ଭୁବନେଶ୍ୱର,୨୯।୩ : ଆଜି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜ ଆଜି ରୁକୁଣା ରଥରେ ଶୋଭା ପାଇବେ । ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରର ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ଘର (ରାମେଶ୍ବର ମନ୍ଦିର)। ରଥରେ ଦେବଦେବ ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ବିଜେ କରିବେ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ) ଓ ଦେବୀ ରୁକୁଣା ବା ରୁକ୍ମିଣୀ। ୬ ଦିନ ପାଇଁ ନିଜ ମନ୍ଦିର ଓ ପତ୍ନୀ ଦେବୀ ପାର୍ବତୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମାଉସୀ ଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରାମେଶ୍ବର ମନ୍ଦିରରେ ମାଉସୀ ଘରେ ହେବ ହରି-ହର ଭେଟ। ମାନ କରିବେ ମା’ ପାର୍ବତୀ। ରାଗରେ ରଥ ଭାଙ୍ଗିବେ।ମହାପ୍ରଭୁ ଲିଙ୍ଗରାଜଙ୍କ ରଥ ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ରଥ ପଥ । ଏହାକୁ ଦୃଷ୍ଟିରେ ରଖି ଏକାମ୍ରକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରିଛି ପ୍ରଶାସନ । ସେହିପରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତ ରହିଛନ୍ତି କର୍ମୀ । ତେବେ ଏକାମ୍ର କ୍ଷେତ୍ରରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଅନ୍ୟାନ୍ୟ ରୀତିନୀତି ମଧ୍ୟ ସମାପନ ହେବା ଉପରେ ପ୍ରସ୍ତୁତି ଶେଷ ହୋଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରୁ ରୁକୁଣା ରଥ ବାହାରି ମାଉସୀମା’ ମନ୍ଦିର ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି ।ଏମିତିକି ପ୍ରତ୍ୟାବର୍ତ୍ତନ ବେଳେ ମନ୍ଦିର କବାଟ କିଳି ଦିଅନ୍ତି। ପରେ ମାନଭଞ୍ଜନ କରିବେ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ପୁଣି ମହାଦେବଙ୍କୁ ପାଛୋଟି ନେବେ ମନ୍ଦିରକୁ। ପ୍ରଭୁ ଲିଙ୍ଗରାଜଙ୍କ ଏହି ଦିବ୍ୟ ଲୀଳାଖେଳା ଦର୍ଶନ ପାଇଁ ସବୁ ବର୍ଷ ଭଳି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ତେଣୁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |