ଆଜି ଖୋଲିବ ମାର୍କେଟ ବିଲ୍ଡିଂ , ଉଚ୍ଛେଦ ହେବ ଉଠାଦୋକାନ

ଭୁବନେଶ୍ୱର, ୦୪/୦୫:  ଆଜି ଖୋଲିବ ମାର୍କେଟ ବିଲ୍ଡିଂ , ଉଚ୍ଛେଦ ହେବ ଉଠାଦୋକାନ । ବିଏମ୍‌ସି ଓ ପୁଲିସ୍‌ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତି ପରେ ଏହି ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀ ହଟାଇବା ଯୋଜନା ମଧ୍ୟ ହୋଇଛି ।  ଗତ ୫ ଦିନ ଧରି ମାର୍କେଟ ବିଲ୍ଡିଂ ବନ୍ଦ  ରହିଛି ।   ଏହି ବିବାଦର ସମାଧାନ ଲାଗି  ବିଏମ୍‌ସି ବୈଠକ ଡାକିଥିଲା । ବୁଧବାର ବିଏମ୍‌ସି ସହିତ ଅନୁଷ୍ଠିତ ବୈଠକ ପରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ବିଶେଷ କରି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ପୁଲିସ ପେଟ୍ରୋଲିଂ ଓ ବିଏମ୍‌ସିର ମିଳିତ ଚଢ଼ଉ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଏଏସ୍‌ଆଇ ଅଧିକାରୀ ଏହାର ସୁରକ୍ଷା ଦାୟିତ୍ୱରେ ରହିବେ । ପରେ ମାସକ ପର୍ଯ୍ୟନ୍ତ ଏହି ପେଟ୍ରୋଲିଂ ଚାଲୁ ରହିବ ।ଏଥିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସଦସ୍ୟମାନେ ଯୋଗଦେଇ ବିଭିନ୍ନ ଦାବି ରଖିଥିଲେ । ସଂଘ ଦାବି କରିଛି, କୌଣସି ପରିସ୍ଥିତିରେ ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂ ପରିସରରେ ପ୍ରବେଶ କରାଇ ଦିଆଯିବନି । ବିଏମ୍‌ସି ଉଠାଦୋକାନୀଙ୍କୁ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ବିଏମ୍‌ସି ପକ୍ଷରୁ ପ୍ରତିଦିନ ଉଚ୍ଛେଦ କରାଯିବ । ଉଠାଦୋକାନୀ ବସିବା ମାତ୍ରେ ସେମାନଙ୍କୁ ସଙ୍ଗେ ସଙ୍ଗେ ଉଠାଇ ଦିଆଯିବ । ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଜଣେ ଏଏସ୍‌ଆଇ ର‌୍ୟାଙ୍କ୍‌ର ଅଧିକାରୀ ମାର୍କେଟ ବିଲ୍ଡିଂ ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ବିଏମ୍‌ସିର ୨ଜଣ ଅଧିକାରୀ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି । ବିଏମ୍‌ସି ଠାରୁ ପ୍ରତିଶ୍ରୁତି ପାଇବା ପରେ ଆସନ୍ତାକାଲିଠୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ ଜେନା ସୂଚନା ଦେଇଛନ୍ତି ।   ସେପଟେ ଜିଦ୍‌ରେ ଅଟଳ ଅଛନ୍ତି ଉଠାଦୋକାନୀ । ମାର୍କେଟ ବିଲ୍ଡିଂ ଖୋଲିଲେ ସେମାନେ ଦୋକାନ ଖୋଲିବେ ବୋଲି ସିଧା ସିଧା କହିଛନ୍ତି । ଫଳରେ ଆସନ୍ତାକାଲି ଉତ୍ତେଜନା ପ୍ରକାଶ ପାଇବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଡେପୁଟି କମିଶନର କମଲଜିତ୍‌ ଦାସ କହିଛନ୍ତି, ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂ ପରିସରରେ ପ୍ରବେଶ ଉପରେ ରୋକ ଲାଗିବ । କେବଳ ସ୍ଥାୟୀ ଦୋକାନ ହିଁ ଖୋଲିବ । ସେହିଭଳି ମାର୍କେଟ ବିଲ୍ଡିଂ ପ୍ରବେଶ ପଥରେ ଥିବା ଦୋକାନୀଙ୍କ ପାଇଁ କଡ଼ା ନିୟମ ଲାଗୁ କରାଯାଇଛି । ରାସ୍ତାରେ ଏକ ହଳଦିଆ ରଙ୍ଗର ଗାର ଟଣା ହୋଇଛି । ସେହି ଲକ୍ଷ୍ମଣ ରେଖା ଭିତରେ ରହି ବିକ୍ରିବଟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: