ପୁରୀ୨୦/୫: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି। ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆବିର୍ଭାବ ହୋଇଥିଲା। ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି। ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିଲେ। ଏତିକିବେଳେ ସମୁଦ୍ରରେ ଏକ ଅଦ୍ଭୁତ ଦାରୁ ଭାସି ଭାସି ଆସୁଥିବାର ଦେଖିଥିଲେ । ଲହଡିର ବିପରୀତ ଦିଗରୁ ଦାରୁ ଭାସି ଆସୁଥିଲା। ଏହି ଦୃଶ୍ୟ ଦେଖି ସମସ୍ତେ ବିସ୍ମିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମହାଦାରୁଙ୍କ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଅଭିଷେକ କରାଯାଇଥିଲା
ବିଧି ପରମ୍ପରା ଅନୁସାରେ ଆଜିର ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୂର୍ବ ଦିନ ସଂଧ୍ୟାଧୂପ ପରେ ଗରାବଡୁ ସେବକମାନେ ତମ୍ବା ଗଡୁରେ ଆଣିଥିବା ୧୦୮ ଗଡୁ ଜଳକୁ ଅଧିବାସ କରାଯାଇ ଭୋଗ ମଣ୍ଡପ ଘରେ ରଖିଥାନ୍ତି । ଅଷ୍ଟମୀ ତିଥି ଅପରାହ୍ଣ ବେଳକୁ ଉକ୍ତ ଜଳରେ ଶ୍ରୀବିଗ୍ରହଙ୍କ ଜଳବିଜେ ଓ ପୂଜା କରାଯାଇ ନୂଆ ଲୁଗା ଲାଗି କରାଯାଇଥାଏ। ପରେ ଦ୍ୱାଦଶ ଯାତ୍ରା ବନ୍ଦାପନା ହୋଇ ଚନ୍ଦନ ଠାକୁର ବିମାନକୁ ବିଜେ କରିଥାନ୍ତ। ବିମାନ ଉଠିଲା ପରେ ଭୋଗମଣ୍ଡପ ଶେଷ ହୋଇ ସାହାଣମେଳା ଅନୁଷ୍ଠିତ ହୋଇଥାଏ । ଏହାପରେ ସଂଧ୍ୟା ଧୂପ, ସଂଧ୍ୟା ଆଳତି ନୀତି କରାଯିବା ପରେ ରାତିରେ ଠାକୁରମାନଙ୍କୁ ଚନ୍ଦନ ଲାଗି କରାଯଇ ବଡସିଂହାର ବେଶ ଓ ବଡସିଂହାର ଭୋଗ ହୋଇ ତିନି ଠାକୁରଙ୍କ ପହୁଡ଼ ନିତି ଅନୁଷ୍ଠିତ ହୋଇଥାଏ। ସୂଚନାଥାଉ କି, ରଥଖଳାରେ ଚାଲିଚି ରଥ ନିର୍ମାଣ କାମ । ଚଳଚଞ୍ଚଳ ରଥଖଳା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ରଥ ନିର୍ମାଣରେ ଲାଗିଛନ୍ତି ମହାରଣା ସେବକ । ପ୍ରଥମେ ତିନି ରଥର ତୁମ୍ବ କାମ ଚାଲିଛି। ମହାରଣା ସେବକମାନେ ନିଷ୍ଠାର ସହ ରଥ ତିଆରି କରୁଛନ୍ତି । ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟାରୁ ରଥକାଠ ଅନୁକୂଳ ପରେ ରଥ ନିର୍ମାଣ ଜାରି ରହିଛି। ଅନ୍ୟପଟେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ମଧ୍ୟ ଜାରି ରହିଛି । ୧୪୪ ଧାରା ଭିତରେ କଟକଣା ସହ ଚାଲିଛି ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ପ୍ରତିଦିନ ଚନ୍ଦନ ଚାପ ଅନୁଷ୍ଠିତ ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |