ଭୁବନେଶ୍ୱର ୦୩/୦୯: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ମିଳିଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଓ ଆଦୌ ପରୀକ୍ଷା ଦେଇନଥିବା ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଦେଇପାରିବେ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା । ଯେଉଁ ଛାତ୍ରଛାତ୍ରୀମାନଙ୍କୁ ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଥିଲା, ସେମାନେ ଏହି ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ । ଶୁକ୍ରବାର ଅପରାହ୍ନ ୨ଟାରୁ ପଞ୍ଜିକରଣ ଆରମ୍ଭ ହେବ । ଯାହା ୯ ତାରିଖ ଅପରାହ୍ନ୧ଟାରେ ସରିବ । ଯେଉଁମାନେ ଅଫଲାଇନରେ ଏହି ଲିଖିତ ପରୀକ୍ଷା ଦେବେ, ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି । ଏହି ସ୍ୱତନ୍ତ୍ର ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ । ପରିଷଦ ପକ୍ଷରୁ ଏ ନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତ୍ରି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ନିଜ କଲେଜକୁ ଯାଇ ଅନଲାଇନ୍ରେ ପଞ୍ଜିକରଣ କରିବେ । ଏ ବାବଦରେ ସେମାନଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ । ଦେୟମୁକ୍ତ ରହିବ । ତେବେ କେବଳ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକର ପରୀକ୍ଷା ହେବ । ସେହି ଅନୁସାରେ ଅନ୍ୟ ବିଷୟଗୁଡିକରେ ମାର୍କ ଦିଆଯିବ । ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁସାରେ ପରୀକ୍ଷା କେନ୍ଦ୍ର ହେବ । ପରୀକ୍ଷା କେବଳ ନିର୍ଦ୍ଦିଷ୍ଟ କିଛି ପରୀକ୍ଷା ପରିଚାଳନା ହବ୍ରେ ଅନୁଷ୍ଠିତ ହେବ । ପରୀକ୍ଷାରେ ପ୍ରଶ୍ନ ୨୦୨୧ ବାର୍ଷିକ ପରୀକ୍ଷା ପାଇଁ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସିବ । ତେବେ ପରୀକ୍ଷା ସୂଚୀ ବାବଦରେ ନିର୍ଦ୍ଦିଷ୍ଟ ସମୟରେ ସୂଚନା ଦିଆଯିବ ବୋଲି ପରିଷଦର ପରୀକ୍ଷା କମିଟିର ଆବାହକ ତଥା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |