ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ : ଆରମ୍ଭରୁ ଗୃହ ଅଚଳ

ଭୁବନେଶ୍ବର,୧୧ା୩ :  ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଚଳ ହୋଇପଡ଼ିଥିଲା। ବିରୋଧୀ ପୁନର୍ବାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ କ୍ରାଇମ ବ୍ରାଞ୍ଚ ବିଫଳ ହୋଇଥିବା ଅଭିଯୋଗ କରିବା ସହିତ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ଅଶାନ୍ତ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପୂର୍ବାହ୍ନରେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ନୋଟିସ ଉପରେ ଆଲୋଚନା ସମ୍ଭବ ହୋଇନଥିଲା। ଅପରାହ୍ଣ ଅଧିବେଶନରେ ବି ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଜାରି ରଖିଥିଲେ। ବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବି ଏଥିରୁ କୌଣସି ନିଷ୍କର୍ଷ ବାହାରି ନଥିଲା।  ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରଗରମ ରହିଥିଲା। ବାରମ୍ବାର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିଲା। ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲା ବେଳେ କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଛି। ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଦିନତମାମ ଆଦୌ ଚାଲିପାରିଲା ନାହିଁ। ସର୍ବଦଳୀୟ ବୈଠକ ବି ବିଫଳ ହେଲା। ସର୍ବଦଳୀୟ ବୈଠକ ବିଫଳ ହେବା ପରେ ହୋ-ହଲ୍ଲା ଓ ନାରାବାଜି ମଧ୍ୟରେ ବିଭିନ୍ନ ବିଭାଗର କାଗଜ ଏବଂ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ପରେ ବାଚସ୍ପତି ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।ଶୁକ୍ରବାର ପୂର୍ବାହ୍ନରେ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହ କମ୍ପାଇଲେ। ବିରୋଧୀଙ୍କ ନାରାବାଜି ଭିତରେ ବାଚସ୍ପତି ଗୃହ ଚଳାଇବାକୁ ଉଦ୍ୟମ କଲେ। ଏକ ପ୍ରଶ୍ନର ଉତ୍ତର ଦେବାକୁ ଶିଳ୍ପ ମନ୍ତ୍ରୀଙ୍କୁ ଡାକିଲେ। କିନ୍ତୁ ବିରୋଧୀଙ୍କ ହୋହଲ୍ଲା ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଇ ନଥିଲା। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ।୧୧ଟା ୩୦ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ଗୃହ ମଧ୍ୟ ଭାଗରେ ବିରୋଧୀ ସରକାରଙ୍କ ବିରୋଧରେ ଗର୍ଜନ କରୁଥିଲା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତକାଲି କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ସୂଚନା ସରିଲା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ।୪ଟା ବେଳେ ବି ପରିସ୍ଥିତିରେ କିଛି ସୁଧାର ଆସି ନଥିଲା। ଆରମ୍ଭରୁ ବିରୋଧୀ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। ବୈଠକରେ କିଛି ନିଷ୍କର୍ସ ବାହାରି ନଥିଲା। ଫଳରେ ୪ଟା ୫୧ରେ ଗୃହ କାର୍ଯ୍ୟ ଆରମ୍ଭ ହେଲାପରେ ବି ବିରୋଧୀ ଶାନ୍ତ ପଡ଼ି ନଥିଲେ। ହୋହଲ୍ଲା ଭିତରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ତା’ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ। ଗୃହ ବାହାରେ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ ବିରୋଧୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!