ରାଜକନିକା,୧୨ା୫ : ଆଉ ଶୁଣିବାକୁ ମିଳିବନି ତାଙ୍କ ମିଠା ମିଠା କଥା । ସ୍ନେହ ଆଦରର ଡ଼ାକ । ପରକୁ ଆପଣାର କରିବାର ତାଙ୍କ ଉଦାରପଣ । ସବୁ ମୋହ ମାୟାକୁ ପର କରି ଆଜି ସକାଳେ ସମସ୍ତଙ୍କ ପ୍ରିୟ ମନୋରମା ଗୁରୁମା’ ପରଲୋକ ଗମନ କରିଛନ୍ତି । ତାଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଯାଇଛି ଡ଼ାଳିକାଏନ୍ଦା ଗାଁ । ରାଜକନିକା ଅଂଚଳରେ ଶୋକର ଚାୟା ଖେଳିଯାଇଛି । ରାଜକନିକା ବ୍ଲକ୍ ଅନ୍ତର୍ଗତ ଡ଼ାଳିକାଏନ୍ଦା ଗ୍ରାମର ବିଶିଷ୍ଟ ସମାଜ ସେବକ, ସାମାଜିକ କର୍ମୀ ଡ଼କ୍ଟର ହୟଗ୍ରୀବ ଗୁରୁଙ୍କ ମାତା ମନୋରମା ଗୁରୁ(୮୦)ଙ୍କର ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଗୁରୁ ମା’ଙ୍କ ପରଲୋକରେ ରାଜକନିକା ଅଂଚଳରେ ଶୋକର ଛାୟା ଖେଳଯାଇଛି । ସେ ଜଣେ ଦରଦୀ, ସ୍ନେହୀ ଆଉ ପରୋପକାରୀ ମା’ ଭାବେ ଖୁବ୍ ପରିଚିତ । ଡ଼ାଳିକାଏନ୍ଦା ଗ୍ରାମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସହିତ ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତ ପ୍ରଦାନ କରୁଥିଲେ । ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ପରିବେଶ ସହିତ ଜାତୀୟତାକୁ ରକ୍ଷା କରିବା ପାଇଁ ସବୁବେଳେ ଯୁବକ ମାନଙ୍କ ସହିତ ମିଶି କାମ କରୁଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁଅ ହୟଗ୍ରୀବ ଗୁରୁ, ଅମିତ୍ ଗୁରୁ, ଅନିଲ ଗୁରୁ, ଝିଅ ବାସନ୍ତୀଙ୍କ ସହିତ ବୋହୁ ଏବଂ ନାତିନାତୁଣୀମାନେ ଉପସ୍ଥିତ ରହିଥିଲେ । ତାଙ୍କ ପରଲୋକ ଖବର ପାଇଁ ତାଙ୍କ ବାସଭବନରେ ଆଳି ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ରାଜକନିକା ପଂଚାୟତ ସମିତିର ଉପାଧ୍ୟକ୍ଷ ତନ୍ନୟ ରଞ୍ଜନ ଦାସ, ସାମ୍ବାଦିକ ଶୁଭ୍ରାଂଶୁ ସୂତାର ପ୍ରମୁଖ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିଭଳି ତାଙ୍କ ପରଲୋକ ଖବର ପାଇଁ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପ୍ରାକ୍ତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପ୍ରାକ୍ତନ ବିଧାୟକ ଦେବେନ୍ଦ୍ର ଶର୍ମା,ପ୍ରାକ୍ତନ ପଂଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସ, ପଂଚାୟତ ସମିତିର ଅଧ୍ୟକ୍ଷା ମିନତୀ ରାଉତ, ଚିନ୍ନୟ ରଞ୍ଜନ ଦାସ, ବାପୁଜୀ ବିଶ୍ୱାଳ, ଦେବଜ୍ୟୋତି ଜେନା,ସିକୋ ସରପଂଚ ଗଙ୍ଗାଧର ବେହେରା ଏବଂ ସମିତି ସଭ୍ୟ ଅମିତ୍ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅପରାହ୍ଣରେ ନିଜ ଜନ୍ମମାଟି ଡ଼ାଳିକାଏନ୍ଦା ଗ୍ରାମରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଏବଂ ଗ୍ରାମବାସୀମାନେ ଶହଶହ ସଂଖ୍ୟାରେ ଶୋଭାଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ । ଏହା ପରେ ଅନ୍ତିମ ସତ୍କାର କରାଯାଇଥିଲା । ବଡ଼ ପୁଅ ହୟଗ୍ରୀବ ମୁଖାଗ୍ନି ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |