ବାଲେଶ୍ୱର ୧୬/୦୬: ଆଜି ବାଲେଶ୍ୱର ବନ୍ଦ| ଏସପିଙ୍କ ବଦଳି ଦାବିରେ ବାଲେଶ୍ୱର ସହରରେ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱରର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିବ । ବାଲେଶ୍ୱର ବାର ଆସୋସିଏସନ, ନାଗରିକ ମଞ୍ଚ, ସିଭିଲ ସୋସାଇଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସିପିଆଇ(ଏମ), କଂଗ୍ରେସ, ବିଜେପି ଓ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଦୃଢ ସମର୍ଥନ ରହିଛନ୍ତି। ଯାହାଫଳରେ ଆଜି ୧୨ ଘଣ୍ଟା ପାଇଁ ବାଲେଶ୍ୱର ସହର ବନ୍ଦ ରହିବ । ଏହାର ପ୍ରଭାବରେ ଆଜି ସକାଳୁ ସହରର ଦୋକାନ ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଥିବା ଦେଖିବାକୁ ମିଳୁଛି ।ଏଥିପାଇଁ ସକାଳୁ ବିଭିନ୍ନ ଛକରେ ରାସ୍ତ ରୋକ କରିବା ସହ ପିକେଟିଂ ଜାରି ରହିଛି। ବାଲେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଅପରାଧିକ କାର୍ଯ୍ୟକଳାପ ରୋକିବାରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରାୟତଃ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍, ଡକାୟତି, ଛିନ୍ତାଇ ହେଉଛି । କଥା କଥାକେ ଖଣ୍ଡା, ଭୁଜାଲି ବୁଲୁଛି । ଏପରି ସ୍ଥିତିରେ ପୁଲିସ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଶୀତତାପ ନିୟନ୍ତ୍ରିତ କୋଠରୀରେ ଚୁପ୍ ବସିଛନ୍ତି ବୋଲି ବହୁ ସଂଗଠନ ଆରୋପ ଆଣି ବାଲେଶ୍ୱର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |