ପୁଣେ,୦୮/୦୫ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୫୩ତମ ମ୍ୟାଚ୍ରେ ଲଖନଉ ସୁପର ଜ୍ୟାଣ୍ଟ ଦମଦାର ବିଜୟ ହାସଲ କରିଛି । ଅପରପକ୍ଷେ କୋଲକାତାର ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଲଖନଉ ଟିମ୍ ୭ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା । ଜବାବରେ କୋଲକାତା ଟିମ୍ ୧୪.୩ ଓଭରରେ ୧୦୧ ରନ୍ରେ ଅଟକି ଯାଇଥିଲା । ୧୭୭ ରନ୍ ଲକ୍ଷ୍ୟରେ କଲକାତା ନାଇଟ୍ ରାଇଡର୍ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ମାତ୍ର ୨୫ ରନ୍ରେ କେକେଆର୍ ୪ଟି ୱିକେଟ ହରାଇଥିଲା। ବାବା ଇନ୍ଦ୍ରଜିତ ବିନା ସ୍କୋର୍ରେ ଓ ଅଧିନାୟକ ଶ୍ରେୟାସ ଆୟର ୬ ରନ୍କରି ଆଉଟ୍ ହୋଇଥିଲେ। ଫର୍ମରେ ନଥିବା ଆରୋନ୍ ଫିଞ୍ଚ୍ ୧୪ ଓ ନୀତୀଶ ରାଣା ୨ ରନ୍କରି ବିଦାୟ ନେଇଥିଲେ। ଆେନ୍ଦ୍ର ରସେଲ୍ କ୍ରିଜ୍କୁ ଆସିବା ମାତ୍ରେ ଆକ୍ରମଣ କରିଥିଲେ। ହେଲେ ରିଙ୍କୁ ସିଂହ ଏକ ବେପରୁଅା ସଟ୍ ଖେଳି ୬ ରନ୍କରି ଆଉଟ୍ ହୋଇଥିଲେ। ଅଧିକ ସଟ୍ ଖେଳିବା ପ୍ରୟାସରେ ରସେଲ୍ ଆଉଟ୍ ହୋଇଥିଲେ। ରସେଲ୍ ୧୯ ବଲ୍ରୁ ୫ଟି ଛକା ଓ ୩ଟି ଚୌକା ସହ ୪୫ ରନ୍ କରିଥିଲେ। ସୁନୀଲ ନାରାୟଣ ୧୨ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍ କରିଥିଲେ। ଆଭେସ୍ ଖାଁ ଓ ଜେସନ୍ ହୋଲ୍ଡର ୩ଟି ଲେଖାଏଁ ୱିକେଟ ନେଇଥିଲେ। କେକେଆର୍ ଟସ୍ ଜିତି ଫିଲ୍ଡିଂ ନେବା ପରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଅଧିନାୟକ କେ.ଏଲ୍. ରାହୁଲ ବଲ୍ ନ ଖେଳି ରନ୍ଆଉଟ୍ ହୋଇଥିଲେ। ୨ୟ ୱିକେଟ ପାଇଁ କ୍ବିଣ୍ଟନ୍ ଡି କକ୍ ଓ ଦୀପକ ହୁଡା ଦ୍ରୁତ ୭୧ ରନ୍ ଯୋଡ଼ିଥିଲେ। ଡି କକ୍ ବିସ୍ଫୋରକ ବ୍ୟାଟିଂକରି ୨୯ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୦ ରନ୍କରି ଆଉଟ୍ ହୋଇଥିଲେ। ଫର୍ମରେ ଥିବା ହୁଡା ଅନୁରୂପ ବ୍ୟାଟିଂକରି ୨୭ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୪୧ ରନ୍ କରିଥିଲେ। ପରେ ରନ୍ଗତି କମି ଯାଇଥିଲା। କ୍ରୁନାଲ ପାଣ୍ଡ୍ୟା ୨୭ ବଲ୍ରୁ ୨ଟି ଚୌକା ସହ ୨୫ ରନ୍ କରିଥିଲେ। ଦୁଇ ବିଦେଶୀ ଅଲ୍ରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଓ ଜେସନ୍ ହୋଲ୍ଡର ଆକ୍ରମଣ କରିଥିଲେ। ୧୯ଶ ଓଭରର ପ୍ରଥମ ୩ଟି ବଲ୍ରେ ୩ଟି ଛକାମାରି ୪ର୍ଥ ବଲ୍ରେ ଷ୍ଟୋଇନିସ୍ ଆଉଟ୍ ହୋଇଥିଲେ। ଶେଷ ୨ଟି ବଲ୍କୁ ହୋଲ୍ଡର ଛକା ମାରି ଦେଇଥିଲେ। ଷ୍ଟୋଇନିସ୍ ୧୪ ବଲ୍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୮ ଏବଂ ହୋଲ୍ଡର ୪ଟି ବଲ୍ରୁ ୨ଟି ଛକା ସହ ୧୩ ରନ୍ କରିଥିଲେ। ଆେନ୍ଦ୍ର ରସେଲ୍ ୨ଟି ୱିକେଟ ନେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |