ଜୟପୁର ,୫ା୫ : ଚଳିତ ଆଇପିଏଲର ୪୮ତମ ମ୍ୟାଚ ଶୁକ୍ରବାର ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ସନ୍ଧ୍ୟା ୭ଟା୩୦ରେ ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇଟି ଟିମ୍ ଏପର୍ଯ୍ୟନ୍ତ ଆଇପିଏଲରେ ୪ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଜରାଟ ୩ଟି ଏବଂ ରାଜସ୍ଥାନ ଗୋଟିଏରେ ବିଜୟୀ ହୋଇଛି।ଉଭୟ ଦଳ ୧୦ମ ମ୍ୟାଚ ଖେଳିବେ। ଶେଷ ମ୍ୟାଚରେ ଉଭୟ ଦଳ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। ରାଜସ୍ଥାନ ରୟାଲ୍ସ ୯ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ୬ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ପରାଜିତ ହୋଇଥିଲା। ବ୍ୟାଟିଂରେ ଯଶସ୍ବୀ ଜସୱାଲ ୧୨୪ରନର ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସହାୟକ ଦେଇନଥିଲେ। ବ୍ୟାଟିଂରେ ଜସୱାଲ ଭଲ ଫର୍ମରେ ରହିଥିବା ବେଳେ ବଟ୍ଲର କିଛି ମ୍ୟାଚରେ ବିଫଳ ହେବା ଦଳକୁ ଚିନ୍ତାରେ ପକାଇଛି। ସଞ୍ଜୁ ସାମସନ, ସିମରନ ହେତମେୟାର, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ ମଧ୍ୟ ରନ କରୁଛନ୍ତି। ଜୁରେଲ ଓ ହେତମେୟାର ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ଶେଷ ମ୍ୟାଚରେ ଫେରିଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସନ୍ଦୀପ ଶର୍ମା ଭଲ ଫର୍ମରେ ରହିଥିବାବେଳେ ଯୁଜୁବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ ଓ ଆଡାମ ଜାମ୍ପା ରହିଛନ୍ତି। ଶେଷ ମ୍ୟାଚରେ ଦଳ ଜାମ୍ପାଙ୍କ ବଦଳରେ ବୋଲ୍ଟକୁ ଖେଳାଇଥିଲା। ଗୁଜରାଟ ବିପକ୍ଷରେ ଜାମ୍ପା ଖେଳିବା ନେଇ ଆଶା କରାଯାଉଛି। ଶେଷ ମ୍ୟାଚର ବୋଲିଂ ବିଫଳତାକୁ ଦଳ ପଛରେ ପକାଇ ଗୁଜରାଟ ବିପକ୍ଷରେ ଖେଳିବ। ସେହିପରି ଗୁଜରାଟ ଟାଇଟାନ୍ସ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ବରଣ କରିଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ଭଲ ବୋଲିଂ କରିଥିଲେ ମଧ୍ୟ ବ୍ୟାଟିଂ ବିଫଳତା ଲାଗି ପରାଜୟ ଭୋଗିଥିଲା। ଲୋ ସ୍କୋରକୁ ପିଛା କରି ମଧ୍ୟ ଦଳ ପରାଜିତ ହୋଇଥିଲା। ଶୁବମାନ ଗିଲ୍, ଋଦ୍ଧିମାନ ସାହା, ବିଜୟ ଶଙ୍କର, ଡେଭିଡ୍ ମିଲରଙ୍କ ସହ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ ଭାର ସମ୍ଭାଳୁଥିବାବେଳେ ରାହୁଲ ତିୱାତିଆ ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ଦିଲ୍ଲୀ ବିପକ୍ଷରେ ତିୱାତିଆ ମ୍ୟାଚକୁ ବିଜୟ ନିକଟତର କରାଇଥିଲେ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବୋଲିଂରେ ମହମ୍ମଦ ସାମି ଚମତ୍କାର ଫର୍ମରେ ରହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |