତା ବିପଦ ଆପଦରୁ ନିଜକୁ ରକ୍ଷା କରିବା ପାଇଁ  ଭୋଗ ମନାସିଥାନ୍ତି । ମା’ଙ୍କ ପାଖକୁ ଆସୁଥିବା ଭକ୍ତମାନେ ଏହି ଗଛ ମୂଳରେ ସିନ୍ଦୁର,ଚନ୍ଦନ,ଧୂପ ଓ ଦୀପ ସହିତ ଭୋଗ ଲଗାଇ ପୂଜାଅର୍ଚ୍ଚନା କରନ୍ତି । ସତେ ଯେମିତି ଏହି ପୁରାତନ ବରଗଛ ପାଲଟିଯାଇଛି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହି ଗଛ ଛାଇର ଶାନ୍ତଶୀତଳ ପରିବେଶରେ ଘଡ଼ିଏ ଅଟକିଯାଇ  ବସିବା ପାଇଁ ପ୍ରକୃତିପ୍ରେମୀମାନେ ଖୁବ୍‍ ପସନ୍ଦ କରୁଛନ୍ତି  । ମା’ଙ୍କ ଜନ୍ତାଳ ଭୋଗ ଖାଇବା ହେଉକି ଖରାଦିନେ ଘଡ଼ିଏ ବିଶ୍ରାମ ନେବା ପାଇଁ ଗଛ ମୂଳରେ ଭିଡ଼ ଲଗାନ୍ତି  ସଭିଏଁ  । ଗାଁର ହାନିଲାଭ ଠାରୁ ବିଚାର ବିମର୍ଷ ଚାଲେ ଏଇ ଗଛମୂଳେ । ନାନା ଜାତିକା ଚଢ଼େଇମାନଙ୍କ କିଚିରି ମିଚିରି ଶଦ୍ଦରେ ବରଗଛର ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକ ମାନଙ୍କ ମନରେ ଶାନ୍ତ ପରିବେଶ  ସୃଷ୍ଟିକରୁଛି ।  ଆଜିର ସମୟରେ  ଅମ୍ଳଜାନ ଯୋଗାଇ ପରିବେଶକୁ ପ୍ରଦୁଷଣମୁକ୍ତ କରିବାରେ  ବରଗଛର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଏହି ବରଗଛ ପ୍ରତି ରହିଥିବା ସ୍ନେହ, ଭକ୍ତି  ଆଉ ବିଶ୍ୱାସ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପରିବେଶବିତ୍‍ ମାନେ ମତଦେଇଛନ୍ତି ।