ଆଜି ବାରବାଟୀ ଷ୍ଟାଡିୟମ୍ ରେ ନେଟ୍ସ ପ୍ରାକ୍ଟିସ୍ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି

କଟକ, ୧୧|୦୬ : ରବିବାର ବାରବାଟୀରେ ଟି-ଟ୍ବେଣ୍ଟି ଟକ୍କର । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ୍ ଆୟୋଜନ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ ହୋଇସାରିଛି ।  ଏଥି ପାଇଁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ଭୁବନେଶ୍ୱର ବିମାନବନ୍ଦର ଓ ହୋଟେଲରେ ପହଞ୍ଚିଲା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।   ଖେଳାଳିମାନେ ଶୁକ୍ରବାର ସଂପୂର୍ଣ୍ଣ ରୂପେ ବିଶ୍ରାମ ନେଇଥିଲେ । ଆଜି ଉଭୟ ଦଳ ବାରବାଟୀ ପିଚ୍ ଦେଖିବାକୁ ଯିବେ । ଦକ୍ଷିଣ ଆଫ୍ରିକା ଟିମ୍ ପୂର୍ବାହ୍ନ ସାଢ଼େ ୧୧ଟାରେ ହୋଟେଲ ଛାଡ଼ି ବାରବାଟୀ ଯିବେ । ସେଠାରେ ସେମାନେ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା ପାଇଁ ସୂଚୀ ରହିଛି । ସେହିଭଳି ଭାରତୀୟ ଦଳ ଅପରାହ୍ନ ୩ଟାରେ ହୋଟେଲ ଛାଡ଼ି ସନ୍ଧ୍ୟା ୫ଟାରୁ ୮ଟା ଯାଏଁ ଅଭ୍ୟାସ କରିବେ ବୋଲି କୁହାଯାଇଛି ।ଶନିବାର ପାଗ ମେଘୁଆ ରହିଛି । ଯେହେତୁ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା ରହୁଛି ସେଥିପାଇଁ ବର୍ଷାକୁ ଦୃଷ୍ଟିରେ ରଖି ବାରବାଟୀ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।ଲଣ୍ଡନରୁ ଅଣାଯାଇଥିବା ଗ୍ରାଉଣ୍ଡ କଭରକୁ ଆଜି ପୁଣି ଥରେ ପଡ଼ିଆ ଭିତରେ ଢ଼ାଙ୍କିବାର ଅଭ୍ୟାସ କରିଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ । ତେବେ ମ୍ୟାଚର ୨୪ଘଣ୍ଟା ପୂର୍ବରୁ କିପରି ସ୍ପାଇଡର କ୍ୟାମେରା ଇନଷ୍ଟଲ ହୋଇପାରିବ ସେଥିପାଇଁ ସ୍ବତନ୍ତ୍ର ଟିମ୍ ଆଜିଠାରୁ ତା’ର କାମ ଆରମ୍ଭ କରିଦେଇଛି । ଯଦିଓ ବାରବାଟୀ ମୁକାବିଲା ଲାଗି ଦର୍ଶକ ଗ୍ୟାଲେରୀଗୁଡ଼ିକ ପ୍ରସ୍ତୁତ ହୋଇସାରିଛି ତଥାପି ଭି.ଆଇପିଙ୍କ ବସିବା ଲାଗି ପଡ଼ିଆ ଭିତରେ ସ୍ବତନ୍ତ୍ର ଆୟୋଜନ କରାଯାଉଛି । ସେପଟେ ଭୁବନେଶ୍ବର ହୋଟେଲ ମେ’ଫେୟାରରୁ କଟକ ବାରବାଟୀକୁ ନେବା ଆଣିବା ସମୟରେ ସୁରକ୍ଷାକୁ ଗୁରୁତ୍ବ ଦେଇଛି କମିଶନରେଟ୍ ପୋଲିସ । ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ କାରକେଡ୍ ରିହାର୍ସାଲ କରାଯାଇଛି । ଖେଳାଳିଙ୍କ ସୁରକ୍ଷାରେ ଯେଭଳି କୌଣସି ବି ତ୍ରୁଟି ନହୁଏ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସେହିଭଳି ବାରବାଟୀ ମ୍ୟାଚ୍କୁ ନେଇ ପୋଲିସ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ନିୟୋଜିତ ପୋଲିସ କର୍ମଚାରୀମାନେ ନିଜ ଦାୟିତ୍ବରେ ଅବହେଳା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: