କଟକ ୦୭/୦୫: ନାୟକ ଦୁଇକୁ ନାୟିକା ତିନି । ଆଗକୁ ଜୀସାର୍ଥକ ଫିଲ୍ମସ୍ ଓ ଲିପ୍ସା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ନୂଆ ସିନେମା “ଡିଟେକ୍ଟିଭ୍ କରନ୍- ଅର୍ଜୁନ’ ଆସୁଛି । ଏଥିରେ ଦର୍ଶକ ଦୁଇ ନାୟକଙ୍କ ସହ ତିନି ନାୟିକାଙ୍କୁ ଦେଖିବାକୁ ପାଇବେ । ନୂଆ ଅବତାରରେ କମେଡି କିଙ୍ଗ୍ ପପୁ ପମ୍ପମ୍ଙ୍କୁ ଦେଖିବାକୁ ମିଳିବ । ତାଙ୍କ ସହ ପ୍ରଜ୍ଞା ଖଟୁଆଙ୍କ ଦମ୍ଦାର୍ ଅଭିନୟର ମଜା ପାଇବେ ଦର୍ଶକ । ଉଭୟ ପପୁ ଓ ପ୍ରଜ୍ଞା “କରନ୍- ଅର୍ଜୁନ୍’ ଭୂମିକାରେ ଅଭିନୟ କରିଥିଲାବେଳେ ତାଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ମହାନ୍ତି, ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର । ବଡ଼ କଥା ହେଲା ଦୁଇ ପ୍ରିୟଙ୍କାଙ୍କୁ ନେଇ କରନ୍-ଅର୍ଜୁନ୍ ଦ୍ୱନ୍ଦ୍ୱରେ ଥିଲାବେଳେ ଆଗକୁ ଦର୍ଶକ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ରହସ୍ୟ, କମେଡି ଓ ରୋମାନ୍ସଭରା ଏହି ସିନେମାରେ ପପୁ ଓ ପ୍ରଜ୍ଞାଙ୍କୁ ଦର୍ଶକ ପ୍ରଥମ ଥର ଏକ ଭିନ୍ନ ଭୂମିକାରେ ଆବିଷ୍କାର କରିବେ ।
ଓଲିଉଡ ଦୁଇ ଲୋକପ୍ରିୟ ଷ୍ଟାର୍ଙ୍କୁ ଏକାଠି ପାଇବା ସିନେପ୍ରେମୀଙ୍କ ପାଇଁ ନିଶ୍ଚିତ ଖୁସିର ବିଷୟ । କିନ୍ତୁ ଏସବୁ ବାଦ୍ ବେଶୀ ଚର୍ଚ୍ଚା ତିନି ନାୟିକାଙ୍କୁ ନେଇ ହେଉଛି । ସିନେମାଟି ରିଲିଜ୍ ପରେ ଜଣାପଡ଼ିବ ପ୍ରକୃତ ଦୁଇ ନାୟକ ଓ ତିନି ନାୟିକା ପଛର କାହାଣୀ କ’ଣ ରହିଛି । ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସିନେମାର ପ୍ରଯୋଜନା ପଛରେ ଅନ୍ୟତମ ନାୟିକା ଲିପ୍ସା ଅଛନ୍ତି ଏବଂ ଏହା ତାଙ୍କର ଦ୍ୱିତୀୟ ପ୍ରଯୋଜିତ ସିନେମା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |