ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ: ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ୧୦/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆପଡ଼ା ଗସ୍ତରେ ଆସୁଛନ୍ତି । ତାଙ୍କ ସହିତ ଓଡ଼ିଶା ଶାସନର ୧୨ ଜଣ ମନ୍ତ୍ରୀ ଓ ବିଜେଡିର ୪୦ଜଣ ବିଧାୟକ ମଧ୍ୟ ଆସୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାୟ ୪ହଜାର କୋଟିର ୩୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରେ ରହିଛି ନୂଆପଡ଼ା ଜିଲ୍ଲାର ତିଖାଲିଠାରେ ନିର୍ମିତ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ସମୁଦାୟ ୧୯୨୫ କୋଟି ୬୩ ଲକ୍ଷ ଅଟକଳରେ ଉକ୍ତ ପ୍ରକଳ୍ପ ନିର୍ମିତ ହୋଇଛି । ତହିଁରୁ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୨୯ ହଜାର ୯ଶହ ହେକ୍ଟର ଜମିକୁ ଜଳସେଚନ ହେବାର ଲକ୍ଷ୍ୟ ରହିଛି । ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷାପରେ ଆସନ୍ତାକାଲି ତାହା ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ । ସେଥିପାଇଁ ନୂଆପଡ଼ାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିିଛି । ସୂଚନା ଅନୁସାରେ, ପୂର୍ବାହ୍ଣ ପ୍ରାୟ ୧୦ଟା ୪୦ରେ ନୂଆପଡ଼ା ବ୍ଲକ ଗୋତମା ଏୟାରଷ୍ଟ୍ରିପରେ ପହଞ୍ଚିବେ । ୧୦ଟା ୫୦ରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବାହାରି ୧୧ଟା ୧୦ରେ ଖଡ଼ିଆଳ ବ୍ଲକ ତିଖାଲିସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଡିଜିଟାଲ ଭାବେ ଉଦ୍‌ଘାଟନ କରିବେ । ପରେ ୧୧ଟା ୫୦ରେ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆଠାରେ ପହଞ୍ଚି ସାଧାରଣ ସଭାକୁ ସମ୍ବୋଧିତ କରିବେ । ସେଠାରୁ ୧୨ଟା ୩୦ରେ ଭୁବନେଶ୍ୱର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଲୋକାର୍ପିତ ହେବାକୁଥିବା ଲୋୟର ଇନ୍ଦ୍ର ପ୍ରକଳ୍ପରୁ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଓ ବୋଡେନ ବ୍ଲକରେ ୧୦ହଜାର ୯ଶହ ଓ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ତୁରକେଲା, ମୁରିବାହାଲ ବ୍ଲକର ୧୯ ହଜାର ହେକ୍ଟର ଜମି ଜଳସେଚିତ ହେବ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: