ଉଦ୍ଭିଦ ବିଜ୍ଞାନୀ ବ୍ୟଙ୍ଗ ସାହିତ୍ୟିକ ଡ.ସନ୍ତୋଷ ନାୟକଙ୍କ ପରଲୋକ

ଭୁବନେଶ୍ୱର,୨୭/୧୧:ଓଡ଼ିଶାର ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନୀ, ସ୍ୱନାମଧନ୍ୟ ବ୍ୟଙ୍ଗ ସାହିତ୍ୟିକ ଓ ନାଟ୍ୟକାର ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ ଭାମଣ୍ଡା ଗ୍ରାମର ଡ଼କ୍ଟର ସନ୍ତୋଷ କୁମାର ନାୟକଙ୍କର ୭୨ବର୍ଷ ବୟସରେ ଖୋର୍ଦ୍ଧା ବିଦ୍ୟାବିହାର ସ୍ଥିତ ବାସଭବନରେ ହୃଦ୍‌ଘାତ୍‌ରେ୨୪ତାରିଖ ରାତି ୨ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ଖବର ପାଇ ରାଜକନିକା ଏବଂ ଖୋର୍ଦ୍ଧା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।୧୯୫୦ ମସିହା ମଇ ମାସ ୫ତାରିଖରେ ଭାମଣ୍ଡା ଗ୍ରାମରେ ଡ. ସନ୍ତୋଷ କୁମାର ନାୟକଙ୍କର ଜନ୍ମ ହୋଇଥିଲେ । ସେ ଥିଲେ ସ୍ୱର୍ଗତ ପିତାମ୍ବର ନାୟକ ଓ ସ୍ୱର୍ଗତା ଉଷାରାଣୀ ନାୟକଙ୍କର ଅନ୍ୟତମ ସୁପୁତ୍ର । ଚାଟଶାଳୀ ଶିକ୍ଷା ସମାପ୍ତ କଲାପରେ, ଚାନ୍ଦବାଲିର ଦାଖା ଉଚ୍ଚ ବିଦ୍ୟାପୀଠରେ ସେ ନିଜର ଅଧ୍ୟୟନ ଆରମ୍ଭ କଲେ । ବିଦ୍ୟାଳୟ ଶିକ୍ଷାର ଶେଷ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେଲାପରେ ସେ କଟକ ସ୍ଥିତ ରେଭେନ୍‌ସା କଲେଜରେ ଭର୍ତ୍ତି ହେଲେ ଓ ସେଠାରେ ଅଧ୍ୟୟନ କଲେ ଏବଂ ୧୯୭୩ ମସିହାରେ ସେଠାରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କଲେ । ୧୯୭୫ ମସିହା ଜାନୁୟାରୀ ମାସ ୧ତାରିଖରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଭାବେ ସେ ନିଜର କର୍ମମୟ ଜୀବନ ଆରମ୍ଭ କଲେ । ୧୯୮୬ ମସିହାରେ, ସେ ସ୍ନାତକୋତ୍ତର ପର ଗବେଷଣା ପ୍ରାପ୍ତ ଉପାଧି (ପିଏଚ୍‌ଡି) ହାସଲ କଲେ । ସେ ବିଭିନ୍ନ କଲେଜ ଯଥା ପ୍ରାଣନାଥ କଲେଜ, ନୟାଗଡ କଲେଜ ଓ ନାଚୁଣୀ କଲେଜରେ ଦୀର୍ଘ ୩୬ବର୍ଷ ଧରି ସଫଳତାର ସହିତ ଶିକ୍ଷାଦାନ କରିଥିଲେ । ୨୦୧୦ମସିହା ମଇ ମାସରେ, ସେ ନାଚୁଣୀ କଲେଜରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ୨୦୦୪ ମସିହାରେ ସୁଦୂର ଅଷ୍ଟ୍ରେଲିଆରେ ଆୟୋଜିତ ଆନ୍ତର୍ଜାତିକ ବିଜ୍ଞାନ ସମ୍ମିଳନୀରେ ସେ ନିଜର ସନ୍ଦର୍ଭ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ତାଙ୍କ ଅଧ୍ୟାପନା ଜୀବନର ବେଶି ସମୟ ପ୍ରାଣନାଥ କଲେଜରେ କଟିଥିଲା । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ସେ ସୁପରିଚିତ ଥିଲେ । ତାଙ୍କର ହସ ହସ ମୁହଁ, ମଧୁର ବଚନ, ବିଦ୍ୱତା ଓ ଚୁମ୍ବକୀୟ ବ୍ୟକ୍ତିତ୍ୱ ସବୁଶ୍ରେଣୀର ଲୋକଙ୍କୁ ବିମୋହିତ କରୁଥିଲା । ତାଙ୍କର ବହୁ ସୁନ୍ଦର ଲେଖା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଛି । ଜଣେ ପ୍ରତିଷ୍ଠିତ ବ୍ୟଙ୍ଗ ଲେଖକ ଭାବରେ, ସମାଜର ଚିତ୍ରକୁ ସେ ଖୁବ୍ ସୁନ୍ଦର ଓ ନିଖୁଣ ଢ଼ଙ୍ଗରେ ଲେଖି ପାରୁଥିଲେ । ତାଙ୍କର ଦୁଇଟି ବ୍ୟଙ୍ଗ ଲେଖା ଯଥା – ‘ମଖନ ବାଜି’ ଓ ‘କାଙ୍ଗାଳି ଗୁରୁ’ ପ୍ରକାଶ ପାଇସାରିଛି, ମାତ୍ର ତାଙ୍କର ବିଜ୍ଞାନ ସମ୍ବନ୍ଧୀୟ ଲେଖା “ପତ୍ର ପିତାମ୍ବର” ପ୍ରକାଶନର ଆଲୋପ ପାଇପାରିନାହିଁ । ତାଙ୍କର ତିନି କନ୍ୟା, ଦୁଇ ପୁତ୍ର ଓ ଦଶଜଣ ନାତିନାତୁଣୀ ଅଛନ୍ତି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ଜ୍ୟେଷ୍ଠ ପୁତ୍ର ଓଁକାର ନାୟକ ମୁଖାଗ୍ନୀ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: