ସବୁଦିନ ଚାଲେ ଭଜନ କୀର୍ତ୍ତନ
ରାଜକନିକା,୭/୧ : ପ୍ରତିଦିନ ଗାଁରେ ଚାଲେ ଭଜନ କୀର୍ତ୍ତନ । ଗାଁ ଦାଣ୍ଡରେ ହେଁସ ମଶିଣା ପକାଇ ଗାଆଣ ବଜଣା କରନ୍ତି ଗ୍ରାମବାସୀ । ଏମିତି କେଉଁ ଦିନ ନାହିଁ ଯେକି ଗାଁରେ ଶୁଭିନାହିଁ ଭଜନ ସ୍ୱର । ଆଠ ମଠ ଷୋହଳ କବାଟ ଭାବେ ପରିଚିତ ରାଜକନିକା ବ୍ଲକ୍ର ଏକ ନିଆରା ଗାଁ ଝରମୁହଁ । ଗଞ୍ଜା ନଦୀର ଝର ମୁହଁରେ ଏହି ଗାଁ ଗଢ଼ି ଉଠିଥିବା କାରଣରୁ ଗାଁ ନାମ ଝରମୁହଁ । ମାଳିକାରେ ବର୍ଣ୍ଣିତ ଏହି ଗାଁରେ ରହିଛି ଆଠଗୋଟି ମଠ । ଭୁଜଗୋଳ ମଠ, କଳ୍ପତରୁ ମଠ, ଅରକ୍ଷିତ ମଠ, ଅଚ୍ୟୁତାନନ୍ଦ ମଠ, ହରିଦାସ ମଠ, ଭାଗବତଦାସ ମଠ, ପାଗଳା ବାବା ମଠ ଏବଂ ବୈରାଗୀ ଦାସ ମଠ । ଏହି ଆଠଟି ମଠର ଷୋହଳ କବାଟ ଗ୍ରାମବାସୀଙ୍କ ପାଇଁ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟିକରିଥାଏ । ଗ୍ରାମବାସୀମାନେ ସରଳ ମଣିଷ ଭାବେ ଜୀବନ ଜୀବିକା ନିର୍ବାହ କହିଥାନ୍ତି । ପିଲା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭଜନ କୀର୍ତ୍ତନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ନବଜାତକ ନାମକରଣ ଉତ୍ସବ, ଶବ ସତ୍କାର, ଏକାଦଶାହ, ଜନ୍ମ ଉତ୍ସବ, ବିବାହ, ବ୍ରତରେ କେବକ ନାମ ସଂକୀର୍ତ୍ତନ ହିଁ ଏକମାତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ।
ଏହା ସହିତ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଦେବସ୍ନାନ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ଷଠଶୀଳା ଏକାଦଶୀ,ଭୈମୀ ଏକାଦଶୀରେ ଗାଁରେ ରହିଥିବା ଅରକ୍ଷିତ ମଠରେ ସ୍ୱତନ୍ତ୍ର ଭାବେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୁଏ । ଗାଁରେ ରହିଥିବା ମଠ ମାନଙ୍କରେ ବସବାସ କହୁଥିବା ସାଧୁମାନଙ୍କ ଜୀବନ ଶୈଳୀରେ ଗ୍ରାମବାସୀମାନେ ବେଶ୍ ପ୍ରଭାବିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ସନ୍ଧ୍ୟାରୁ ମଠରେ ଆରମ୍ଭ ହୋଇଯାଏ ଭଜନ ଜଣାଣ । ଚୈତ୍ରପୂର୍ଣ୍ଣିମାରେ ଭୁଜଗୋଳ ମଠ ଆଗରେ ହୁଏ କୀର୍ତ୍ତନ । ଯାହାକି ୧୬ ପ୍ରକାର ବ୍ୟଞ୍ଜନ ପାଇଁ ଏହି ନାମ ସଂକୀର୍ତ୍ତନ ନିଜର ସ୍ୱତନ୍ତ୍ରତା ବହନ କରିଥାଏ । ସେହିଭଳି ଗ୍ରାମ ମଝିରେ ବୈଶାଖ ପୂର୍ଣ୍ଣମୀରେ ମଧ୍ୟ ଧର୍ମେଶ୍ୱର ମହାଦେବଙ୍କ ମନ୍ଦିର ଆଗରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି । ବହୁ ପୂର୍ବରୁ ସଜନ ଦାସଙ୍କ ଚାଟଶାଳୀ ପାଠ ଗାଁରେ ଶିକ୍ଷାର ଆଲୋକ ଆଣିଦେଇଥିଲା । ପରେ ପରେ ସ୍ୱନାମଧନ୍ୟ ଶିକ୍ଷକ ହୃଦାନନ୍ଦ ସାର୍ଙ୍କ ନିକଟରେ ପାଠ ପଢ଼ି ଅନେକ ଚାକିରୀ କରି ଆନନ୍ଦରେ ଜୀବନ ଅତିବାହିତ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥାଯେ, ଏହି ଗାଁରେ ପ୍ରାୟ ପ୍ରତିଘରେ ଜଣେ ଜଣେ ଶିକ୍ଷକଭାବେ ଚାକିରୀ କରି ରେକର୍ଡ଼ ସୃଷ୍ଟି କରିଛନ୍ତି । ଗାଁରେ ବହୁ ପ୍ରଧାନଶିକ୍ଷକ ଅବସର ନେଇସାରିଥିବା ବେଳେ ତରୁଣ ପିଢ଼ିର ଅନେକ ଯୁବକ ଯୁବତୀ ଶିକ୍ଷକତା ବୃତିରେ ରହିଛନ୍ତି । ଏହା ସହିତ ଅନେକ ଯୁବକ ବିଭିନ୍ନ ସରକାରୀ ଉଚ୍ଚ ପଦପଦବୀରେ ରହି ଗାଁର ମାନ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ, ବିଧାୟକ, ପରେଷ୍ଟ ଅଫିସର, ଡ଼ାକ୍ତର, ପୁଲିସ, ସୈନିକ, ଇଂଞ୍ଜିନିୟ ଠାରୁ ଆରମ୍ଭ କରି ବହୁ ଉଚ୍ଚ ପଦବୀରେ ଗ୍ରାମର ଯୁବକମାନେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଛୋଟ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ତବଲା, ଢ଼ୋଲକି, ମୃଦଙ୍ଗ, ହାରମୋନିୟମ ବଜାଇ ଗୀତ, ଛାନ୍ଦ ଏବଂ ଭଜନ ଗାନ କରିଥାନ୍ତି । ଏମିତିକି ଗାଁରେ ନାଟକରେ ଯୁବକମାନେ ମଧ୍ୟ ଭଲ ଅଭିନୟ କରିଥାନ୍ତି । କଳା, ସାହିତ୍ୟ, ସଂସ୍କୃତିରେ ଋଦ୍ଧିମନ୍ତ ଏହି ଗାଁ ଆଜି ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ । ଏହି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଜାମ୍ଭର ତରାଇ କହନ୍ତିଯେ, ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ବଞ୍ଚି ରହିଛି । ଗ୍ରାମବାସୀଙ୍କ ମଧ୍ୟରେ ଗୋଟିଏ ପରିବାର ଭଳି ଚଳିଆସୁଛନ୍ତି । ଭାଇବନ୍ଧୁ କୁଟୁମ୍ବଭଳି ଗ୍ରାମବାସୀମାନେ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |