ଯାଜପୁର ୨୬/୦୯: ଆଜିଠାରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମା’ ବିରଜାଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି |ନବରାତ୍ରୀ ଅବସରରେ ଆଜିଠୁ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ । ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ବଜ ରଥ ଯାତ୍ରା । ୯ ଦିନ ଧରି ରଥରେ ଗଢି ମନ୍ଦିର ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରିବେ ମା’ ଜଗତ ଜନନୀ ।ସୋମବାର ରଥ ପ୍ରତିଷ୍ଠା ଓ ଚାଳନା କାର୍ଯ୍ୟ ଥିବାରୁ ଅପରାହ୍ଣରୁ ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରାଯାଇ ସନ୍ଧ୍ୟା ପରେ ରଥ ଚାଳନା କରାଯିବ । ମା’ ବିରଜାଙ୍କ ବିଜୟ ପ୍ରତିମାକୁ ଏକ ସଜ୍ଜିତ ବିମାନରେ ବସାଇ ସେବାୟତମାନେ ମନ୍ଦିର ଓ ରଥ ପରିକ୍ରମା କରିସାରିବା ପରେ ମା’ଙ୍କ ବିଜୟ ପ୍ରତିମାକୁ ରଥ ଉପରକୁ ନେବା ପରେ ରଥ ଯାତ୍ରା ଆରମ୍ଭ କରାଯାଏ । ଏହି କାର୍ଯ୍ୟକ୍ରମ ରାତି ୮ଟାରୁ ୯ଟା ମଧ୍ୟରେ ଶେଷ କରାଯିବାକୁ ସ୍ଥିର କରାଯାଇଛି । ଏହି ୯ ଦିନ ଧରି ଶକ୍ତି ବଲ୍ଲଭ ମନ୍ତ୍ରରେ ପୂଜା କରାଯିବା ସହ ମା ବିରଜାଙ୍କୁ ପ୍ରତ୍ୟେକ ଦିନ ବୈତରଣୀ ନଦୀ ଜଳରେ ସ୍ନାନ କରାଯିବାର ବିଧି ରହିଛି। ଅନ୍ୟପଟେ ମା’ଙ୍କ ରଥଯାତ୍ରାରେ ସାମିଲ ହେବା ସହ ସୁରୁଖରୁରେ ଦର୍ଶନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ରବିବାର ଅମାବାସ୍ୟା ତିଥି ଯୋଗୁ ମନ୍ଦିର ପରିସରରେ ଥିବା ନାଭିଗୟାରେ ହଜାର ହଜାର ଭକ୍ତ ପିଣ୍ଡଦାନ କରିଥିଲେ । ଗତ ୨ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଭକ୍ତମାନେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରି ପାରିନଥିଲେ । ଚଳିତ ବର୍ଷ ଭକ୍ତମାନେ ସୋମବାର ଶାନ୍ତି ଶୃଙ୍ଖଳାର ସହିତ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଗର୍ଭଗୃହକୁ ପ୍ରବେଶ ସମୟରେ ପୁରୁଷ ଓ ମହିଳା ଭକ୍ତଙ୍କୁ ଦୁଇ ଧାଡ଼ିରେ ଯିବାକୁ ବ୍ୟବସ୍ଥା କରାଯାଇଛି ।ସକାଳ ସମୟରେ ମା’ ବିରଜାଙ୍କ ଗର୍ଭଗୃହକୁ ପ୍ରବେଶ କରି ପାଦ ସ୍ପର୍ଶ କରିପାରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |