ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ସିଡ଼ିପିଓଙ୍କ ଅର୍ଥ ଆଦାୟକୁ ନେଇ ଅସନ୍ତୋଷ, ମଙ୍ଗଳବାର କାର୍ଯ୍ୟାଳୟ ଘେରାଉ

ରାଜକନିକା,୬/୬:ରାଜକନିକା ବ୍ଲକ୍ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟକୁ ମଙ୍ଗଳବାର ୭ ତାରିଖ ଦିନ ଅଙ୍ଗନବାଡ଼ି କର୍ମୀମାନେ ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି । ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସାମ୍ମୁଖ୍ୟ ପକ୍ଷରୁ ଜିଲା ସମାଜ ମଙ୍ଗଳ ଅଧିକାରୀ, କେନ୍ଦ୍ରାପଡ଼ାଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତିିଯେ, ରାଜକନିକା ବ୍ଳକ୍‌ରେ କାର୍ଯ୍ୟକରୁଥିବା ଅଙ୍ଗନବାଡ଼ି କର୍ମୀଙ୍କ ଯୁଗ୍ମ ପାସ୍ ବୁକ୍‌କୁ ଆସୁଥିବା ଟଙ୍କା ଉପରେ ସିଡ଼ିପିଓ ଏବଂ ସୁପରଭାଇଜର ହସ୍ତକ୍ଷେପ କରୁଛନ୍ତି । ଏମିତିକି ସମସ୍ତ କେନ୍ଦ୍ରରେ ହେଉଥିବା ଓଜନ ଉତ୍ସବ ପାଳନ ପାଇଁ ଆସିଥିବା ପାଂଚଶହ ଟଙ୍କାକୁ ଜୋର ଜବରଦସ୍ତ କର୍ମୀମାନଙ୍କ ଠାରୁ ଆଦାୟ କରିଛନ୍ତି । କର୍ମୀମାନେ ନିଜେ ସେହି ଅର୍ଥରେ କାର୍ଯ୍ୟକ୍ରମ କରିବାର ସରକାରୀ ନିର୍ଦ୍ଦେଶ ନାମା ରହିଛି । ଦୁଇ ଶହ ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚ ରହିଥିବା ବେଳେ ବ୍ୟାନ୍‌ର ପାଇଁ ଦୁଇ ଶହ ଟଙ୍କା, ଏମ୍ ଆଇଏସ୍ ଖାତା ପାଇଁ ୮୦ ଟଙ୍କା ରହୁଥିବା ବେଳେ ଡ଼ାଟା ଏଣ୍ଟ୍ରି ପାଇଁ ୨୦ ଟଙ୍କା ରହିଛି । ହେଲେ ସିଡ଼ିପିଓ ସୁପରଭାଇଜର ମାନଙ୍କ ଦ୍ୱାରା ସମସ୍ତ କେନ୍ଦ୍ରକୁ ମାତ୍ର ଶହେ ଟଙ୍କାର ବ୍ୟାନର ସହିତ ୩୦ଟଙ୍କାର ଖାତା ଧରାଇଦେଇ ପଂଚଶହ ଟଙ୍କା ଧମକ୍ ଦେଇ ଆଦାୟ କରୁଥିବାର ଅଙ୍ଗନବାଡ଼ି କର୍ମୀମାନେ ଅଭିଯୋଗ କରିଛନ୍ତି । ସେହିଭଳି ସମସ୍ତ କେନ୍ଦ୍ରକୁ ଆସୁଥିବା ଖେଳନା, ଔଷଧ କିଟ୍ ସହିତ ଅନ୍ୟାନ୍ୟ ଏବଂ ଗ୍ୟାସ୍ ସଂଯୋଗ ଭଳି ଆନୁଷାଙ୍ଗିକ ଜିନିଷପତ୍ର କିଣିବା ପାଇଁ ସରକାରଙ୍କ ପକ୍ଷରୁ ୱାର୍ଡ଼ ମେମ୍ବର ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଯୁଗ୍ମ ବ୍ୟାଙ୍କ ଖାତା ଏସ୍‌ଏନ୍‌ପିକୁ ୧୪ ହଜାରରୁ ଅଧିକ ଟଙ୍କା ଆସିଛି । ଏହି ସବୁ ଜିନିଷ ପତ୍ର କିଣିବା ପାଇଁ ସମସ୍ତ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଏବଂ ଯାଞ୍ଜ କମିଟିଙ୍କୁ ସରକାର ସ୍ୱାଧୀନ ଭାବେ ଅଧିକାର ଦେଇଛନ୍ତି । ହେଲେ ସିଡ଼ିପିଓ ଅଲିଖିତ ଭାବେ ଅର୍ଥକୁ ଫେରାଇବାକୁ ସୁପରଭାଇଜରଙ୍କ ମାଧ୍ୟମରେ କର୍ମୀମାନଙ୍କୁ କହୁଥିବାର ଅଭିଯୋଗ ହେଉଛି । ଏହା ସହିତ ସମସ୍ତ ଜିନିଷକୁ ଗୋଟିଏ ନିଦ୍ଧିଷ୍ଟ ଦୋକାନରୁ ଆଣିବାକୁ ବାଧ୍ୟ କରୁଥିବାର ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ସିଡ଼ିପିଓ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରୁଥିବାର କର୍ମୀମାନେ କହିଛନ୍ତି । ଏହି କାରଣକୁ ନେଇ ୭ ତାରିଖ ମଙ୍ଗଳବାର ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟାଳୟ ଘେରାଉ କରିବା ସହି ସିଡ଼ିପିଓଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଦାବି କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଘଟଣା ସଂପର୍କରେ ରାଜକନିକା ସିଡ଼ିପିଓ ସତ୍ୟଭାମା ମହନ୍ତଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍ ବନ୍ଦ ରହିଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: