ପୁରୀ,୦୩/୦୫: ଆଜି ଅକ୍ଷୟ ତୃତୀୟା। ଏହି ଅବସରରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ହୋଇଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାରେ ବିଜେ ପରେ ଅନୁକୂଳ କାର୍ଯ୍ୟ ସମାପାନ ହୋଇଛି । ସ୍ତୋତ୍ରୀୟ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀ, ଘଣ୍ଟ, ଶଙ୍ଖ ଏବଂ ହୁଳହୁଳି ମଧ୍ୟରେ ଅନୁକୂଳ ହୋଇଛି ରଥ ନିର୍ମାଣ । ସୁନା ଏବଂ ରୂପାର କୁରାଢୀରେ ରଥକୁ ସ୍ପର୍ଶ କରାଇ ଏହି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଇଛନ୍ତି ସେବାୟତମାନେ । ପବିତ୍ର ଅକ୍ଷୟ ତୃତୀୟ ତିଥିରେ ରଥ ନିର୍ମାଣର ଅନୁକୂଳ ହେବା ନେଇ ପରମ୍ପରା ରହିଛି । ତେଣୁ ଆଜି ଏହି ପବିତ୍ର ଦିନରେ ଏଭଳି ଏକ ପରମ୍ପରା ମଧ୍ୟ ପାଳନ କରାଯାଇଛି । ଏପଟେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ଶ୍ରୀନହର ସମ୍ମୁଖରେ ଚାଳି ତିଆରି ଶେଷ ହୋଇଛି । ମଙ୍ଗଳବାର ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଚାଲିବ । ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି ୧୨ଫୁଟିଆ ଧଉରା କାଠ ମହା ରଥଖଳାରେ ରଖା ସରିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ନ ୪ଟାରେ । ଏହାପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ । ୧୪ ତାରିଖ ଶନିବାର ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ । ୨୨ ତାରିଖ ରବିବାର ଭଉଁରୀ ଉତ୍ସବରେ ଚକ ଅଖ ଡେରା ହୋଇ ଜୁନ୍ ୧୪ ମଙ୍ଗଳବାର ସ୍ନାନପୂର୍ଣ୍ଣମୀରେ ଚାରି ନାହାକା ଉଠିବ । ଜୁନ୍ ୩୦ ତାରିଖ ଗୁରୁବାର ଉଭାଯାତ୍ରା (ରଥ ଯାତ୍ରା ପୂର୍ବ ଦିନ) ଅବସରରେ ରଥଖଳାରୁ ତିନି ରଥ ପ୍ରସ୍ତୁତ ହୋଇ ସିଂହଦ୍ୱାରରେ ପହଞ୍ଚିବ । ଜୁଲାଇ ୧ ତାରିଖ ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ଗୁଣ୍ଡିଚା ଘର ଜନ୍ମବେଦିକୁ ଯାତ୍ରା କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |