ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ପୀଠରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଗୁରୁଡିଝାଟିଆ,୧୭/୧୧: ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ପୀଠରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁମାନେ ଡଙ୍ଗାରେ ଯାଇ ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ଓ ପୂଜକ ସମାଜ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ସେଠାରୁ ୧୪୪ ଧାରା ପ୍ରତ୍ୟାହାର କରିନିଆଯିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

ଧବଳେଶ୍ୱର ଝୁଲା ପୋଲ ବିପଦସଙ୍କୁଳ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ୧୭ ଦିନ ହେବ ପୀଠରେ ୧୪୪ ଧାରା ଜାରି କରାଯାଇଛି । ଫଳରେ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି । ଭକ୍ତଙ୍କ ଭାବାବେଗକୁ ଦେଖି ପୂଜକ ସମିତି ସହିତ ପ୍ରଶାସନର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସପ୍ତାହରୁ ଶ୍ରଦ୍ଧାଳୁମାନେ ଡଙ୍ଗାରେ ଯାଇ ଧବଳେଶ୍ୱରଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ସପ୍ତାହକୁ ୪ ଦିନ ସପ୍ତାହର ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯିବ । ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ବନ୍ଦ ରଖାଯିବ । ଯଦି ଶନିବାରରୁ ସୋମବାର ଭକ୍ତ ସଂଖ୍ୟା ବୃଦ୍ଧି ନ ପାଏ, ଏହି କଟକଣାକୁ ହଟାଇ ଦିଆଯାଇ ସପ୍ତାହକ ୭ ଦିନ ଡଙ୍ଗା ଚାଲିବ । ଝୁଲା ପୋଲ ମରାମତି ନହେବା ପର୍ଯ୍ୟନ୍ତ ବଡ଼ ବଡ଼ ପର୍ବପର୍ବାଣୀ, ନୂଆବର୍ଷ ଭଳି ଦିନରେ ପୀଠରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ ବୈଠକରେ ପୂଜକ ସମିତିର ବିଭିନ୍ନ ଦାବି ସଂକ୍ରାନ୍ତରେ ସମିତିର କର୍ମକର୍ତ୍ତାମାନେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ପୂଜକ ସମିତିର କ୍ଷତିପୂରଣ ଦାବିକୁ ନେଇ ପ୍ରଶାସନ ଯେପର୍ଯ୍ୟନ୍ତ ନିଷ୍ପତ୍ତି ନ ନେଇଛି ସେ ପର୍ଯ୍ୟନ୍ତ ପୂଜକମାନେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ପୂଜକମାନଙ୍କ ଦାବି ସଂକ୍ରାନ୍ତରେ ଆଲୋଚନା କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ପ୍ରଶାସନ ନିକଟରେ ୩ଟି ଡଙ୍ଗା ରହିଥିବାବେଳେ ସେଥିରୁ ୨ଟି ଡଙ୍ଗା ବାଲିଯାତ୍ରା କାର୍ଯ୍ୟରେ ନିୟୋଜିତ ରହିଛି । ସେଠାରୁ ଫେରିବା ପରେ ୩ଟି ଡଙ୍ଗାକୁ ପ୍ରସ୍ତୁତ କରାଯିବ । ୩ଟି ଡଙ୍ଗାରେ ୨ ଶହ ଲୋକ ଯିବାର ବ୍ୟବସ୍ଥା ଥିବାବେଳେ ଲାଇଫ୍‌ ଜ୍ୟାକେଟ ପିନ୍ଧି ଡଙ୍ଗାରେ ଯାତ୍ରା କରିବେ । ତେବେ ଡଙ୍ଗା ଭଡ଼ା କେତେ ରହିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ବୈଠକରେ ମଞ୍ଚେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ, ପୂଜକ ସମିତି ସଂପାଦକ ନରେନ୍ଦ୍ର ପଣ୍ଡାଙ୍କ ସହ ବହୁ ସେବାୟତ ଉପସ୍ଥିତ ଥିଲେ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: