ମାଲକାନଗିରି,( ଶ୍ରୀନିବାସ ପଣ୍ଡା ) ୧୬।୬:- ରାୟଗଡା ଠାରେ ପ୍ରଥମ ଥର ଆୟୋଜିତ ରଜ କୁଇନ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଆରତୀ କ୍ରିସାନି ଟପ ଟେନରେ ସ୍ଥାନ ଅଧିକାର କରିଥିବା ପ୍ରକାଶ। ପ୍ରାଥମିକ ଶିକ୍ଷକ ପିତା ବଳରାମ ଏବଂ ଗୃହିଣୀ ମା ଡାଳିମା ଙ୍କ କନ୍ୟା ଆରତୀ ଏହି ସ୍ଥାନରେ ପହଞ୍ଚିବା ପାଇଁ ଆନୁଷ୍ଠାନିକ ଭାବେ କୌଣସି ପ୍ରକାର ପ୍ରସ୍ତୁତି କରିନଥିବା ଜଣାପଡିଛି। ଲୋପ ପାଇବାକୁ ବସିଥିବା ଆଦିବାସୀ ଲୋକନୃତ୍ୟ ଏବଂ କଳାକୁ ବଞ୍ଚାଇବା ତାଙ୍କର ଏକାନ୍ତ ଲକ୍ଷ। ସେଥିପାଇଁ ଅବସର ସମୟରେ ଗାଁର କୁନିକୁନି ପିଲାଙ୍କୁ ନେଇ ଆରତୀ ସମୟ ସମୟରେ ମିଛି ମିଛିକା ନାଚଗୀତ କରିବା ସହ ଘରେ ମଧ୍ୟ ଅଭ୍ୟାସ କରନ୍ତି।ନିକଟ ଅତୀତରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ଠାରେ ମିସେସ ଇଣ୍ଡିଆ ସନ୍ଧ୍ୟା ଦଳେଇଙ୍କ ଦ୍ୱାରା ଆୟୋଜିତ ହେଇଥିଲା ରଜ କୁଇନ ପ୍ରତିଯୋଗିତା। ଉଦ୍ଦେଶ୍ୟ ଥିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା। ସେଥିପାଇଁ ସନ୍ଧ୍ୟା ମାଲକାନଗିରି, କୋରାପୁଟ ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାର ପୁରପଲ୍ଲୀରେ ରହୁଥିବା ଆଗ୍ରହୀ ଯୁବତୀ ମାନଙ୍କ ସହ ଭିନ୍ନ ଭିନ୍ନ ମାଧ୍ୟମରେ ଯୋଗାଯୋଗ କରି ରାୟଗଡ଼ା ଟାଉନ ହଲ ଠାରେ ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଅଶୀରୁ ଉର୍ଦ୍ଧ ଯୁବତୀ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦଶ ଜଣ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେଇଥିଲେ। ଆରତୀ ଉକ୍ତ ପ୍ରତିଯୋଗିତାରେ ସପ୍ତମ ସ୍ଥାନ ଅଧିକାର କରିବା ସହ, ମାଲକାନଗିରି ଜିଲ୍ଲାର ଉପସ୍ଥିତି ଜାହିର କରିଥିବା ହେତୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଅଜାଡି ହେଇ ପଡୁଛି।ଆଗକୁ ଜାତୀୟ ସ୍ତରରେ କେନ୍ଦ୍ର ସରକାରଙ୍କ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ରାଜଧାନୀ ଦିଲ୍ଲୀରେ ଅୟୋଜିତ ହେବାକୁ ଯାଉଛି ଗ୍ଲୋବାଲ ଟ୍ରାଇବାଲ କୁଇନ (୨୦୨୨) ଜାତୀୟ ସ୍ଥରୀୟ ପ୍ରତିଯୋଗିତା। ଯେଉଁଥିରେ ସଂଧ୍ୟାଙ୍କୁ ମୁଖ୍ୟ ବିଚାରକ ଭାବେ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦୀର୍ଘ ଦଶ ଦିନ ଧରି ଚାଲିବ। ଏଥିରେ ଭାରତବର୍ଷର ପ୍ରତ୍ୟେକ ରାଜ୍ୟର ପ୍ରତିଯୋଗୀ ଯୋଗଦେବେ। ସଂଧ୍ୟାଙ୍କ ବକ୍ତବ୍ୟରୁ ଜଣାଯାଏ, ରଜ କୁଇନ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହେଇଥିବା ଅମୁଲ୍ୟ ପ୍ରତିଭା ମାନେ ଦିଲ୍ଲୀ କାର୍ଯ୍ୟକ୍ରମରେ ଭାଗ ନେବା ସୁନିଶ୍ଚିତ। ସଂଧ୍ୟାଙ୍କ ପ୍ରୟାସ ସହିତ ପ୍ରତିଯୋଗୀ ମାନଙ୍କ ପ୍ରଚେଷ୍ଟା, ଦିନେ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ବିଶ୍ୱ ଦରବାରରେ ପହଞ୍ଚାଇବ ଏଥିରେ ସନ୍ଦେହ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |