ରାଜକନିକା,୨୦/୪(ଓଡ଼ିଆନ୍ ମିଡ଼ିଆ): ଆମ୍ବ ପାଇଁ ଏକାଠି ହୋଇଛନ୍ତି ସଭିଏଁ, ଗାଁର ୭ ବର୍ଷରୁ ୭୦ ବର୍ଷ ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ଦିନସାରା ଆଜି ଆମ୍ବ ପାଇଁ ଲାଗିରହିଥିଲା ଉତ୍ସାହ । ସତେ ଯେମିତି ଆମ୍ବକୁ ନେଇ ଗାଁ ଲୋକେ ପାଳନ କରୁଛନ୍ତି ଉତ୍ସବ । ଏମିତିକି ଏହି ଆମ୍ବକୁ ନେଇ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗାଁରେ ଚାଲିଥିଲା ଧାଁ ଦୈଡ଼ । ଆମ୍ବ ଗଛରୁ ଆମ୍ବ ପରାଠାରୁ ଆମ୍ବକୁ ପ୍ରତି ପରିବାର ପିଛା ଭାଗ ବଣ୍ଟା । ତାହାପୁଣି ଗଣ୍ଡା ପଣ ହିସାବରେ । ଆମ୍ବ ପାଇଁ ରବିବାର ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାର ଐତିହ୍ୟ ସମ୍ପନ୍ନ ଗାଁ ତରାସ, ଗଭାଡ଼ିଆ ଗାଁରେ । କାହିଁ କେଉଁ ଦିନରୁ ଗାଁରେ ରହିଥିବା ସରକାରୀ ଜମି ଉପରେ ବିଭିନ୍ନ କିମସର ଆମ୍ବ ଗଛ ଲଗାଇଛନ୍ତି ଗ୍ରାମବାସୀ । କେବଳ ଗଛ ଲଗାଇଦେଇଛନ୍ତି, ତାହା ନୁହେଁ । ନିଜର ପୁତ୍ରକନ୍ୟା ଭଳି ତାର ଯତ୍ନବି ନେଇଛନ୍ତି । ଖରାଦିନେ ଡ଼ହଡ଼ହ ଖରାରେ ଆମ୍ବ ଗଛକୁ ପାଳି କରି ଜଗିଛନ୍ତି । ପାଣି ଦେଇ ଚାରାରୁ ଦୃମ ଗଛରେ ପରିଣତ କରାଇଛନ୍ତି । କେତେ ଦିନ ରାତି ଗ୍ରାମବାସୀ ଅକ୍ଲାନ୍ତ ପରିଶ୍ରମ ଆଉ ପ୍ରଚେଷ୍ଠାରେ ଏକର ଏକର ଜମିରେ ଆମ୍ବ ବଗିଚା କରିପାରିଛନ୍ତି । ଯାହାକୁ ଦେଖିଲେ ଆଖି ଖୋସି ହୋଇଯାଏ । ଏଦିଗରେ ଗାଁର ବହୁ ପୁରାଣାକାଳିଆ ଲୋକମାନଙ୍କ ଉଦ୍ୟମକୁ ଆଜି ପ୍ରଶଂସା କରୁଛନ୍ତି ଯୁବକମାନେ । ଏସବୁ ଭିତରେ ଗାଁର ବୟସ୍କ ଲୋକମାନେ ଲଗାଇଥିବା ଆମ୍ବ ଗଛ ଗୁଡ଼ିକର ନାମ କରଣ ବି କରିଛନ୍ତି ଗ୍ରାମବାସୀ । ଗ୍ରାମର ସେହି ଲୋକମାନେ ଆଜି ଇହଧାମରେ ନାହାଁନ୍ତି ସତ, ହେଲେ ସେମାନଙ୍କ ନାମରେ ରହିଛି ଆମ୍ବ ଗଛ । ଗ୍ରାମର କହ୍ନେଇ ଦଳାଇ ଆଜି ନାହାଁନ୍ତି । ହେଲେ ତାଙ୍କ ନାମରେ ରହିଛି କହ୍ନେଇ ଆମ୍ବ । ଭାରି ମିଠା । ତାର ଚାହିଦା ବହୁତ ରହିଛି । ସେଭଳି ଭଳି ମାୟା ଆମ୍ବ । ଏହି ଭଳି ଗ୍ରାମବାସୀଙ୍କ ନାମରେ ରହିଛି ସବୁ ଆମ୍ବ ଗଛ । ସେତେବେଳେ ଗ୍ରାମର ଲୋକମାନେ ଗୋଟିଏ ଗୋଟିଏ ତୋଟା ଦାୟିତ୍ୱରେ ରହୁଥିଲେ । ଫଳରେ ସେମାନଙ୍କ ନାମରେ ଆମ୍ବଗଛ ଆଜି ଖୁବ୍ ପରିଚିତ । ପ୍ରାୟ ୪୦ ଏକର ଜାଗାରେ ଦୁଇ ଶହରୁ ଅଧିକ ଆମ୍ବ ଗଛ ରହିଥିବାର ଜଣାପଡ଼ିଛି । ସୁନ୍ଦୁରୀ, କାଳି, ରସୁଣୀ, ହଦଳୀ ଏବଂ ନାଗା ଭଳି ବିଭିନ୍ନ କିସମର ସୁସ୍ୱାସୁ ଆମ୍ବ ଗ୍ରାମବାସୀଙ୍କ ପାଟି ସୁଆଦ କରୁଛି । ଆଜି ସକାଳ ୯ଟାରୁ କି ଗରିବ କି ଧନୀ ଛୋଟ ପିଲାଙ୍କ ଠାରୁ ବୟସ୍କ, ଯୁବକ, ଯୁବତୀ ସମେସ୍ତ ଆମ୍ବ ତୋଳି ନେବା ପାଇଁ ଏକାଠି ହୋଇଥିଲେ । କିଏ ଆମ୍ବ ଗଛରେ ଚଢ଼ିଲାଣିତ ଆଉ କିଏ ଆଙ୍କୁଡ଼ିରେ ଆମ୍ବ ତୋଳିଲାଣି । ଏମିତି ସମେସ୍ତ ଆମ୍ବ ତୋଳି ପଡ଼ିଆରେ ଗ୍ରାମର ୪୨୦ ପରିବାର ପାଇଁ ଗଣ୍ଡା ହିସାବରେ ଧାଡ଼ି ଧାଡ଼ି କରି ତୋଳା ଆମ୍ବକୁ ରଖାଇଥିଲେ । ଏପରେ ଘର ପିଛା ଜଣ ଜଣ କରି ଡ଼କାଯାଇ ପ୍ରାୟ ଦୁଇ ପଣ ହିସାବରେ ଆମ୍ବ ଗୁଡ଼ିକ ବଣ୍ଟାଯାଇଥିଲା । ରାତି ୯ଟାରେ ଶେଷ ହୋଇଥିଲା ଆମ୍ବକୁ ନେଇ ଗ୍ରାମବାସୀଙ୍କ ଉତ୍ସବ । ଶୃଙ୍ଖଳିତ ଭାବେ ଆମ୍ବ ପାଇଁ ଗ୍ରାମବାସୀମାନେ ଏକାଠି ହୋଇଥିଲେ । ଆଉ ପାଚିଲା ଆମ୍ବ ଖାଇବାର ମଜାବି ନେଇଥିଲେ । ଯେତେ ବେଳେ ଗାଁ ଗାଁରେ ରାଗ ହିଂସା, ରାଜନୌତିକ ଶତ୍ରୃତାରେ ଅଶାନ୍ତ ହୋଇପଡ଼ୁଛି । ମାଡ଼ପିଟ୍ରେ ଭାତୃଭାବ ନଷ୍ଟ ହେଇଛି । ସେତେବେଳେ ଗୋଟିଏ ଫଳ ଆମ୍ବ ଗାଁର ଗ୍ରାମବାସୀଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବାକୁ ଯାବୁଡ଼ି ଧରିଛି ଯୁଗଯୁଗ ଧରି । ଯାହାକି ଆଜିର ସମୟରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |