ଭୁବନେଶ୍ୱର,୧୧ା୩ :ଆଜି ମାର୍ଚ୍ଚ ୧୧ ତାରିଖ , ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ । ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଷଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ସେବେଠୁ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଭାଷା ଦିବସ ଭାବେ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ନାମଫଳକ ଓଡ଼ିଆରେ ଲେଖିବା ନେଇ ସରକାର ଆଇନ କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ସମେତ ଛୋଟବଡ଼ ଦୋକାନୀ ସେମାନଙ୍କ ଇଚ୍ଛାରେ ଇଂରାଜୀ, ହିନ୍ଦୀ ବା ଯେକୌଣସି ଭାଷାରେ ନାମଫଳକ ଲଗାଇ ପାରିବେ । କିନ୍ତୁ, ପ୍ରଥମେ ନିର୍ଭୁଲ ଭାବେ ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ । ଆଇନରେ ଏହି ବ୍ୟବସ୍ଥା ହେବା ପରଠାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଗଲା । ଜରିମାନା ବି ଆଦାୟ ହେଲା । କିନ୍ତୁ, କିଛିଦିନ ପରେ ସବୁ ଶିଥିଳ ପଡ଼ିଗଲା । ଫଳରେ, ଲୋକମାନେ ଯେମିତି ଆଗରୁ ନାମଫଳକରେ ଇଂରାଜୀ ବ୍ୟବହାର କରୁଥିଲେ ଏବେ ବି ସେମିତି କରୁଛନ୍ତି । ଓଡ଼ିଆ ଭାଷା ପ୍ରତି ଥିବା ଦାୟିତ୍ବବୋଧ ତ ଦୂରେଥାଉ, ଆଇନରେ ବ୍ୟବସ୍ଥା ହେଲାପରେ ବି ସରକାରଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।୨୦୧୪ ଆଜିର ଦିନରେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ପାଇବା ପରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ଭାଷା ସଂସ୍ଥାନ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ସ୍ଥାପିତ ହୋଇଛି। ଏଠାରେ ନିଯୁକ୍ତ ଗବେଷକମାନେ ଓଡ଼ିଆ ଭାଷାର ପ୍ରାଚୀନ ଉପାଦାନ ଓ ଶାସ୍ତ୍ରୀୟ ଗ୍ରନ୍ଥକୁ ନେଇ ଭାଷାତାତ୍ତ୍ୱିକ ବିଶ୍ଳେଷଣ କରିଛନ୍ତି। ଓଡ଼ିଆ ଅଭିଲେଖ, ଚର୍ଯ୍ୟାପଦ, ମାଦଳାପାଞ୍ଜି, ରୁଦ୍ରସୁଧାନିଧି, ଚଉତିଶା ଓ ପ୍ରଥମ ଓଡ଼ିଆ ଅଭିଧାନ ଉପେନ୍ଦ୍ର ଭଞ୍ଜଙ୍କ ‘ଗୀତାଭିଧାନ’ ଆଦି ପ୍ରାଚୀନ ଗ୍ରନ୍ଥର ପାଠ ଅନୁଶୀଳନ କରି ପ୍ରତ୍ୟେକର ଶବ୍ଦ ବିଧାନ ପ୍ରସ୍ତୁତ କରାଯାଇଛି। ଏହା ପରେ ସେହି ଶବ୍ଦ ଉପାଦାନକୁ ଭାଷାବିଜ୍ଞାନ ଦୃଷ୍ଟିରୁ ଆଲୋଚନା କରି ତା’ର ଆଦିମ ଓ ମୌଳିକ ବୈଶିଷ୍ଟ୍ୟ ନିରୂପଣ କରାଯାଇ ପାରିବ। ଏସବୁ ଗବେଷଣା କାର୍ଯ୍ୟରୁ ପ୍ରସୂତ ଛ’ଟି ଗ୍ରନ୍ଥ ଆଜିର ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତରେ ଲୋକାର୍ପିତ ହେବ। ଏହିସବୁ ଗବେଷଣା କାର୍ଯ୍ୟର ରୂପରେଖ ବିଷୟରେ ଆଲୋଚନା କରିବା ପାଇଁ ଦୀର୍ଘ ପ୍ରବନ୍ଧର ପ୍ରୟୋଜନ। ବର୍ତ୍ତମାନ ଏଠାରେ ସଂକ୍ଷିପ୍ତ ଭାବରେ ଏକ ସୂଚନାତ୍ମକ ବିବରଣୀ ପ୍ରଦାନ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |