ଓଡିଆନ୍ ନ୍ୟୁଜ

228

ଆଜି ସରୁଛି ବାଲିଯାତ୍ରା....

Team Odian News |


ଆଜି ସରୁଛି ବାଲିଯାତ୍ରା....


କଟକ  ,୨/୧୨(ଓଡ଼ିଆନ ନ୍ୟୁଜ ): ଆମ ଉକ୍ରଳୀୟ ନୌବାଣିଜ୍ୟର ସ୍ମୃତିକୁ ମନପକାଇବା ପାଇଁ  କାହିଁ କେତେକାଳରୁ  ଓଡ଼ିଶାରେ  ବାଲିଯାତ୍ରା ଆୟୋଜିତ ହୋଇ ଆସୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିଲେ ହେଁ କଟକର ବାଲିଯାତ୍ରା ବହୁପୁରୁଣା ଓ ପ୍ରତିଷ୍ଠିତ । ଆଜି ଶେଷ ହୋଇ ଯାଇଛି ଓଡ଼ିଶାର ସର୍ବବୃହତ୍ତବାଣିଜ୍ୟ ମେଳା । କିଣାକିଣିଠୁ ଆରମ୍ଭ କରି ଖିଆପିଆ ଦୋକାନ ଓ ଦୋଳିର ମଜା ନେବାକୁ କାହିଁ କେତେ ଭିଡ଼ ଦେଖିବାକୁ ମିଳିଛି । ଏହାସହ ଆଜି ରବିବାର ଛୁଟି ହୋଇଥିବାର ଦିନଟି ଦୋକାନୀ ମାନଙ୍କୁ କିଣା ବିକା ପାଇଁ ବେଶ ସୁହାଇଛି ।
 ଖାଦ୍ୟର ମଜା
ଗତବର୍ଷ ମାନଙ୍କ ଭଳି ଚଳିତ ବର୍ଷମଧ୍ୟ  ରାଜସ୍ଥାନୀ ଖାଦ୍ୟ ବେପାରୀମାନେ ଗ୍ରାହକଙ୍କୁ ରାଜସ୍ଥାନର ନୂଆ-ନୂଆ ଆଇଟମ ପରୋସି ଥିଲେ ଏଥର ବାଲିଯାତ୍ରାରେ । ତେବେ ଏଥି ମଧ୍ୟରୁ ରାଜସ୍ଥାନୀ  ଘେୱର ମିଠା ଖାଦ୍ୟ ପ୍ରେମୀଙ୍କୁ ଖୁବ୍ ଭଲ ଲାଗିଥିଲା  । ଦେଶୀ ଘିଅ, ମଇଦା, କ୍ଷୀର ଓ ଚିନିରେ ଏହା ପ୍ରସ୍ତୁତ ହୋଇଥାଏ  । ଓରମାସ ପଡ଼ିଆରେ ଥିବା ରାଜସ୍ଥାନୀ ଷ୍ଟଲରେ ଦେଖିବାକୁ ମିଳୁଥିଲା ଏହି ଘେୱର ଯାହାର ମୂଲ୍ୟ ୪୦ଟଙ୍କା ରହିଥିଲା । ଘେୱର ବ୍ୟତୀତ ରାଜସ୍ଥାନୀ ଥାଳି, ଡ଼ାଲ ବାଟି ଚୁରମା, ପ୍ୟାଜ କଚୋରି, ମୁଙ୍ଗଡ଼ାଲି କଚୋରି, ମାୱା କଚୋରି, ମୁଙ୍ଗଡ଼ାଲି ହାଲୁଆ, ଚୁରମା ଲଡ୍ଡୁ, ଆଳୁ ବନିର ଟିକି, ଯୋଧପୁର ଦହିବଡ଼ା, ମିକ୍ସି ଚାଟ, ଛୋଲେ ବଟୋରେ, ପାୱଭାଜି, ଚୁସକି କୋଲା ପ୍ରଭୃତି ବିକ୍ରି ହେଉଥିଲା ଓ ସମସ୍ତ ପ୍ରକାର ରାଜସ୍ଥାନୀ ଖାଇବା ବି ଗ୍ରାହକମାନଙ୍କର ପ୍ରିୟ ଥିଲା । ସେହିଭଳି  ଚଟପଟି ଖାଦ୍ୟ ମୋବାଇଲ୍ ମୁଢି, ବାରିପଦା ମୁଢିମାଂସ ଦୋକାନ ପାଖରେ ଭିଡ ଼ବି କମ୍ ନଥିଲା ।  ମୁଢି ଓ ଖାସି ମାଂସର ମୁଲ୍ୟ ରହିଥିଲା ୬୦ରୁ୮୦ ଟଙ୍କା  । ଚକୁଳି ମାଂସ ତରକାରି ଖାଇବାକୁ ବି ବିଭିନ୍ନ ଷ୍ଟଲ ଆଗରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।  
ଜମିଲା ଠୁଙ୍କା ପୁରି ଦହିବରା ବେପାର 
ବାଲିଯାତ୍ରାର ସବୁଠାରୁ ପରିଚିତ ଖାଦ୍ୟ ଦହିବରା ଓ ଠୁଙ୍କାପୁରିର ଚାହିଦା ମଧ୍ୟ କମ୍ ନଥିଲା  । ଠୁଙ୍କା ପୁରୀର ଦାମ ୬୦ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ପର୍ଯ୍ୟନ୍ତ  ରହିଥିବା ବେଳେ ଠୁଙ୍କା ପୁରି ସହିତ ପନିର ତରକାରି ନହଲେ ଚିକେନ ତରକାରୀ ଓ ମିଠା ପ୍ରଭୃତି ସୁନ୍ଦର ଭାବରେ ସଜାଇ ଗ୍ରାହକ ମାନଙ୍କୁ ଧରାଇ ଦେଉଥିଲେ ଦୋକାନୀମାନେ ।  ସେହିଭଳି କଟକର ପ୍ରସିଦ୍ଧ ଦହିବରା ପ୍ଲେଟ ୩୦ଟଙ୍କାରୁ ଆରମ୍ଭ କରି ୫୦ଟଙ୍କା ପର୍ଯ୍ୟନ୍ତ ରହିଥିଲା ।
ଘନ-ଘନ ସେଲ୍ଫି
ଏବେ ତ ସେଲ୍ଫିର ଜମାନା । ଲୋକଙ୍କୁ ସେଲ୍ଫିର ନିଶା ଘାରିଛି । ଆଉ  ବାଲିଯାତ୍ରାରେ କିପରି ସେଲ୍ଫି ନନେଇ ରହି ପାରିଥାନ୍ତେ  ଦର୍ଶକ । କିଏ ଓଟ ଉପରେ  ବସି ସେଲ୍ଫି ନେଉଛି  କିଏ ଦୋଳିରେ ବସି ଘନ-ଘନ ସେଲ୍ଫି ନେଉଥିଲା  ଏହି ବାଲିଯାତ୍ରାରେ । ଏହି ଭିଡ଼ଭିତରେ ନିଆରା ସେଲ୍ଫି ନେବା ପାଇଁ   ସେଳଫି ନେବାକୁ ଯେପରି ବ୍ୟଗ୍ର ସମସ୍ତେ । କଲେଜ ପଢୁଆ ଝିଅଙ୍କଠାରୁ  ଆରମ୍ଭ କରି ବିବାହିତ ମହିଳାମାନେ ନିଜ ନିଜ ଢଙ୍ଗରେ ସେଲ୍ଫି ନେବାରେ ମସଗୁଲ ଥିଲେ । 
ଆଦିବାସୀ ଗହଣାର ଆଦର ବେଶି
ସେହିଭଳି ମହିଳାମାନେ ଟିକେ ଗହଣା ପ୍ରିୟ ବୋଲି ସମସ୍ତେ ଜାଣନ୍ତି  । ଯେଉଁଠିକୁ ଯାଆନ୍ତି ତାଙ୍କର ନଜର ଗହଣା ଉପରେ ଥାଏ । ବାଲିଯାତ୍ରରେ ମଧ୍ୟ ଗହଣା ଦୋକାନ ମାନଙ୍କ ପାଖରେ  ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଥିଲା  । ହେଲେ ଚଳିତ ବର୍ଷ ବେଶି ଭିଡ଼ ହାତ ତିଆରି ଓ ଆଦିବାସୀ ଗହଣା ଷ୍ଟଲ ପାଖରେ ଲାଗିଥିଲା  । ନବରଙ୍ଗପୁର , ଫୁଲବାଣି ଓ ରାଜଗଡ଼ାରୁ ବିଭିନ୍ନ ଅଞ୍ଚଳରୁ ଆଦିବାସୀ ଗହଣା ନେଇ ଆସିଥିଲେ ବେପାରୀମାନେ । ୧୦ଟଙ୍କାରୁ ଆରମ୍ଭ କରି ୧୨୦୦ ଟଙ୍କା ପର୍ଯ୍ୟନ୍ତ ଏହି ଗହଣାଗୁଡ଼ିକର ଦାମ ରହିଥିଲା । ଏହି ଗହଣା ଗୁଡ଼ିକର ବେପାର ଭଲ ହେଉଥିବାର ନବରଙ୍ଗପୁରରୁ ଆସିଥିବା ଲକ୍ଷ୍ମୀ କହିଥିଲେ । ଏହି ଆଠ ଦିନରେ ସେ ପ୍ରାୟ ୧ଲକ୍ଷ ଟଙ୍ଗା ର ବେପାର ହୋଇଥିବାର କହିଥିଲେ । 
ଘର ସଜା ଜିନିଷ କିଣିବାକୁ ଭିଡ଼
ବାଲିଯାତ୍ରରେ ଘର ସଜାଇବା ପାଇଁ ବିଭିନ୍ନ ଜିନିଷମାନ ମଧ୍ୟ ରହିଥିଲା  । ବେଡ଼ ରୁମରୁ ଆରମ୍ଭ କରି  ଡ଼ାଇନିଂ ସଜ୍ଜା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଜିନିଷମାନ ମିଳୁଥିଲା । ବିଶେଷ କରି ବାଉଁସରେ ଓ ମାଟିରେ ତିଆରି ବିଭିନ୍ନ ସାମଗ୍ରୀମାନ ବେଶି ଆର୍କଷଣୀୟ ଥିଲା ।  ବାଉଁସ ବିଞ୍ଚଣା, ଡ଼ାଲିଆ, ଚାଙ୍ଗୁଡ଼ି , ଫୁଲ ଦାନି , ବେଡ଼ ଲାଇଟ୍ ପ୍ରଭୃତି ବିକ୍ରି ହୋଇଥିଲା । ସହିଭଳି ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ମାଟିର ତିଆରି ଫଳ ଖୁବ୍ ମନଲୋଭା ହୋଇଥିଲା । ଏହାର ମୁଲ୍ୟ ୧୦ରୁ୧୫ଟଙ୍କା ରହିଥିଲା । ନଡ଼ିଆ କତା ଧାନ ଓ ବେତରେ ତିଆରି ବିଭିନ୍ନ ଘର ସଜ୍ଜା ସାମଗ୍ରୀ ମାନ ମଧ୍ୟ. ବିକ୍ରି ହେଉଥିଲା ।
ପିଲାଙ୍କ ଖେଳନା
 ପିଲାଙ୍କ ମନୋରଞ୍ଜନ କରିବା ପାଇଁ ପ୍ରଥମ ଥର ପାଇଁ ୱାଟର ବୋଟ୍ , କାଗଜ ତିଆରି ଖେଳନା, ଥ୍ରୀଡ଼ି ପଜଲ, ବଡ଼ ବେଲୁନ ପ୍ରଭୃତି ଦେଖିବାକୁ ମିଳିଥିଲା । ହେଲେ ବିଶେଷ ଗହଳି ଥ୍ରୀଡ଼ି ପଜଲ ପାଖରେ ଲାଗିଥିଲା, ଯେଉଁଥିରେ ଘର, ଯୁଦ୍ଧ ଜାହଜ, ମୟୁର, ଟ୍ୟାଙ୍କର ପ୍ରଭୃତି ରହିଥିଲା । ଏହାର ଦାମ ୮୦ଟଙ୍କରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା ।