ଆଜିଠୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ

ଗୁଆହାଟୀ୧୦।୧:  ଆଜିଠୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ| ସିରିଜ ବିଜୟୀ ହେବା ପରେ ଭାରତ ଦିନିକିଆରେ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି।  ପ୍ରଥମ ମ୍ୟାଚ୍‌ ଗୁଆହାଟୀରେ ଖେଳାଯିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମ ବ୍ଲୁ ର ଅଧିନାୟକ ଥିବାବେଳେ ଶ୍ରୀଲଙ୍କାର ଦାସୁନ ଶନାକାଙ୍କ ଅଧିନାୟକ ହେବେ।   ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ଦିନ ୧.୩୦ରୁ ଆରମ୍ଭ ହେବ। ଏଥି ସହିତ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଏହି ମ୍ୟାଚ ସିଧା ପ୍ରସାରଣ ହେବ। ଦର୍ଶନମାନେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ଏହା ବ୍ୟତୀତ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ମାଗଣା ଲାଇଭ ପ୍ରସାରଣ ଦେଖିପାରିବେ।  ୨୦୨୨ରେ ଶ୍ରୀଲଙ୍କା ୧୦ଟିରୁ ୬ଟି ଦିନିକିଆ ଜିତିଛି। ତେଣୁ ଶ୍ରୀଲଙ୍କା କ୍ରିକେଟ୍‌ର ଉତ୍‌ଥାନ ହେଉଛି ବୋଲି କହିହେବ। ଘରୋଇ ଭାରତ ବିପକ୍ଷରେ ଶ୍ରୀଲଙ୍କା ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ଏହାର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ।    ଟି୨୦ ଶୃଙ୍ଖଳାର ବିଫଳତା ପରେ ଈଶାନ୍ କିଷନ୍‌ଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍‌ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍‌ କରିପାରନ୍ତି। ଗତ ଦେଢ଼ବର୍ଷରେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଦେଖି ତାଙ୍କୁ ଦିନିକିଆ ଏକାଦଶରୁ ବାଦ୍‌ଦେବା ବହୁତ କଷ୍ଟକର ହେବ। ଏପରି ସ୍ଥିତିରେ ଶ୍ରେୟାସ ଆୟର କିମ୍ବା କେ.ଏଲ୍‌. ରାହୁଲଙ୍କୁ ବସିବାକୁ ପଡ଼ିବ। ଉଭୟଙ୍କ ଦିନିକିଆ ଆଭ୍‌ରେଜ୍‌ ୪୦ରୁ ଅଧିକ। ପେସ୍‌ ବୋଲର ଭା​‌େ​‌ବ ମହମ୍ମଦ ସିରାଜ୍‌ ଓ ମହମ୍ମଦ ସାମି ଖେଳିବା ନିଶ୍ଚିତ। ତେଣୁ ଅର୍ଶଦୀପ ସିଂହ, ଉମ୍ରାନ୍ ମାଲିକ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣେ ଖେଳିବେ। ସେହିପରି ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିବେ। ଟ୍ବେଣ୍ଟି୨୦ରେ ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିବା ଅକ୍ଷର ପଟେଲ ଖେଳିବା ନିଶ୍ଚିତ। ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର ଓ ସ୍ପିନ୍ ଆକ୍ରମଣକୁ ନେଇ କୌଣସି ପ୍ରଶ୍ନବାଚୀ ନାହିଁ। ହେଲେ ପେସ୍‌ ବୋଲିଂ ବିଭାଗରେ ଏହାକୁ ବହୁତ ଚିନ୍ତା କରିବାକୁ ପଡ଼ିବ। ଟ୍ବେଣ୍ଟି୨୦ ଶୃଙ୍ଖଳରେ ଯେଉଁ ବ୍ୟାଟିଂ ଲାଇନ୍ ଖେଳିଥିଲା; ଶ୍ରୀଲଙ୍କା ଦିନିକିଆରେ ମଧ୍ୟ ସେହି ବ୍ୟାଟିଂ ଲାଇନ୍ ଖେଳାଇବ। କେବଳ ଭାନୁକା ରାଜପକ୍ଷ ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରୁ ଜଣେ ଖେଳିବେ। ୨୦୧୫ରୁ ଉଭୟ ଦେଶଙ୍କ ମଧ୍ୟରେ ମୋଟ ୧୫ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଭାରତ ୧୨ଟି ଓ ଶ୍ରୀଲଙ୍କା ୩ଟି ଜିତିଛନ୍ତି। ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶନକଙ୍କ ଟ୍ବେଣ୍ଟି୨୦ ବ୍ୟାଟିଂ ରେକର୍ଡ ବହୁତ ଭଲ। ହେଲେ ସେ ପ୍ରଥମଥର ଭାରତମାଟିରେ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ଅତି ଚମତ୍କାର। ସେ ଶ୍ରୀଲଙ୍କା ବିପକ୍ଷରେ ୪୬ଟି ଦିନିକିଆ ଇନିଂସରୁ ୨୨୨୦ ରନ୍‌ କରିଛନ୍ତି। ଏଥିରେ ଅଛି ୮ଟି ଶତକ ଓ ୧୧ଟି ଅର୍ଦ୍ଧଶତକ। ଡିସେମ୍ବର​‌େ​‌ର ବାଂଲାଦେଶ ବିପକ୍ଷରେ କୋହଲି ଶତକମାରି ଫର୍ମରେ ଅଛନ୍ତି। ୨୦୧୮ରେ ଗୁଆହାଟୀରେ ଶେଷଥର ଖେଳା ଯାଇଥିବା ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ୮/୩୨୨ ରନ୍‌ କରିଥିବା ବେଳେ ଭାରତ ଏହାକୁ ୪୩ତମ ଓଭରରେ ପିଛାକରି ଜିତି ନେଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: