ଅଭିଶପ୍ତ ଗାଁ କରଲାସଡା, ଆଦିବାସୀଙ୍କ ପାଇଁ ସବୁ ସୁବିଧା ଏଠି ସାତସପନ

ନବରଙ୍ଗପୁର,୨୨/୯:ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ  ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଆଦି ମୌଳିକ ସୁବିଧା ରେ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ଜିଉଁଛନ୍ତି ଲୋକେ । ଗାଁ ସମସ୍ୟା ବିଷୟରେ ବାରମ୍ବାର ପ୍ରଶାସନ ଏବଂ ରାଜନେତାଙ୍କୁ ଗୁହାରୀ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଏକମ୍ବା ଗ୍ରାମପଂଚାୟତ ଅନ୍ତର୍ଗତ କରଲାସଡା ଗାଁ ।ଏହି ଗାଁରେ ୫୦ ପରିବାରର ପ୍ରାୟ ୩୦୦ ରୁ ଅଧିକ ସାନ୍ତା ସମ୍ପ୍ରଦାୟର ଆଦିବାସୀ ମାନେ ବାସ କରୁଛନ୍ତି । କରଲାସଡା ଗ୍ରାମ ବସତି ସ୍ଥାପନ ହୋଇ ଦୀର୍ଘ ୫୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଗାଁ କୁ ଗମନାଗମନ ଓ ପାନୀୟ ଜଳ ସୁବିଧା ନାହିଁ ।କରଲାସଡା ଗାଁ ଗ୍ରାମପଞ୍ଚାୟତ ଠାରୁ ୫କିଲୋମିଟର ହୋଇଥିବା ବେଳେ ଝାରବନ୍ଧ ଗ୍ରାମ ପର୍ଯ୍ୟନ୍ତ ଭଲ ରାସ୍ତା ରହିଛି କିନ୍ତୁ ଝାରବନ୍ଧ ରୁ କରଲାସଡ଼ା ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । କେତେ ବର୍ଷ ଆଗରୁ ଗାଁ ରେ ମାଟି ମୁରୁମ ପଖାଇ ରାସ୍ତା ନିର୍ମାଣ କରିଥିଲେ କିନ୍ତୁ ବର୍ତ୍ତମାନ ରାସ୍ତା ମରାମତି କିମ୍ବା ନୁଆ ରାସ୍ତା ନହେବାରୁ ରାସ୍ତା ର ଚିନ୍ହ ବର୍ଣ୍ଣ ହାରାଇବାକୁ ବସିଥିବା ବେଳେ ଯମ ଦଣ୍ଡ ଭଗୁଛନ୍ତି ଗ୍ରାମବାସୀ ।

WhatsApp Image 2020 09 22 at 12.23.16 PM

କରଲା ସଡ଼ା ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟ ତଥା ପୀଡିଏସ ଚାଉଳ, ପେନସନ, କିରୋସିନ କିମ୍ବା ଅନ୍ୟାନ୍ୟ କୌଣସି କାର୍ଯ୍ୟ ପାଇଁ ଏକମ୍ବା ଗ୍ରାମରେ ନିର୍ଭର କରିଥାନ୍ତି ।ତେବେ ରାସ୍ତା ଭଲ ନଥିବାରୁ ବହୁ ଅସୁବିଧାରେ ସମ୍ମୁଖିନ ହେଉଥିବା କହିଛନ୍ତି ଗ୍ରାମର ଚିତ୍ରସେନ ସାନ୍ତା, କମଲୁ ସାନ୍ତା, ରାମ ସାନ୍ତା, ବାସୁ ସାନ୍ତା, ଦୁର୍ଯ୍ୟୋ ସାନ୍ତା ପ୍ରମୁଖ ।ଏହି ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବା ଯୋଗୁଁ ବର୍ଷାହେଲେ ରାସ୍ତା ସମ୍ପୂର୍ଣ କାଦୁଅ ପଚ ପଚ ହୋଇପଡୁଛି l ସିଏ ରୋଗୀ ହୁଅନ୍ତୁ କି ଗର୍ଭବତୀ ଦୀର୍ଘ ୨ କିଲୋମିଟର ଖଟିଆରେ ବୁହା ହେଲା ପରେ ଯାଇଥାନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରକୁ l ସେହିପରି ଗାଁ ର ଅଙ୍ଗନବାଡ଼ି ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଝାରବନ୍ଧ ଗ୍ରାମକୁ ପାଠ ପଢିବା ପାଇଁ ଯାଇଥାନ୍ତି ।ତେବେ ୨ କିଲୋମିଟର ପାଦରେ ଚାଲି ଚାଲି ବହୁ କଷ୍ଟରେ ବିଦ୍ୟାଳୟରେ ପହଞ୍ଚିଥାନ୍ତି । ଖରା ମାସରେ କଷ୍ଟେ ମଷ୍ଟେ ଚଳିଯାଏ କିନ୍ତୁ ବର୍ଷା ମାସରେ ବହୁତ କଷ୍ଟ ହୋଇଥାଏ ବୋଲି କହନ୍ତି ଛାତ୍ର ଛାତ୍ରୀ ।ଗାଁ ରେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ ଗାଁ ରେ କେବଳ ଗୋଟିଏ ନଳକୂପ ରହିଛି ଯଦି ନଳକୂପ ଖରାପ ହୋଇଗଲେ ତାହାହେଲେ ଗାଁ ନିକଟରେ ଥିବା ନାଳ ଝରଣା ପାଣି ଅନେକ ସମୟରେ ଦେହ ଅସୁସ୍ଥ ରହୁଥିବା ର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଗାଁରେ ଯଥାଶୀଘ୍ର ରାସ୍ତା ଓ ନଳକୂପ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଏ ସମ୍ପର୍କରେ ଏକମ୍ବା ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସରପଞ୍ଚଙ୍କୁ ଯୋଗା ଯୋଗ କରିବାରୁ ନରେଗା ଯୋଜନାରେ କାର୍ଯ୍ୟ ରଖିଥିବା କହିଛନ୍ତି । ତେବେ କରଲାସଡ଼ା ଗ୍ରାମବାସୀଙ୍କ ଏହି ସ୍ୱପ୍ନ କେବେ ସାକାର କରିବ ସ୍ଥାନୀୟ ପ୍ରଶାସନ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!