ନୂଆଦିଲ୍ଲୀ,୦୧/୧୨:ଭାରତର ପ୍ରଥମ ରିଟେଲ ଡିଜିଟାଲ ରୁପି ଆଜି ଲଞ୍ଚ ହେବାକୁ ଯାଉଛି । ଡିସେମ୍ବର ୧ ତାରିଖରୁ ଡିଜିଟାଲ ରୁପିର ପାଇଲଟ ପ୍ରୋଜେକ୍ଟ ଲଞ୍ଚ ହେବ ।ରିଜର୍ଭ ବ୍ୟାଙ୍କ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି(ସିବିଡିସି) ନାମ ଦେଇଛି। ଆରବିଆଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଦେଶର 4ଟି ସହରରେ ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯିବ। ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ବରେ ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯିବ ବୋଲି ସୂଚନା ମିଳିଛି। ଏହା ପ୍ରଥମେ ଅଳ୍ପକିଛି ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀଙ୍କୁ ନେଇ ଆରମ୍ଭ କରାଯିବ। ଏହି ଡିଜିଟାଲ ଟଙ୍କା ଭାରତରେ ପ୍ରଚଳିତ କାଗଜ ନୋଟ୍ ମୂଲ୍ୟ ସହିତ ସମାନ ରହିବ।ଆରବିଆଇ ଦ୍ବାରା ନିର୍ଦ୍ଧାରିତ ବ୍ୟାଙ୍କଗୁଡିକ ଗ୍ରାହକ ଓ ବ୍ୟବସାୟୀଙ୍କୁ ଡିଜିଟାଲ ରୂପି ଯୋଗାଇବେ। ଏହାକୁ ଡିଜିଟାଲ ଉପକରଣରେ ଗଚ୍ଛିତ ରଖାଯାଇଥିବା ଡିଜିଟାଲ ଓ୍ବାଲେଟ ସାହାଯ୍ୟରେ କାରବାର କରାଯାଇପାରିବ। ବ୍ୟବହାରକାରୀ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରଦର୍ଶିତ କ୍ୟୁ ଆର୍ କୋଡକୁ ବ୍ୟବହାର କରି ଏହି ଡିଜିଟାଲ ଟଙ୍କା ଜରିଆରେ କାରବାର କରିପାରିବେ। ଡିଜିଟାଲ ରୁପିର ବିତରଣ, ବ୍ୟବହାର ଓ ଏହାର ପ୍ରସ୍ତୁତିର ପ୍ରୋସେସ ଉପରେ ଭଲ ଭାବେ ପରୀକ୍ଷଣ କରାଯିବ । ଆରବିଆଇ ଦ୍ୱାରା ଜାରି ଇ-ରୁପି ଏକ ଡିଜିଟାଲ ଟୋକନ ପରି କାର୍ଯ୍ୟ କରିବ । ଅନ୍ୟ ଶବ୍ଦରେ କହିଲେ ସିବିଡିସି ଆରବିଆଇ ପକ୍ଷରୁ ଜାରି ହୋଇଥିବା କରେନ୍ସି ନୋଟର ଡିଜିଟାଲ ପ୍ରତିରୂପ ।ଡିଜିଟାଲ ମୁଦ୍ରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ମଜବୁତ କରିବ ବୋଲି କୁହାଯାଉଛି । ୨୦୨୨ ବଜେଟର ଘୋଷଣା ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଯୋଜନାର ପରୀକ୍ଷଣ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |