ନବରଙ୍ଗପୁର,୧୬/୯:ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ୍ ହାତରେ ଲାଗିଛି ଗଞ୍ଜେଇ ରାକେଟ । ୧୦୫ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ନବରଙ୍ଗପୁର ,ପାପଡାହାଣ୍ଡି ପରେ ବର୍ତ୍ତମାନ ଉମରକୋଟ ପୋଲିସ ହାତରେ ଲାଗିଛି ଏକ ବଡ଼ ଧରଣର ଗଞ୍ଜେଇ ରାକେଟ। ଉମରକୋଟ ମୁନୂସିପାଲଟି ଅନ୍ତର୍ଗତ ଡଙ୍ଗରିଗୁଡା ୟୁଭି-୩ ଅଂଚଳର ପ୍ରଦୀପ ଦାସ ନାମକ ଜଣକ ଘରେ ବିପୁଳ ପରିମାଣର ଗଂଜେଇ ଥିବା ଏକ ବିଶେଷ ସୁତ୍ରରୁ ଜାଣିବା ପରେ ଉମରକୋଟ ପୋଲିସ୍ ଏସଡିପିଓ ହେମନ୍ତ କୁମାର ପାଢ଼ୀ ଓ ଏଏସଆଇ ନରେଶ ପ୍ରଧାନ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ପ୍ରଦୀପଙ୍କ ଘରେ ଚଢଉ କରି ୧୦୫ କେଜି ଗଂଜେଇ , ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଗୋଟିଏ କାର୍, ୭ଟି ବାଇକ୍, ୨ଟି ଏଟିଏମ୍ କାର୍ଡ ଓ ଗଞ୍ଜେଇ ପ୍ୟାକିଂ ମେସିନ ଜବତ୍ କରିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିରେ ଘର ମାଲିକଙ୍କ ସମେତ ଆଉ କିଛି ସହଯୋଗୀ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରୁ ଖସି ପଳାଇବାରେ ସଫଳ ହୋଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ କୁଟୁ ସନାଙ୍କ ଘର ଉମରକୋଟ ସୁନାବେଡା ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ସତ୍ୟମ୍ କୁମାର ଶର୍ମାଙ୍କ ଘର ବିହାର ରାଜ୍ୟ ବୋଲି ଜଣାପଡିଛି।ଏହିସବୁ ଗଞ୍ଜେଇ ମାଲକାନଗିରି ଜିଲ୍ଲାରୁ ଅଣାଯାଇ ପଡୋଶୀ ରାଜ୍ୟର ଅନେକ ସ୍ଥାନକୁ ଚାଲାଣ ହେଉଥିବା ପୋଲିସ ଜାଣିପାରିଛି । ଏହି ଗଂଜେଇ ଚାଲାଣରେ ଆଉ କିଛି ଅଭିଯୁକ୍ତ ସଂପୃକ୍ତ ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ଅଂଚଳରେ ତଲାସି ଜାରି ରଖିଥିବା ଉମରକୋଟ ଏସଡିପିଓ ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |