ଓଡିଆନ୍ ନ୍ୟୁଜ

303

ଭିତରକନିକା ପ୍ରେମରେ ରଙ୍ଗବେରଙ୍ଗର ପକ୍ଷୀ

Team Odian News |

ସରସିନୀ ସୁବୁଦ୍ଧିଙ୍କ ସ୍ୱତନ୍ତ୍ର ରିପୋର୍ଟ 

ରାଜନଗର, ୮/୧୨(ଓଡ଼ିଆନ ନ୍ୟୁଜ) :ମାଇଲ ମାଇଲ ଦୂର ରୁ ଛୁଟି ଆସନ୍ତି ରଙ୍ଗବେରଙ୍ଗର ପକ୍ଷୀ । ପ୍ରକୃତିର ସୌନ୍ଦର୍ଯ୍ୟଭରା ଭିତରକନିକା ର ଚିର ସବୁଜିମା ଘେରା ନିଘଞ୍ଚ ଲୁଣି ଅରଣ୍ୟ ର ପାଣି ପବନ ର ପ୍ରେମରେ ପଡ଼ିଛନ୍ତି ଏଇ ଦେଶ ବିଦେଶର ପକ୍ଷୀ ମାନେ । ଭାବିଲେ ଆଶ୍ଚର୍ଯ୍ୟ ଲଗେ ସତେ ! ଏହି ପକ୍ଷୀ ମାନଙ୍କର କି ପ୍ରକୃତି ପ୍ରେମ ।ପ୍ରତିବର୍ଷ ହଜାର ହଜାର ମାଇଲ ମାଇଲ ଦୂର ରୁ କେତେ ଝଡ଼ ଝଞ୍ଜା କୁ ଖାତିରି ନକରି ଭିତରକନିକାର ଶୋଭାରାଣୀ ର ପ୍ରେମରେ ପଡ଼ନ୍ତି ଏଇ ପକ୍ଷୀମାନେ । ଜୁନ୍‍ ମାସ ଆରମ୍ଭ ରୁ ଭିତରକନିକା ରେ ଦେଖାଦିଅନ୍ତି ରଙ୍ଗବେରଙ୍ଗର ପକ୍ଷୀମାନେ । ସେମାନଙ୍କ କିଚିର ମିଚିରି କଳରବ ରେ ମୁଖରିତ ହୋଇଉଠେ ଭିତରକନିକା । ସୁଦୂର ଇରାକ୍‍,ଇରାନ୍‍,ଥାଇଲାଣ୍ଡ ଓ ଆମେରିକା ପ୍ରଭୃତି ଅଞ୍ଚଳରୁ ଲକ୍ଷ ଲକ୍ଷ ଅତିଥି ପକ୍ଷୀମମାନଙ୍କର ଆଗମନ ହେଇଥାଏ । ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ଠାରୁ ଡ଼ିସେମ୍ବର ମାସ ଏବଂ ଡ଼ିସେମ୍ବର ମାସ ଠାରୁ ଏପ୍ରିଲ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ଦେଶ ଓ ବିଦେଶର ପକ୍ଷୀମାନଙ୍କର ଆଗମନ ଓ ପ୍ରସ୍ଥାନ କରିଥାନ୍ତି ।

ବିଖ୍ୟାତ୍‍ ପକ୍ଷୀ ବିଶାରଦ ଆଣ୍ଡୃ ରବର୍ଟସନ୍‍ଙ୍କ ହିସାବ ଅନୁସାରେ ଭିତରକନିକା ରେ ଶହେ ଛଅଷଠି ପ୍ରକାରର ପକ୍ଷୀ ବାସ କରନ୍ତି ।ଭିତରକନିକା ଥିବା ଆଠ ପ୍ରକାର ମାଛରଙ୍କା ଚଢ଼େଇ ଏହି ପକ୍ଷୀ ସମ୍ଭାର ର ଅନ୍ତର୍ଭୁକ୍ତ । ଭିତରକନିକା ର ‘ବଗଗହଣ’ ଜଙ୍ଗଲରେ ଅଣ୍ଡାଦେଇ ଛୁଆ ଜନ୍ମକରାଇବା କୁ ଏଠାରେ ଆସୁଥିବା ପକ୍ଷୀମାନଙ୍କର ନିବଧି କଳରୋଳ ଏଠାରେ ଏକ ବିରଳ ଦୃଶ୍ୟ ସୃଷ୍ଟି କରିଥାନ୍ତି । ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ଖପରଖାଇ,ପାଣିକୁଆ,ଅଞ୍ଜନା,  ଖଇରା,  ଦାବେଣ୍ଟିଆ, ଅନ୍ଧାରୀ ବଗ,ରାଣୀବଗ ଆଦି ପକ୍ଷୀମାନେ ଗୋଟିଏ ଗଛରେ ୨/୩ ଟି ବସା ହିସାବରେ ପ୍ରାୟ ୧୦ ହଜାର ଗୁଆଁ,ସିଙ୍ଗଡ଼ା ଗଛରେ ବସାବାନ୍ଧି ରହି ଅଣ୍ଡାଦେଇ ଛୁଆ ଫୁଟାଇ ପ୍ରାଥମିକ ଲାଳନ ପାଳନ ପରେ ଅନ୍ୟତ୍ର ଚାଲିଯାଆନ୍ତି ।
ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଝଲସ୍‍, କୋଟସ୍‍, ଫିଣ୍ଟାଲିନ୍‍,ସେଲେଭାର, ୟୁଗେନ୍‍,ହ୍ୟାଇଟ୍‍ ଇବସ୍‍,କିଙ୍ଗଫିସର, କରରୋମାଣ୍ଟ ବ୍ରାହିନ୍‍କିଟ୍‍, ଗ୍ରେପେଲିକାନ୍‍, ବାର ହେଡ଼େନ୍‍ ଗୋସି,ହ୍ୱାଇଟ୍‍ ବିଲିଭି,
ସିରଗଲ,ସାଇବେରୀୟ ବତକ,ଲାଲ ମୁଣ୍ଡିଆ ବତକ,ପାତି ହଂସ,ଧଳା ଲମ୍ବା ଚୁଚୁଦରି,ଡ଼େଲିକାନ, ପେଣ୍ଟସ୍ପାରାଡ଼ାଇଜ୍‍, ଫ୍ଲାଇକେଚର, ବ୍ଲୁନେଭାଡ଼,କଳାମୁଣ୍ଡିଆ, ନୀଳଫାଇଚର, ଟନରସ୍‍,ଡ଼ଲଫିନ୍‍ ଓ ଫ୍ଲେମିଆ ପ୍ରଭୃତି ପ୍ରଧାନ ଅଟନ୍ତି । ଏହା ଛଡ଼ା ଦେଶୀୟ ପକ୍ଷୀମାନଙ୍କର ମଧ୍ୟରେ ହଂସ,ପାତି ହଂସ,ବାଇୟା,ଗାଇୟା, କେଶରପାଣ୍ଡିଆ, ହଳଦୀବସନ୍ତ, ଗେଣ୍ଡାଳିଆ, ଗବ, ମାଛରଙ୍କାବଣି, କାଣ୍ଟିବଗ, ମାଛରଙ୍କା, ବଣି,  କୋଚିଳିଖାଇ,ଘିକାଳିକା,କଜଳପାତିଆ,ପାଣି କୁଆ,ଢ଼ାଉକ, କୁମ୍ଭାଟିଆ,ଟିଆ,ଶୁଆ,ଶାରୀ,ଛଞ୍ଚାଣ,କାଟଉଣୀ, ପତିପତିଳା, ଜଳଖୁମ୍ପି,କପୋତ,ବିଭିନ୍ନ ଜାତିର ପାରା,କୋଇଲି ପ୍ରଭୃତି ଭିତରକନିକାରେ ଶୀତଦିନେ ଆରଣ୍ୟର ସୌନ୍ଦର୍ଯ୍ୟକୁ କରେ ମନଲୋଭା ।
ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରେ ହଜାର ହଜାର ଦେଶୀ ବିଦେଶୀ ପକ୍ଷୀମାନଙ୍କ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ସମାବେଶକୁ ଲକ୍ଷ୍ୟକରି ରାଜ୍ୟସରକାର ଭୀତରକନିକା ଅଭୟ୍ୟାରଣ୍ୟ କୁ ବିହଙ୍ଗ ବିହାର ରୂପେ ଘୋଷଣା କରିଛନ୍ତି । ଏଠାରେ ଥିବା ନଦୀ,ଛୋଟ ଛୋଟ ନାଳ,ଜଳାଶୟ,ବାଲିଚର ସାଙ୍ଗକୁ ବନୀ,ସୁନ୍ଦରୀ,ହେନ୍ତାଳ,ଗୁଆଁ,କେରୁଆଁ ଆଦି ବିଭିନ୍ନ ଗଛ ପରିବେଷ୍ଟିତ ଏହି ଅରଣ୍ୟ ପକ୍ଷୀମାନଙ୍କ ପାଇଁ ସୃଷ୍ଟି କରିଛି ଏକ ସୁନ୍ଦର ପ୍ରକୃଷ୍ଟ ପ୍ରାକୃତିକ ପରିବେଶ ।ଏଠାରେ ମିଳୁଥିବା ପ୍ରଚୁର ପରିମାଣର ଜଳଜାତ କୀଟପତଙ୍ଗ,ଚିଙ୍ଗୁଡ଼ି,ଚୁନାମାଛ ଓ ଫଳ,ଫୁଲ ଆଦି ପକ୍ଷୀମାନଙ୍କୁ ଦେଇଥାଏ ଆନନ୍ଦଦାୟକ,ସ୍ୱାଦିଷ୍ଟ ଯୁକ୍ତ ଖାଦ୍ୟ ପଦାର୍ଥ ।
ମାଇଲ ମାଇଲ ପଥ ଅତିକ୍ରମ କରି ପ୍ରାକୃତିକ ଝଡ଼ଝଞ୍ଜା ଦେଇ ସୁଦୂର ସାଇବେରିଆର ତୁନ୍ଦ୍ରା ଅଞ୍ଚଳ,କାସ୍ପିଆନ୍‍ ସାଗର,କେନ୍ଦ୍ରୀୟ ଏସିଆ ଅଞ୍ଚଳରୁ ଜଳବାୟୁ ପରିବତ୍ତନ,ଖାଦ୍ୟ ଅନ୍ୱେଷଣ ଏବଂ ବଂଶ ବିସ୍ତାର ଉଦ୍ଦେଶ୍ୟରେ ଉଡ଼ିଆସନ୍ତି ଏହି ବିଦେଶୀ ପକ୍ଷୀ   । ଦେଶୀୟ ପକ୍ଷୀ ମାନେ ବିଦେଶୀ ପକ୍ଷୀ ମାନଙ୍କୁ ଅପେକ୍ଷା କରିଥାନ୍ତି,ସତେଯେମିତି ପ୍ରେମ ପ୍ରୀତି ର ଏକ ମହାମିଳନ ।
ଶୀତକାଳୀନ ଆଶ୍ରୟ ଓ ଖାଦ୍ୟ ସନ୍ଧାନ ଆସୁଥିବା ଏହି ବିଦେଶୀ ପକ୍ଷୀମାନଙ୍କର ଆଗମନକୁ ଦେଶୀୟ ପକ୍ଷୀମାନେ ପ୍ରଥମେ ପ୍ରଥମେ ଗ୍ରହଣ କରିପାରୁ ନଥିଲେ ।ଯାହା ଫଳରେ ୧୯୭୦ ମସିହାରୁ ୧୯୭୭ ମସିଆ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ମଧ୍ୟରେ ଦେଶୀୟ ପକ୍ଷୀ ଓ ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ କାରୁଣ୍ୟ ସଂର୍ଘଷ ।

ସେହି ସଂଘର୍ଷରେ ଅନେକ ପକ୍ଷୀମାନଙ୍କର ପ୍ରାଣହାନି ଘଟିଥିଲା ।କ୍ରମଶଃ ଏହି ସଂଘର୍ଷ ହିଂସା ଓ ଶତ୍ରୁତାରୁ ସୃଷ୍ଟି ହୋଇ ପ୍ରେମ,ପ୍ରୀତି  ଓ ପ୍ରଣୟରେ ଶେଷ ହୋଇଥିଲା ।
ଦେଶୀୟ ଓ ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଦେଖାଦେଇଥିଲା ଶାରୀରିକ ସମ୍ପର୍କ । ସେହି ସମ୍ପର୍କ ରୁ ସୃଷ୍ଟି ହୋଇଛି ବିଭିନ୍ନ ପ୍ରକାରର ବଗ,ସାରସ,ହଂସରାଳି ପ୍ରଭୃତି ନୂତନ ଧରଣ ର ପକ୍ଷୀ ସମାଜ । 
ଦୁଃଖ ଓ ପରିତାପ ର କଥା ଗତ ୧୦ ବର୍ଷ ଭିତରେ ଏହି ବିଦେଶାଗତ ପକ୍ଷୀ ମାନଙ୍କର ଗମନାଗମନରେ  ବହୁ ପରିବର୍ତ୍ତନ ଦେଖାଦେଇଛି । ଯାହାର କାରଣ ଗୁଡ଼ିକ ମଧ୍ୟରେ ଜଙ୍ଗଲ କ୍ଷୟ,ବିଦ୍ୟୁତତୀକରଣ,ଶବ୍ଦପୂର୍ଣ୍ଣ ବୋଟ୍‍,ଟ୍ରଲର ମଟର,ହଜାର ହଜାର ଅନୁପ୍ରବେଶକାରୀଙ୍କ ବସତି ସ୍ଥାପନ ଆଦି 
 ପକ୍ଷୀମାନଙ୍କର ଶାନ୍ତିପୂର୍ଣ୍ଣ ବସବାସରେ ବ୍ୟାଘାତ୍‍ ସୃଷ୍ଟି କରୁଛି ।ଏହା ସହିତ ପକ୍ଷୀ ଶୀକାର ବୃଦ୍ଧି ପାଇବାରେ ଲାଗିଛି ।ରାଜକନିକା ହାଟବଜାର,ଚାନ୍ଦବାଲି ର ବିଭିନ୍ନ ହୋଟେଲ ଓ ରାଜନଗର ଠାରେ ରହିଥିବା ଅନୁପ୍ରବେଶକାରୀମାନେ ବିଦେଶାଗତ ଏହି ପକ୍ଷୀମାନଙ୍କ ମାଂସ ବିକ୍ରୟ ସହିତ ଭକ୍ଷଣ କରୁଥିବାର ଅଭିଯୋଗ ହେଉଛିି । ଏହା ସହିତ ଗତ କିଛି ବର୍ଷ ହେବ  ବିରଳ ତଥା ବଂଶ ବିପନ୍ନ ପକ୍ଷୀମାନଙ୍କର ଆଗମନ ହୋଇଛି । ମାଟିଆ ପେଲିକାନ୍‍ ଓ ଇଣ୍ଡଆନ୍‍ ସ୍କିମ୍‍ର ପରି  ଲମ୍ବା  ଡ଼େଣାଯୁକ୍ତ ଜଳଚର ପକ୍ଷୀମାନଙ୍କର ନୂତନ ଭାବେ ଆଗମନ ବହୁ ପକ୍ଷୀ ବିଶାରଦ ଆନନ୍ଦିତ ହୋିଛନ୍ତି । ।
ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଏହି ବିଦେଶୀ ପକ୍ଷୀ ମାନଙ୍କର ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଦୃଶ୍ୟ ଖୁବ୍‍ ହୃଦୟ ବିଦାରକ । ଭିତରକନିକା କୁ ବିଦାୟ ଜଣାଇ ଦଳ ଦଳ ହୋଇ ଉଡ଼ିଯାଆନ୍ତି ନୀଳ ଆକାଶ ର ନୀଳିମା ତଳେ । ନିଜ ଦେଶ ନିଜ ମାଟିକୁ । ଭିତରକନିକା ର ମୋହ,ଦେଶୀୟ ପକ୍ଷୀମାନଙ୍କର ପ୍ରେମାଳାପର ଶଦ୍ଦ ସେମାନଙ୍କୁ ପୁଣି ଟାଣି ଆଣିଥାଏ । ବହୁ ଦୂର,ବହୁ ପଥ ଅତିକ୍ରମ କରିବାର ଦୁଃସାହସିକ ପଦକ୍ଷେପ ।
ଭିତରକନିକାରେ ଏହି ବିଶ୍ୱସ୍ତରୀୟ ପକ୍ଷୀସମାବେଶ ର ସୁରକ୍ଷା ଏବଂ ସେମାନଙ୍କ ଉପରେ ଗବେଷଣା ଖୁବ୍‍ ଜରୁରୀ ହୋଇପଡ଼ିଛି । ନହେଲେ ସମୟ ଆସିବ ଭିତରକନିକା ରେ ଦେଖାଦେଉଥିବା ରଙ୍ଗବେରଙ୍ଗର ଆକର୍ଷଣୀୟ,ବିରଳ ଓ ବିଚିତ୍ର ଦୃଶ୍ୟ ଆଉ ଦେଖିବାକୁ ମିଳିବନି । ଏହା ନିଃସନ୍ଦେହ ।