ଓଡିଆନ୍ ନ୍ୟୁଜ

153

ଶ୍ରୀମନ୍ଦିର ସଂସ୍କାରକୁ ଝଟ୍‌କା : ଓହରିଲେ ଆମିକସ୍‌ କ୍ୟୁରି

Team Odian News |

ନୂଆଦିଲ୍ଲୀ,୩୦/୧୧(ଓଡ଼ିଆନ ନ୍ୟୁଜ ) : ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମାମଲାକୁ ଆଜି ବଡ଼ ଝଟ୍‌କା ଲାଗିଛି। ଆସନ୍ତାକାଲି ଏହି ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବାବେଳେ ଆମିକସ୍‌ କ୍ୟୁରି ଏଥିରୁ ଓହରି ଯିବା ଖବର ଅନେକଙ୍କୁ ବ୍ୟଥିତ କରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଜର କେତେକ ବ୍ୟକ୍ତିଗତ ଅପରିହାର‌୍ୟ୍ୟ କାରଣ ପାଇଁ ଶ୍ରୀ ସୁବ୍ରମଣ୍ୟମ୍ ଏହି ମାମଲାରେ ଆମିକସ୍ କ୍ୟୁରି ଭାବେ ଆଉ କାର‌୍ୟ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ଗତ ୨୫ ତାରିଖରେ ଜଣାଇ ଦେଇଛନ୍ତି। ଏହି ମାମଲାରୁ ଓହରି ଯିବାକୁ ସେ କୋର୍ଟକୁ ଜଣାଇ ଦେଇଥିବାରୁ ଆଉ କାହାକୁ ଆମିକସ୍‌ କ୍ୟୁରି ନିଯୁକ୍ତି କରିବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ଅବ୍ୟବସ୍ଥା ମାମଲାରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଗତ ଜୁନ୍ ୬ ତାରିଖରେ ନିଯୁକ୍ତ କରିଥିଲେ। ଶ୍ରୀମନ୍ଦିରର ସଂସ୍କାର ନେଇ ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ, କେନ୍ଦ୍ର ସରକାରଙ୍କ ରିପୋର୍ଟ, ଶ୍ରୀମନ୍ଦିର ପରିଦର୍ଶନ କରି ସେବାୟତ ଓ ଅନ୍ୟ ବ୍ୟକ୍ତିମାନଙ୍କ ସହିତ ବିଚାରବିମର୍ଶ କରି କୋର୍ଟଙ୍କୁ ରିପୋର୍ଟ ଦେବା ପାଇଁ କହିଥିଲେ।ଗତ ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରେ ଆମିକସ୍ କ୍ୟୁରି ପୁରୀ ଗସ୍ତରେ ଆସିବା ସହିତ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ଅକ୍ଟୋବର ୩ ତାରିଖରେ ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ସହରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏ ସଂପର୍କରେ ସେ ଶ୍ରୀମନ୍ଦିର ପ୍ରଶାସନଠାରୁ ରିପୋର୍ଟ ଲୋଡ଼ିଥିଲେ। କିଛିଦିନ ପରେ ସୁପ୍ରିମକୋର୍ଟର ଓକିଲ ବିବେକ ରାଜାଙ୍କୁ ପରିସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ପଠାଇଥିଲେ। ଶ୍ରୀମନ୍ଦିର ସଂସ୍କାର ନେଇ ଗୋପାଳ ସୁବ୍ରମଣ୍ୟମଙ୍କୁ ସୁପ୍ରିମକୋର୍ଟରେ ରିପୋର୍ଟ ଦେବାର ଥିଲା। କିନ୍ତୁ ସେ ଚୂଡ଼ାନ୍ତ ରିପୋର୍ଟ ଦେଇପାରି ନାହାନ୍ତି। ତାଙ୍କର ରିପୋର୍ଟଙ୍କୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଥିଲା। ଏହି ମାମଲାରୁ ଆମିକସ୍‌ କ୍ୟୁରି ଓହରି ଯାଇଥିବାରୁ ଆସନ୍ତାକାଲି ହେବାକୁ ଥିବା ଶୁଣାଣି ମଧ୍ୟ ସ୍ଥଗିତ ହେବାର ସମ୍ଭାବନା ରହିଛି।