ଭୁବନେଶ୍ୱର,୦୨/୦୬:ଆଜି ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ ପ୍ରଶିକ୍ଷଣ କର୍ମଶାଳା କିଟ୍ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ହେବ । ଆଜି ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଓଡ଼ିଶାରେ ନବନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିମାନଙ୍କୁ ନେଇ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କର୍ମଶାଳାର ଆୟୋଜିତ ହୋଇଛି । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ ସରପଞ୍ଚ ଯୋଗଦେବେ । ରାଜ୍ୟରେ ନିର୍ବାଚିତ ସମସ୍ତ ୧ ଲକ୍ଷ ୬ ହଜାର ୩୫୨ ପଞ୍ଚାୟତ ଜନପ୍ରତିନିଧିଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଜିଲ୍ଲା ପରିଷଦ ସଭାପତିଙ୍କ ନିମନ୍ତେ ୨ ଦିନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସଦସ୍ୟଙ୍କ ପାଇଁ ୩ ଦିନ, ସରପଞ୍ଚଙ୍କ ଲାଗି ୫ ଦିନ ଏବଂ ୱାର୍ଡ ସଦସ୍ୟ ୩ ଦିନ ପ୍ରଶିକ୍ଷଣ ନେବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକ ଆଗାମୀ ଦିନରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ । ଏହି ପ୍ରଶିକ୍ଷଣ କର୍ମଶାଳାରେ ସାମଗ୍ରିକ ଆଭିମୁଖ୍ୟକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ବିକାଶ, କ୍ରୀଡା ଓ ଯୁବସେବା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟ କଲ୍ୟାଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ଆଲୋଚନା କରାଯିବ । ଉଦ୍ଘାଟନୀ କର୍ମଶାଳାରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ବ୍ୟତୀତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିବେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |