ଝାରସୁଗୁଡ଼ା ,୩୧।୦୫ : ଆଜି ବ୍ରଜରାଜନଗର ଉପନିର୍ବାଚନ। । ପୋଲିଂ ଦଳ ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ୍ ଗ୍ରହଣ । ୫୦ ପ୍ରତିଶତ ବୁଥ୍ରେ ୱେବ୍କାଷ୍ଟିଂ କରାଯିବାକୁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ବୁଥ୍ରେ ଇଭିଏମ୍ ଯୋଗେ ମତଦାନ କରାଯିବ। ଗତକାଲି ପ୍ରଚାର ଶେଷ ହୋଇଥିଲା। ପ୍ରମୁଖ ତିନି ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ପ୍ରାଣମୂର୍ଚ୍ଛା ପ୍ରଚାର କରିଥିଲେ। ଭୋଟ୍ ଦେବେ ୨ଲକ୍ଷ ୧୪ହଜାର ୮୭୮ ଭୋଟର। ଭୋଟ ଗ୍ରହଣ ପାଇଁ ୨୭୯ ବୁଥ ହୋଇଛି । ଏଥର ୬୦ଟି ବୁଥ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡିଓଗ୍ରାଫି କରାଯାଉଛି । ଏଥର ମଇଦାନରେ ଦିବଙ୍ଗତ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡିରୁ ଲଢୁଥିବାବେଳେ ବିଜେପିରୁ ରାଧାରାଣୀ ଓ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ବାଚସ୍ପତି କିଶୋର ପଟେଲ ମଇଦାନରେ ଅଛନ୍ତି। ତିନିଦଳ ବିଜୟୀ ହେବାର ଆଶା ବାନ୍ଧିଥିବାବେଳେ ଆସନ୍ତାକାଲି ମତଦାତା ହିଁ ସ୍ଥିର କରିବେ କାହା ମୁଣ୍ଡରେ ବନ୍ଧାଯିବ ଶିରିପା। ଶୃଙ୍ଖଳିତ ମତଦାନ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆସନ୍ତା ୩ରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।ସେହିଭଳି ୫ଟି ପିଙ୍କ୍ ବୁଥ, ୩୦ଟି ଆଦର୍ଶ ବୁଥ କରାଯାଇଛି । ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଏଥର ବୁଥ୍ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନ ମୁତୟନ କରାଯାଇଛି । ପ୍ରବଳ ଖରାକୁ ନଜରରେ ରଖି ବୁଥ ଗୁଡ଼ିକରେ ପାନୀୟ ଜଳ ସହ ଓଆରଏସ୍ ପ୍ୟାକେଟ୍ ରଖିବାର ବ୍ୟବସ୍ଥା ହୋଇଛି । ଏଥି ସହ ପ୍ରତିବୁଥରେ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି ।ସେହିପରି ସୁରକ୍ଷା ଦୃଷ୍ଟିରୁ ଛତିଶଗଡ଼ ସୀମାକୁ ମଧ୍ୟ ସିଲ୍ କରାଯିବା ସହ ଝାରସୁଗୁଡ଼ାର ଜିଲ୍ଲାକୁ ସମସ୍ତ ପ୍ରବେଶ ପଥରେ ପୋଲିସର କଡ଼ା ପହରା ଦେଖିବାକୁ ମିଳୁଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସହ ପ୍ରାୟ ୧ ହଜାର ପୋଲିସ କର୍ମୀଚାରୀଙ୍କୁ ନିୟୋଜିତ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |