ଆଜିଠାରୁ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର,୧/୨: ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ଫେବୃଆରୀ ମାସ ପାଇଁ ଜାରି କରାଯାଇଥିବା କୋଭିଡ ଗାଇଡ୍‌ଲାଇନ ଆଧାରରେ ଆଜି ଦୀର୍ଘ ୧୦ମାସ ପରେ ଆବଦ୍ଧ ଅଞ୍ଚଳ ବ୍ୟତୀତ ରାଜ୍ୟର ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲାଯାଇଛି । ମହିଳା ଓ ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଏସ୍‌ଓପି ଅନୁସାରେ ଗତ ଦୁଇଦିନ ଧରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଶୋଧନ କରାଯାଇଥିଲା। ପ୍ରତ୍ୟହ ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଅଙ୍ଗନବାଡ଼ି ଖୋଲିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରାଯାଇଛି। ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ହାତ ପରିଷ୍କାର କରି ଧୋଇବା ସହ ପାରମ୍ପରିକ ରୀତିନୀତିରେ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା। ପିଲାମାନେ ବହୁ ଦିନ ପରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ ପାଇଁ କେନ୍ଦ୍ରକୁ ଆସିଥିବାରୁ ଅତ୍ୟନ୍ତ ଖୁସି ଥିଲେ। ସେମାନଙ୍କୁ କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା। ଆଜି ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗର୍ଭବତୀ, ପ୍ରସୂତୀ ମହିଳା ତଥା ଶିଶୁମାନଙ୍କ ପାଇଁ ଟେକ୍‌ ହୋମ୍‌ ରାସନ ବଣ୍ଟନ କରାଯାଇଥିଲା। କେତେକ ସ୍ଥଳରେ ପୂର୍ବାହ୍ନ ୧୧ଟା ପରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରେ ପହଞ୍ଚି ଶୁଖିଲା ରାସନ୍‌ ବଣ୍ଟନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମ ସମୟରେ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଦର ମହକୁମା ଏବଂ ଜିଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଲି ଦେଖିବା ସହ ଏହାର ପରିଚାଳନା ବ୍ୟବସ୍ଥାକୁ ତଦାରଖ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: