ଆଜି ମଙ୍ଗନ,କାଲି ବିବାହ କରିବେ ବାବା ଆଖଣ୍ଡଳମଣି

ଆରଡି,୧୪/୬: ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ସୋମବାର ବୈଦିକ ରୀତିନୀତି ଅନୁଯାୟୀ ମଙ୍ଗଳପାଗ ନୀତି ସମ୍ପନ୍ନ ହୋଇଛି। ଅାସନ୍ତାକାଲି ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି। ହେଲେ ମହାମାରୀ କରୋନାର  ଭୟଭୟତାକୁ ନେଇ କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ସମାପନ କରିବା ପାଇଁ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ପରାମର୍ଶ ଦେଇଛନ୍ତି। ତାହାସହ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ ସମସ୍ତ ନୀତିକାନ୍ତି ସହ ବିବାହ କାର୍ୟ୍ୟ ଯେପରି ଶୃଙ୍ଖଳିତ ସହ ସମାପନ କରାଯିବ ସେଥିପାଇଁ ସମସ୍ତ କାର୍ୟ୍ୟର ତଦାରଖ କରୁଛନ୍ତି। ମଙ୍ଗଳପାଗ ନୀତି ନିମନ୍ତେ ସୋମବାର ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କନ୍ୟାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ ଆଲଟ, ଚାମର, ଘଣ୍ଟଘଣ୍ଟା ଦ୍ବାରା ନିଜ ଘରକୁ ନେଇ ଲୋକାଚାରରେ ୭ଜଣ ମହିଳାଙ୍କ ଦ୍ବାରା ହଳଦୀ, ଚନ୍ଦନ, ସୁବାଷିତ ଜଳ ଆଦିରେ ମଙ୍ଗୁଳା କାର୍ୟ୍ୟ ସମ୍ପନ୍ନ କରିଥିଲେ। ଏପଟେ ମନ୍ଦିରରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି ନୀତି ସରିବା ପରେ ହଳଦୀ, ଗନ୍ଧମଳା ଓ ସୁବାଷିତ ଜଳରେ ମଙ୍ଗୁଳା କାର୍ୟ୍ୟ ସମାପନ କରାଯାଇଥିଲା।ବିବାହ ଦିନ ଅର୍ଥାତ ମଙ୍ଗଳବାର ଭୋର ମଣିବାବାଙ୍କ ପହିଲି ପହୁଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳଆଳତୀ ସହ ସକିଳ ଧୂପ ସମାପନ କରାଯିବ। ଏହାପରେ ସକାଳ ୯ଟାରେ ଲୋକାଚାର ଓ ବୈଦିକ ରୀତିନୀତି ଅନୁଯାୟୀ ପାର୍ବତୀ ଭାଇ ରୂପେ ପବନପୁତ୍ର ହନୁମାନ ବରଧରା ବେଶରେ ଏକ ସୁସଜ୍ଜିତ ପାଲିଙ୍କିରେ ବିଜେ କରି ବରଙ୍କୁ ଅର୍ଥାତ ବାବା ଆଖଣ୍ଡଳମଣିଙ୍କୁ ବରଣୀ ନିମନ୍ତେ ଗମନ କରିବେ। ପରେ ଦିଅମଙ୍ଗୁଳା ନୀତି ସମାପନ ହେବା ପରେ ମଧ୍ୟାହ୍ନ ୧୨ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ହର ବର ବେଶରେ ପାଲିଙ୍କିରେ ବିଜେ କରି ବିବାହ ନିମନ୍ତେ ମନ୍ଦିର ଅଭିମୁଖେ ବାହାରିବେ। ଏହି ଅନନ୍ୟ ପରମ୍ପରା ଓ ରୀତିନୀତି ଅନ୍ୟ ଶୈବକ୍ଷେତ୍ରରେ ଦେଖିବାକୁ ମିଳିନଥାଏ ବୋଲି ମନ୍ଦିରର ବରିଷ୍ଠ ସେବାୟତ ବଙ୍କିମ ପାଢୀ, ଗୋକୁଳାନନ୍ଦ ପାଢୀ ପ୍ରମୁଖ କହିଛନ୍ତି। ହେଲେ କୋଭିଡ କଟକଣା ଯୋଗୁ ସୀମିତ ସେବାୟତଙ୍କ ମଧ୍ୟରେ ଏହି ବିବାହ କାର୍ୟ୍ୟ ସମ୍ପନ୍ନ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: