ରାଜକନିକା,୨୩/୧: ଆଜି ସାରା ଦେଶ ମହାନ ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ହେଲେ ଏହି ଜୟନ୍ତୀ ଉତ୍ସବରେ ଜଣେ ଓଡ଼ିଆ ପୁଅର କଥା ଆଜି ପର୍ଯ୍ୟନ୍ତ ଲୋକମୁଖରେ ବଂଚି ରହିଛି । ଯେକି ଇଂରେଜ କବଳରୁ ରକ୍ଷା କରିବା ପାଇଁ ନେତାଜୀଙ୍କୁ ମୁସଲମାନ(ଆଫଗାନୀ ବେଶରେ) ସଜେଇ କଲକତାର ନେତାଜୀଙ୍କ ବଡ଼ ବାପାଙ୍କ ଘରୁ ଖସିଯିବାକୁ ସକ୍ଷମ କରାଇଥିଲେ । ସେହି ଓଡ଼ିଆ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଳକ୍ ଅନ୍ତର୍ଗତ ପଣସଗଣ୍ଡ ଗ୍ରାମର ନାରାୟଣ ଚନ୍ଦ୍ର ଦାସ । ସେତେବେଳେ ନେତାଜୀଙ୍କୁ ଧରିବାକୁ ଇଂରେଜ ସରକାର କଲକତାର ତାଙ୍କ ବଡ଼ ବାପାଙ୍କ ଘରକୁ ଘେରାବନ୍ଦୀ କରିଥିଲେ । ଘରର ଚାରିପେଟ ପୁଲିସ ଜଗି ରହିଥିଲା । ହେଲେ ନେତାଜୀ କେମିତି ଘରୁ ପଦାକୁ ବାହାରିବେ ସେହି ଚିନ୍ତାରେ ରହିଥିଲେ । ହେଲେ ତାଙ୍କ ବଡ଼ ବାପାଙ୍କ ଘରେ କାମଧନ୍ଦା କରୁଥିବା ଓଡ଼ିଆ ଯୁବକ ନାରାୟଣ ନେତାଜୀଙ୍କୁ ୧୯୪୧ ମସିହା ଜାନୁୟାରୀ ମାସ ୧୭ ତାରିଖ ରାତିରେ ଆଫଗାନୀ ମୁସଲମାନ ବେଶରେ ସଜାଇ ଦେଇଥିଲେ । ଯାହାଫଳରେ ସେଠାରୁ ପଳାୟନ କରିବାରେ ସକ୍ଷମ ହୋଇଥିଲେ ନେତାଜୀ । କଲକତାର ଏଲିଜିନ୍ ରୋଡ଼୍ର ନେତାଜୀ ଘରୁ ସଂପର୍କିୟ ଶିଶିର ବୋଷଙ୍କ ସହିତ ଗୋମହ ରେଳଷ୍ଟେସନରେ ପହଂଚି ଜର୍ମାନୀକୁ ପଳାଇଯାଇଥିଲେ । ସେଠାରେ ଇଂରେଜ ମାନଙ୍କ ବିରୁଦ୍ଧରେ ସୈନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ହେଲେ ସେଦିନର ସେହି ଅକୁହା କଥା ଆଜି ପର୍ଯ୍ୟନ୍ତ ରାଜକନିକା ଅଂଚଳରେ ନେତାଜୀ ଜୟନ୍ତୀ ଆସିଲେ ଜନଗଣରେ ଗୁଞ୍ଜରିତ ହେଉଛି । ପଣସଗଣ୍ଡ ଗ୍ରାମର ୭୫ ବର୍ଷୀୟ ଶ୍ରୀବତ୍ସ ଲାଚଂନ ଦାସଙ୍କ ମୁହଁରେ ଆଜି ବଂଚି ରହିଛି । ସେଦିନର ସେହି ଅଭୁଲା କଥା ଅଲିଖିତ ଇତିହାସ ହୋଇଥିଲେ ମଧ୍ୟ ମୁଁ ନାରାୟଣ ଭାଇଙ୍କ ଠାରୁ ଶୁଣିଛି । ସେତେ ବେଳେ ମତେ ୨୫/୨୬ ବୟସ ହେବ । ଭାଇ କଳକତାରୁ ଆମ ଗାଁକୁ ଚାଲିଆସିଲେ । ସେତେ ବେଳେ ନେତାଜୀଙ୍କ ଫଟୋ, ବହି ସହିତ ପତ୍ରପତ୍ରିକା ସାଙ୍ଗରେ ଆଣିଥିଲେ । ଆଉ ତାଙ୍କ ସଂପର୍କରେ ଅନେକ ଅକୁହା କଥା ଆମେ ତାଙ୍କ ଠାରୁ ଶୁଣୁଥିଲୁ । ସେ କେମିତି ନେତାଜୀଙ୍କୁ ଭଲ ପାଉଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ତାଙ୍କ ସହିତ ମିଶୁଥିଲେ । ତାଙ୍କର ଭଲ ମନ୍ଦ କଥା ବୁଝୁଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ନେତାଜୀଙ୍କ ସେହି ଛଦ୍ମବେଶ କଥା ତାଙ୍କ ଆଖିଆଗରେ ନାଚି ଉଠୁଥିଲା । ଯାହାକୁ ଆମେ ପିଲାମାନେ ଶୁଣି ସେଦିନ ନେତାଜୀଙ୍କ ଦେଶଭକ୍ତି ପ୍ରତି ଆମର ଆନ୍ତରିକତା ସୃଷ୍ଟି ହୋଇପାରିଥିଲା । ନାରାୟଣ ଭାଇ ମୃତ୍ୟୁ ପର୍ଯ୍ୟନ୍ତ ନେତାଜୀଙ୍କ ପ୍ରତି ରହିଥିଲା ଅତୁଟ ଭଲ ପାଇବା ବୋଲି କହନ୍ତି ଶ୍ରୀବତ୍ସ ଲାଂଚନ । ସେହିଭଳି ନାରାୟଣଙ୍କ ପୁଅ ଦାମୋଦର ମଧ୍ୟ ଆଜି ଜୀବନର ଅପରାହ୍ଣରେ । ଆଜି ୭୮ ବର୍ଷ ବୟସରେ ନିଜ ପିତା ନାରାୟଣଙ୍କ ସେହି ଅକୁହା କଥାକୁ ମନେପକାଇ ଆଖିରୁ ଲୁହଝରାଉଛନ୍ତି । ମୋ ବାପା ଥିଲେ ନେତାଜୀଙ୍କର ଜଣେ ବଡ଼ ଭକ୍ତ । ସେ ସବୁବେଳେ ନେତାଜୀଙ୍କ ସଂଗ୍ରାମୀର କଥାକୁ ଗାଁରେ କହୁଥିଲେ । ତାଙ୍କ ଫଟୋକୁ ଘରେ ରଖି ପୂଜା କରୁଥିଲେ । ଜଣେ ଓଡ଼ିଆ ଯୁବକଙ୍କ ସହିତ ନେତାଜୀଙ୍କ ଭାବଗତ ସଂପର୍କ ଆଜି ଅଜଣା ହୋଇପାରେ, ହେଲେ ଆମ ପାଇଁ ପିଲା ଦିନୁ ଶୁଣିଆସୁଥିବା ସତ କାହାଣୀ । ଇତିହାସରେ ଅନାଲୋଚିତ ନେତାଜୀଙ୍କ ସଂପର୍କିତ ଏହି ଅଜଣା କଥା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବମୟ ଘଟଣା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |