ନୂଆଦିଲ୍ଲୀ,୧୭ା୩ : ଆଜିଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା। ୧୭, ୧୯ ଓ ୨୨ ତାରିଖରେ ଖେଳାଯିବ ୩ଟି ମ୍ୟାଚ୍ । ତେବେ ହୋମଗ୍ରାଉଣ୍ଡରେ କଙ୍ଗାରୁ ଟିମ୍ କୁ ଧୂଳି ଚଟାଇବାକୁ ନେଟ୍ ପ୍ରାକ୍ଟିସ କରୁଛି ଦଳ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଦିନିକିଆ ସିରିଜରେ ପ୍ୟାଟ୍ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆର ନେତୃତ୍ବ ନେବେ ସ୍ମିଥ୍ । ମାଅଙ୍କ ଦେହାନ୍ତ କାରଣରୁ ଟେଷ୍ଟ ସିରିଜରୁ ଅଧାରୁ ସ୍ବଦେଶ ଫେରିଯାଇଥିବା କମିନ୍ସ । ସେପଟେ ଡେଭିଡ୍ ୱାର୍ଣ୍ଣର ଦିନିକିଆ ଦଳକୁ ଫେରିବେ। ଅଷ୍ଟନ୍ ଅଗର ମଧ୍ୟ ପ୍ରତ୍ୟାବର୍ତନ କରିବା ସହ ଆଦାମ ଜାମ୍ପାଙ୍କ ସହ ସ୍ପିନ୍ ଭୂମିକା ସମ୍ଭାଳିବେ ।ଦୁଇ ବରିଷ୍ଠ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମିଚେଲ୍ ମାର୍ସ ମଧ୍ୟ ଏହି ଶୃଙ୍ଖଳାରେ ଦଳକୁ ଫେରିଛନ୍ତି। ଅନ୍ୟପଟେ ପ୍ରଥମ ଦିନିକିଆରେ ଖେଳିବେନି ଭାରତର ଅଧିନାୟକ ରୋହିତ ଶର୍ମା । ତାଙ୍କ ବଦଳରେ ନେତୃତ୍ବ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହା ପୂର୍ବରୁ ହାର୍ଦ୍ଦିକ ଭାରତୀୟ ଟି-ଟି୨୦ ଦଳର ନେତୃତ୍ଵ ନେଇ ସାରିଛନ୍ତି । ତେବେ ଦ୍ବିତୀୟ ଦିନିକିଆଠୁ ରୋହିତ ଶର୍ମା ଦଳକୁ ଫେରିବା । ପ୍ରଥମ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍ ମାର୍ଚ୍ଚ୨୨ରେ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିଅମରେ ଖେଳାଯିବ ।ଭାରତ-ଅଷ୍ଟ୍ରେଲିଆ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳାର ଅନ୍ତଃ ବିନା ରୋମାଞ୍ଚରେ ହୋଇଛି। ଘରୋଇ ଭାରତ ଏହି ଶୃଙ୍ଖଳାକୁ ୨-୧ରେ ଜିତିବାରେ ସଫଳ ହୋଇଛି। କ୍ରିକେଟ୍ପ୍ରେମୀଙ୍କ ଦୃଷ୍ଟି ଏବେ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳା ଉପରେ। ଭାରତରେ ଚଳିତବର୍ଷ ଦିନିକିଆ ବିଶ୍ବକପ୍ ଥିବାରୁ ଉଭୟ ଦଳ ଏହି ଶୃଙ୍ଖଳାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ଭାରତୀୟ ଦଳ ଟେଷ୍ଟର ବିଜୟଧାରା ଦିନିକିଆରେ ବଜାୟ ରଖିବାକୁ ଚାହୁଁଥିବା ବେଳେ ଅଷ୍ଟ୍ରେଲିଆ ପ୍ରତିଶୋଧ ଲକ୍ଷ୍ୟରେ ଖେଳିବ। ଟେଷ୍ଟ ଶୃଙ୍ଖଳା ପରି ଏହି ଶୃଙ୍ଖଳାରେ ଆଇସିସି ମାନ୍ୟତାରେ ପ୍ରଥମ ୨ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରେ ମୁକାବିଲା ହେବ। ଫରକ ଏତିକି ଯେ ଟେଷ୍ଟରେ ଅଷ୍ଟ୍ରେଲିଆ ୧ନଂ ଦଳ ଥିବା ବେଳେ ଦିନିକିଆରେ ଭାରତ ୧ନଂ ଦଳ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |