ପୁରୀ ୪/୧୧ : ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ । ଆଜି କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଏହି ବେଶ ଥାଇ ଠାକୁରମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗ ମଣ୍ଡପ ଇତ୍ୟାଦି ନୀତି ହୋଇଥାଏ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟ ବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥାନ୍ତି । ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଓ କେତେକ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ ।କାର୍ତ୍ତିକ ମାସର ଶେଷ ଏହି ପାଞ୍ଚଦିନ ସବୁଠାରୁ ପବିତ୍ର । ଯେଉଁ ବ୍ରତଧାରୀ ମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି, ସେମାନେ ଏହି ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପ୍ରବଳ ଜନ ସମାଗମ ହୋଇଥିବାରୁ, ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମରିଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି ।୨୬ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ଥିବା ବେଳେ, ପଶ୍ଚିମ ଦ୍ୱାର ବନ୍ଦ ଅଛି । ତେବେ ପ୍ରସ୍ଥାନ ପାଇଁ ଅନ୍ୟ ୨ ଦ୍ୱାର ଦେଇ ଆସିପାରିବେ ଶ୍ରଦ୍ଧାଳୁ । କାର୍ତ୍ତିକ ଶେଷ ୫ ଦିନରେ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏକାଦଶୀ ତିଥିରେ ଲକ୍ଷ୍ମୀ ନାରାୟଣ, ଦ୍ୱାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବା ସୁନାବେଶରେ ମହାପ୍ରଭୁଙ୍କ ଦର୍ଶନ ମିଳିଥାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |