ଅବ୍ୟବସ୍ଥା ମଧ୍ୟରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ସେବା

ମାଲକାନଗିରି, ୧୨/୯(ଶ୍ରୀନିବାସ ପଣ୍ଡା) :– ଯୋଜନା ପରେ ଯୋଜନା, କେବଳ ଭୋଟରଙ୍କୁ ଲୋଭେଇବା ପାଇଁ। ଦେଖାଯାଏ ନିର୍ବାଚନ ପୂର୍ବରୁ ଅନେକ ଯୋଜନା ଘୋଷଣା ହୁଏ। ଏଇଟା ଆଜିର ନୁହଁ। ଅନେକ ଦିନର ପରମ୍ପରା। ଯେମିତି ବର୍ତ୍ତମାନ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କଲେ। ଯୁଦ୍ଧ କାଳୀନ ଭିତ୍ତିରେ କାର୍ଡ ବାଣ୍ଟିବା ପାଇଁ କଡା ଆଦେଶ। ଯୋଜନା ମନ୍ଦ ନୁହଁ। ହୁଏତ ବର୍ତ୍ତମାନ ସମୟରେ ଏତକ ସୁବିଧା ପାଇଲେ ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଚିକିତ୍ସା ଗତ ସମସ୍ୟାରୁ ମୁକ୍ତି ପାଇଯିବ। ସେଥିରେ ସନ୍ଦେହ ନାହିଁ। କିନ୍ତୁ ବାସ୍ତବିକତା ସଂପୂର୍ଣ୍ଣ ବିପରୀତ ମନେହୁଏ। ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦୁଇ ଶହ ମେଡିକାଲକୁ ସାମିଲ କରିଛନ୍ତି। ଯାହା ଅନେକ ମେଡିକାଲ ରାଜ୍ୟ ବାହାରର। ଜଣେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟକ୍ତି ତା ଜୀବନ କାଳ ମଧ୍ୟରେ କଟକ ଭୁବନେଶ୍ଵର କେବେ ଦେଖିନଥିବ। ଯଦି ଦେଖିଥିବ କେବଳ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ସଭା ଶୋଭାଯାତ୍ରାରେ। ସେଭଳି ଲୋକଟିକୁ ଓଡିଶା ବାହାରକୁ ଯଦି ପଠାଯାଏ, ତେବେ ରୋଗୀର ସମ୍ପର୍କୀୟ ଭାଷାଗତ ସମସ୍ୟା ହେତୁ କିପରି ସମସ୍ୟାରେ ପଡୁଥିବ ଚିନ୍ତାର ବିଷୟ। ଯୋଜନାରେ ଅବଶ୍ୟ ସମସ୍ତ ସୁବିଧାର ପ୍ରାବଧାନ ଅଛି। ପ୍ରତେକ ମେଡିକାଲରେ ସ୍ୱାସ୍ଥ୍ୟ ମିତ୍ର ରହିବା ଆବଶ୍ୟକ,ରୋଗୀ ଏବଂ ମେଡିକାଲ ମଧ୍ୟରେ ଯୋଗସୂତ୍ର ପାଇଁ। କିନ୍ତୁ ସେ ପ୍ରକାର ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇନଥିବା ଦେଖା ଯାଉଛି। ଯାହା ଫଳରେ ରୋଗୀ ଏବଂ ସମ୍ପର୍କୀୟ ବାହାର ଅଜଣା ରାଜ୍ୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ, ରୋଗୀର ଅକାଳରେ ଜୀବନ ହାନି ହେଉଛି। ସରକାର ଏ ସମସ୍ତ ବିଷୟକୁ ଗମ୍ଭୀରତାର ସହ ବିଚାର କରି ପ୍ରତ୍ୟେକ ମେଡିକାଲରେ ସ୍ୱାସ୍ଥ୍ୟ ମିତ୍ର ନିଯୁକ୍ତି କରିବା ସହ ଆମ୍ବୁଲାନ୍ସ ରେ ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତି ଦେବା ଆବଶ୍ୟକ। ଏବଂ ରୋଗୀ ଯାଇଥିବା ମେଡିକାଲ ପାଖାପାଖି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବା ସହିତ ରୋଗୀର ପ୍ରସ୍ଥାନ ପାଇଁ ଗାଡିର ପ୍ରାବଧାନ ସୁନିଶ୍ଚିତ କରିବା ନିତ୍ୟାନ୍ତ ପ୍ରୟୋଜନ। ଏ ସମସ୍ତ ବିଷୟକୁ ଗମ୍ଭୀରତାର ସହ ବିଚାର ବିମର୍ଷ କରି ସମସ୍ତ ବ୍ୟବସ୍ଥା ଯୋଗେଇଦେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭାରତବର୍ଷରେ ନିଶ୍ଚିତ ଭାବେ ନମୁନା ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ। ଏଠାରେ ସୁଚେଇବାକୁ ଚାହୁଁ କି! ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଅନେକ ରୋଗୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପଡୋଶୀ ରାଜ୍ୟକୁ ଉତ୍ତମ ଚିକିତ୍ସା ପାଇଁ ପଠାଇଛନ୍ତି। କିନ୍ତୁ ରୋଗୀ ଏବଂ ସମ୍ପର୍କୀୟ ମାନେ ଅଜ୍ଞତା ବସତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ହାସଲ କରିବାରୁ ବଞ୍ଚିତ ହେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: