ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା

ମାଉଣ୍ଟ ମୋଙ୍ଗନୁଇ ୨୦/୧୧: ଆଜି ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଦ୍ୱିତୀୟ ମ୍ୟାଚ୍ । ଓଭାଲ୍‌ରେ ଭାରତୀୟ ସମୟ ଦିନ ୧୨ଟାରେ ମ୍ୟାଚ୍ ଆରମ୍ଭ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ୱେଲିଙ୍ଗଟନ୍‌ରେ ଥିବା ମ୍ୟାଚ୍‌ରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା ।  ତେବେ ଆଜି ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ସେମିଫାଇନାଲ୍ ରାଉଣ୍ଡରେ ପରାଜୟ ଲାଭ କରିବା ପରେ ଏବେ ଏହି ସିରିଜ୍ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱ ରଖୁଛି । ନ୍ୟୁଜିଲାଣ୍ଡ ଟିମ୍‌ରେ ଫିନ୍ ଆଲେନ୍, କେନ୍ ଓ୍ୱିଲିୟମସନ୍‌ଙ୍କ ଭଳି ଖେଳାଳି ଥିବା ବେଳେ ଭାରତ ମଧ୍ୟ ଯୁବ ବାହିନୀଙ୍କୁ ଟିମ୍‌ରେ ସାମିଲ କରିଛି । ଦଳରେ କୌଣସି ସିନିୟର ଖେଳାଳି ନାହାନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ନିର୍ଭୟରେ ଖେଳିବାକୁ ଗୁରୁତ୍ୱ ଦେଉଛି । ପ୍ରତ୍ୟେକ ସିନିୟର ଖେଳାଳିଙ୍କ ବିକଳ୍ପ ଏହି ଯୁବ ଦଳରେ ରହିଛନ୍ତି । ସମସ୍ତେ ପୂର୍ବରୁ ନିଜ ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ରୋହିତ ଓ ରାହୁଲଙ୍କ ସ୍ଥାନରେ ଇଶାନ କିଷନ ଓ ଶୁଭମନ ଗିଲ୍‌ ଓପନ୍‌ କରିବାକୁ ପ୍ରସ୍ତୁତ । କୋହଲିଙ୍କ ୩ନଂ ସ୍ଥାନ ପାଇଁ ଶ୍ରେୟାସ ଆୟର, ସଞ୍ଜୁ ସାମସନ ଓ ଦୀପକ ହୁଡ଼ାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।ବିସ୍ଫୋରକ ବ୍ୟାଟିଂକୁ ନେଇ ଗତ କିଛି ବର୍ଷ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ରିଷଭ ପନ୍ତ ଏହି ସିରିଜର ସମସ୍ତ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢି ଯାଇଛି । ଆସନ୍ତା କାଲି ୩୦ ରନ୍‌ କଲେ ସେ ୧୧ତମ ଭାରତୀୟ ଭାବେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ୧୦୦୦ ରନ୍‌ ପୂରଣ କରିବେ । ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବା ସ୍ୱାଭାବିକ । ଗତ ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନ ସ୍ମରଣୀୟ ରହିଥିଲା । ସେ ଚଳିତ ବର୍ଷ କେବଳ ଟି-ଟ୍ୱେଣ୍ଟିରେ ସର୍ବାଧିକ ୬୦ଟି ଛକା ମାରି ସାରିଛନ୍ତି । ଅକ୍ଷର ପଟେଲଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ଭାବେ ଖେଳିବେ । ନୂଆ ବଲ୍‌ରେ ବୋଲିଂ କରିବାର କୌଶଳ ସୁନ୍ଦରଙ୍କ ନିକଟରେ ରହିଛି ।

ସମ୍ଭାବ୍ୟ ଦଳ

ଭାରତ : ଇଶାନ କିଷନ, ଶୁଭମନ ଗିଲ୍‌, ଶ୍ରେୟାସ ଆୟର/ସଞ୍ଜୁ ସାମସନ/ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ୱାସିଂଟନ ସୁନ୍ଦର, ହର୍ଷଲ ପଟେଲ/ଉମ୍ରାନ ମଲିକ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ : ଫିନ ଆଲେନ, ଡେଭନ କନୱେ, କେନ ୱିଲିୟମସନ(ଅଧିନାୟକ), ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଟିମ ସାଉଦି, ଆଇସ ସୋଧି, ଆଡାମ ମିଲନେ, ଲୋକି ଫର୍ଗୁସନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: