ଭୁବନେଶ୍ବର,୨୦ା୩: ଆଜି ବିଶ୍ବ ପଖାଳ ଦିବସ। ଏହାକୁ ନେଇ ଗାଁଠୁ ସହର, ରାସ୍ତାକଡ଼ ହୋଟେଲଠୁ ପଞ୍ଚତାରକା ହୋଟେଲ ସବୁଠି ପଖାଳର ପସରା। ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ସୋମବାର ବିଶ୍ୱରେ ଥିବା ଓଡ଼ିଆମାନେ ପଖାଳ ଦିବସ ପାଳନ କରିବେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ପଖାଳକୁ ଜିଆଇ ଟ୍ୟାଗ୍ ମିଳିପାରିନାହିଁ। ସମାଜରେ କେବଳ ପଖାଳକୁ ବଞ୍ଚାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। କେବଳ ଆମ ରାଜ୍ୟରେ ନୁହେଁ, ବରଂ ଦେଶବିଦେଶରେ ବି ପଖାଳ ଦିବସ ପାଳିତ ହେଉଥିବାର ସୂଚନା ରହିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। କେବଳ ହୋଟେଲ, ରେସ୍ତୋରାଁ ନୁହେଁ, ବରଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେଉଛି।ରାଜଧାନୀରେ ବିଧାୟକ ସୁରେଶ ରାଉତରାୟ ନିଜ ବାସଭବନରେ ସକାଳୁ ସକାଳୁ ପଖାଳ ଦିବସ ପାଳନ କରିଛନ୍ତି। ସେ ଅନେକ ଲୋକଙ୍କ ପାଇଁ ପଖାଳ ଖାଇବାର ଆୟୋଜନ କରିଛନ୍ତି। ଖାଲି ସେତିକି ନୁହେଁ, ସହିଦ ନଗର ପୂଜା କମିଟି ପକ୍ଷରୁ ବି ଆୟୋଜିତ ହୋଇଛି ପଖାଳ ଦିବସ। ଏଥିପାଇଁ ପଖାଳ ସହିତ ବିଭିନ୍ନ ପ୍ରକାରର ଭଜା, ଆଳୁ ଭର୍ତ୍ତା, ବଡ଼ିଚୁରା, ଶାଗ ଭଜା, ପୋଦିନାପତ୍ର ଚଟଣି, କଲରା ଚିପ୍ପ, ସଜନା ଛୁଇଁ ଆଳୁ ବେସର, ବାଇଗଣ ଭଜା, ଆଚାର, ପାମ୍ପଡ, କାକୁଡି ସାଲାଡ଼ ଆଦିର ବ୍ୟବସ୍ଥା ହୋଇଛି। ରାଜ୍ୟର ବିଭିନ୍ନ ଛୋଟ ବଡ଼ ହୋଟେଲରେ ବି ପଖାଳ ସାଙ୍ଗକୁ ଭେଜ୍ ଓ ନନଭେଜ୍ ଆଇଟମ ଖାଇବାକୁ ଦିଆଯିବ। ବାସ୍ତବରେ ଏହାକୁ ଜିଆଇ ଟ୍ୟାଗ୍ ମିଳିବା ଆବଶ୍ୟକ ବୋଲି ସହରବାସୀ ମତପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ କହିଛନ୍ତି, ବର୍ତ୍ତମାନ ସମୟରେ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିରେ ଦ୍ୱିମତ ନାହଁ। ଦୁନିଆରେ ଯେଉଁଠାରେ ବି ଓଡ଼ିଆ ଲୋକମାନେ ରହୁଛନ୍ତି, ସେଠାରେ ସେମାନେ ପଖାଳ ଖାଉଥିବେ। କିନ୍ତୁ ଆଜିପର୍ଯ୍ୟନ୍ତ ପଖାଳକୁ ଏକ ମାନ୍ୟତା ମିଳିବା ଦିଗରେ ବିଳମ୍ବ ହେଉଛି। ଏହି ପ୍ରସଙ୍ଗକୁ ଚଳିତ ବିଧାନସଭାରେ ଉଠାଇବା ସହ କିପରି ସମସ୍ତ ବିଧାୟକ ଏନେଇ ସରକାରଙ୍କୁ ଅବଗତ କରାଇବେ, ସେ ଦିଗରେ ପଦକ୍ଷେପ ନିଆଯିବ। ସେହିପରି ଅଭିନେତା କୁନା ତ୍ରିପାଠୀ କହିଥିଲେ, ପଖାଳକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କୁ ଆଗକୁ ଆସିବା ଦରକାର। ଓଡ଼ିଆ ଜାତିର ସ୍ବାଭିମାନକୁ ଦୃଷ୍ଟିରେ ରଖି ପଖାଳକୁ ସରକାର ଜିଆଇ ଟ୍ୟାଗ୍ ଦେବାରେ ସହାୟତା କରନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |