ଆଜି ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମର ଲୋକାର୍ପଣ

ରାଉରକେଲା,୧୦ା୩ : ଆଜି ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ | ହକି ପ୍ରୋ-ଲିଗ୍‌ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ରାଉରକେଲାରେ ଅପରାହ୍ନ ୫ଟା ୨୦ରେ ପହଞ୍ଚିବେ। ବିମାନବନ୍ଦରରୁ ସିଧାସଳଖ ବିର୍ସା ଛକରେ ପ୍ରାୟ ୧୨୪ କୋଟିରେ ନିର୍ମିତ ଅତ୍ୟାଧୁନିକ ଆଥ୍‌ଲେଟିକ୍‌ ଷ୍ଟାଡିୟମକୁ ଲୋକାର୍ପଣ କରିବେ। ପରେ ସନ୍ଧ୍ୟା ୬ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମ ନିକଟରେ ନିର୍ମିତ ବିଶ୍ବକପ୍‌ ଗ୍ରାମକୁ ଫେରିଆସି ସେଠାରେ କିଛି ସମୟ ବିତାଇବେ। ଏହାପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଭାରତ-ଜର୍ମାନୀ ଉଦ୍‌ଘାଟନୀ ମୁକାବିଲାର ଶୁଭାରମ୍ଭ କରିବେ। ନିକଟ ଅତୀତରେ ଏହି ଷ୍ଟାଡିୟମ ବିଶ୍ବର ସର୍ବବୃହତ୍‌ ସିଟ୍‌ ବିଶିଷ୍ଟ ହକି ଷ୍ଟାଡିୟମ ଭାବେ ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ‌୍ସ’ରେ ସ୍ଥାନିତ ହୋଇଥିଲା। ଏହାର ପ୍ରମାଣପତ୍ରକୁ ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ହସ୍ତାନ୍ତର କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ବିଶ୍ବକପ୍‌ ଗ୍ରାମରେ ରାତ୍ରୀଯାପନ କରିବେ। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ସାଧାରଣସମ୍ପାଦକ ଭୋଳାନାଥ ସିଂହ, କ୍ରୀଡ଼ା ସଚିବ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!