ରାୟପୁର,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଦ୍ବିତୀୟ ଦିନିକିଆ ଶନିବାର ଖେଳାଯିବ। ଏହି ମ୍ୟାଚ୍ ସହିତ ରାଏପୁର ଦେଶର ୫୦ତମ ଦିନିକିଆ ଅନ୍ତର୍ଜାତୀୟ ଗ୍ରାଉଣ୍ଡ୍ ହେବ। ପ୍ରଥମ ଦିନିକିଆକୁ ୧୨ ରନ୍ରେ ଜିତି ଶୃଙ୍ଖଳାରେ ୧-୦ରେ ଆଗୁଅ ରହିଛି ଭାରତ। ଶନିବାର ଏଠାରେ ୨ୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି କ୍ରମାଗତ ୨ୟ ଶୃଙ୍ଖଳା ଜିତିବାକୁ ଭାରତ ନିଶ୍ଚିତ ଭାବେ ଫେଭରିଟ୍ ଅଛି। ପୁଣି ଭାରତ ଯଦି ଶୃଙ୍ଖଳାକୁ ୩-୦ରେ ପୋଛିନିଏ; ତେବେ ଆଇସିସି ଦିନିକିଆ ମାନ୍ୟତାରେ ୧ନଂ ଦଳ ହୋଇଯିବ। ପ୍ରଥମ ଦିନିକିଆରେ ଭାରତ ପରାଜୟରୁ ବର୍ତ୍ତି ଯାଇଥିଲା। ମାଇକେଲ ବ୍ରେସ୍ୱେଲ ଷ୍ଟ୍ରାଇକ୍ରେ ଥିବା ବେଳେ ୫ଟି ବଲ୍ରୁ ୧୩ ରନ୍ ଅସମ୍ଭବ ନଥିଲା। ତେବେ ମହମ୍ମଦ ସିରାଜ୍ ଓ ସାର୍ଦୁଳ ଠାକୁର ଶେଷ ଆଡ଼କୁ ଭଲ ବୋଲିଂ କରିବାରୁ ଭାରତ ମ୍ୟାଚ୍ ଜିତି ପାରିଥିଲା। ୩୫୦ ରନ୍ର ପିଛା କରୁଥିବା ନ୍ୟୁଜିଲାଣ୍ଡ ୧୩୧ ରନ୍ରେ ୬ଟି ୱିକେଟ ହରାଇବା ସତ୍ତ୍ବେ ଭାରତକୁ ମ୍ୟାଚ୍ ବଞ୍ଚାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିବା ଏହାର ବୋଲିଂ ଦୁର୍ବଳତା ପ୍ରମାଣିତ କରୁଛି। ବ୍ରେସ୍ୱେଲ୍ ଓ ମିଚେଲ ସାଣ୍ଟ୍ନର ଯେପରି ଭାବେ ଭାରତୀୟ ବୋଲରଙ୍କୁ ନିୟମିତ ବାଉଣ୍ଡରୀକୁ ପଠାଇ ପାରିଥିଲେ; ତାହା ଦ୍ରାବିଡ଼-ରୋହିତ ଯୋଡ଼ିଙ୍କୁ ଚିନ୍ତାରେ ନିଶ୍ଚୟ ପକାଇଥିବ। ଏଥିରେ ଉନ୍ନତି କରିବାକୁ ଭାରତ ଚାହିଁବ। ବ୍ୟାଟିଂର ଭାରତ ଭଲ ପ୍ରଦର୍ଶନ କରୁଛି। ଶୁବ୍ମାନ ଗିଲ୍ କ୍ରମାଗତ ୪ର୍ଥ ଦିନିକିଆରେ ସ୍କୋର୍କରିବା ଦଳକୁ ଉତ୍ସାହିତ କରିଛି। ରୋହିତ ଶର୍ମା ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ଏହାକୁ ବଡ଼ ସ୍କୋର୍ରେ ପରିବର୍ତ୍ତନ କରି ନପାରିବା ନିଶ୍ଚୟ ଚିନ୍ତାର ବିଷୟ। ପ୍ରଥମ ମ୍ୟାଚ୍ରେ ବିରାଟ କୋହଲି ବିଫଳ ହୋଇଥିଲେ ହେଁ ସେ ଏବେ ଚମତ୍କାର ଫର୍ମରେ ଅଛନ୍ତି। ବ୍ୟାଟିଂ ବିଭାଗରେ ଭାରତ ସେଭଳି ପରିବର୍ତ୍ତନ କରିବାର ଆଶା କରାଯାଉନାହିଁ। ନ୍ୟୁଜିଲାଣ୍ଡକୁ ବୋଲିଂ ଦୁର୍ବଳତାର ଭରଣା ବ୍ୟାଟିଂ ଜରିଆରେ କରିବାକୁ ପଡ଼ିବ। ବିଶେଷକରି ଫର୍ମରେ ଥିବା ଡେଭନ୍ କନ୍ୱେ, ଅଧିନାୟକ ଟମ୍ ଲାଥାମ୍, ଡ୍ୟାରିଲ ମିଚେଲ ଓ ଗ୍ଲେନ୍ ଫିଲିପ୍ସଙ୍କୁ ଅଧିକ ସମୟ କ୍ରିଜ୍ରେ ବିତାଇବାକୁ ପଡ଼ିବ। ଉପମହାଦେଶରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିଥିବା ନ୍ୟୁଜିଲାଣ୍ଡ ଦୁର୍ବଳ ଦଳ ନୁହେଁ ବୋଲି ପ୍ରମାଣ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ରାୟପୁରର ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡ଼ିୟମେର ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଭାରତର ୫୦ତମ ଦିନିକିଆ ଅନ୍ତର୍ଜାତୀୟ ଭେନ୍ୟୁ ଭାବେ ଉକ୍ତ ଷ୍ଟାଡ଼ିୟମ ମାନ୍ୟତା ପାଇଛି। ୬୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଉକ୍ତ ଷ୍ଟାଡ଼ିୟମର ପିଚ୍ କାହାକୁ ସୁହାଇବ ସେ ଉପରେ ମଧ୍ୟ ନଜର ରହିବ।
ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଈଶାନ କିଶନ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ନ୍ୟୁଜିଲାଣ୍ଡ୍ ସମ୍ଭାବ୍ୟ ଏକାଦଶ: ଫିନ୍ ଆଲେନ୍, ଡେଭନ୍ କନୱେ, ହେନରି ନିକଲ୍ସ, ଡାରିଲ୍ ମିଚେଲ୍, ଟମ୍ ଲଥାମ (ୱିକେଟରକ୍ଷକ, ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସ୍ୱେଲ୍, ମିଚେଲ୍ ସାଣ୍ଟନର୍, ଈଶ ସୋଢ଼ି/ହେନରି ସିପଲେ, ଡଗ୍ ବ୍ରେସ୍ୱେଲ୍, ଲୋକି ଫର୍ଗୁସନ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |