ଏପ୍ରିଲ ୧୬ ରୁ ଅଷ୍ଟମ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର,୧୩/୪ :କୋରୋନା କଟକଣା ମଧ୍ୟରେ ଆସନ୍ତା ୧୬ ଓ ୧୭ ତାରିଖରେ ସ୍ଥାନୀୟ ଭଂଜ କଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡିଓ ମେଳା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି । ଅଷ୍ଟମ ଥର ପାଇଁ ଏହି ରେଡିଓ ମେଳା ଆୟୋଜିତ ହେବାକୁ ଯାଉଛି । ପ୍ରତିବର୍ଷ ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେଉଥିବା ଏହି ମେଳା ଏଥର ଦୁଇ ମାସ ବିଳମ୍ବରେ ଅନୁଷ୍ଠିତ ହେବ । ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକି ଟକି ସହ ହାମ୍ ରେଡିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ । ବିଭିନ୍ନ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ ଖୋଲିବେ । ବିଗତ ବର୍ଷମାନଙ୍କ ପରି ଏଥର ମଧ୍ୟ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇସେନ୍ସ ପ୍ରାପ୍ତ ହାମ୍ ରେଡ଼ିଓ ଅପରେଟର । ଏହି ଅପରେଟର ମାନେ ହାମ୍ ରେଡିଓ ସମେତ ଏମରଜେନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସମିତି (ଓସଡମା) ପକ୍ଷରୁ ଓଡ୍ରାଫ ଓ ହାମ ରେଡ଼ିଓ ଅପରେଟର ମାନଙ୍କ ସହାୟତାରେ ଏପରି ଏକ ଷ୍ଟଲ ଖୋଲାଯିବ । ରେଡିଓ ମେଳାର ସବୁଠାରୁ ବଡ ଆକର୍ଷଣ ହେଉଛି ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡିଓ । ଅନେକ ରେଡ଼ିଓ ସଂଗ୍ରାହକ ଚାରି ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ କରିବେ । ରେଡ଼ିଓ ଶ୍ରୋତାମାନଙ୍କ ଦ୍ୱାରା ଏକ ଶ୍ରୋତା ସମ୍ମିଳନୀ ମଧ୍ୟ ଆୟୋଜିତ ହେବ । ପ୍ରତିବର୍ଷ ପରି ଏଥର ରେଡିଓ ମେଳାରେ ବିଭିନ୍ନ ପ୍ରକାର ରେଡିଓ ସେଟ୍ ବିକ୍ରି ହେବ । ବଜାରରେ ସାଧାରଣତଃ ରେଡିଓ ମିଳୁନଥିବା ବେଳେ ରେଡିଓ ମେଳାରେ ପର୍ଯ୍ୟପ୍ତ ପରିମାଣରେ ରେଡିଓ ସେଟ୍ ବିକ୍ରି ଉଦେଶ୍ୟରେ ରଖାଯିବ । ଏହାଛଡା ମେଳାରେ ବିକ୍ରି ହେଉଥିବା କାର୍ଯ୍ୟକ୍ଷମ ପୁରୁଣା ରେଡିଓ ମଧ୍ୟ ଆପଣ ନିଜର ଘର ପାଇଁ କିଣି ନେଇ ପାରିବେ । କାର୍ସିନୋଭା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ରେଡ଼ିଓ ମେଳାରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ. ଏଠାରେ ବିନା ମୂଲ୍ୟରେ ଦର୍ଶକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇପାରିବେ । ରେଡିଓ ମେଳାରେ ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଛି ସମ୍ବାଦ ପଠନ, ଆରଜେଇଂ, ଫ୍ୟାସନ ସୋ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତା । ପିଲା ମାନଙ୍କ ଭିତରେ ଲୁଚିରହିଥିବା ଅନ୍ତଃର୍ନିହିତ କଳାର ବିକାଶ ଓ ପ୍ରତିଭାଧାରୀ ଛାତ୍ର/ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍ ।ଦେଶର ଅନ୍ୟତମ ଲୋକପ୍ରିୟ ରେଡ଼ିଓ ଜକି ଆରଜେ ପ୍ରବୀଣ ଓ ଅରିତ୍ର, କାନପୁରର ଆରଜେ ରାଘବ ଓ ଇନ୍ଦୋରର ଆରଜେ ଭିନୀ ଏଥର ରେଡ଼ିଓ ମେଳାରେ ଯୋଗ ଦେବା ସହ ରେଡ଼ିଓରେ କ୍ୟାରିୟର କରିବାକୁ ଚାହୁଁଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ । ରେଡ଼ିଓ ମେଳା ଅବସରରେ ୨୦୨୧ ମସିହା ପାଇଁ ଆରଜେ ରାଘବଙ୍କୁ ଲୋକପ୍ରିୟ ରେଡ଼ିଓ ପ୍ରସାରକ ଭାବେ ଓ ଲୋକସେବାରେ ରେଡିଓର ଶ୍ରେଷ୍ଠ ବ୍ୟବହାର ପାଇଁ ଆରଜେ ଭିନୀଙ୍କୁ ସମ୍ମାନିତ କରାଯିବ । କଣ୍ଠଶିଳ୍ପୀ ଅମ୍ରିତା ନାୟକଙ୍କୁ ଦଶ ହଜାର ଅର୍ଥରାଶି ସହ ଉପେନ୍ଦ୍ର ପାହାଡ଼ସିଂହ ମେମୋରିଆଲ ଆୱାର୍ଡ ପ୍ରଦାନ କରାଯିବ। ଏହା ବ୍ୟତୀତ କୋରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ରେଡ଼ିଓ ଷ୍ଟେସନରେ କାର୍ଯ୍ୟ କରି ଲୋକମାନଙ୍କୁ ସଚେତନ କରିଥିବା କିଛି ରେଡ଼ିଓ ଉପସ୍ଥାପକଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବ । କିମ୍ବଦନ୍ତୀ ରେଡ଼ିଓ ବ୍ୟକ୍ତିତ୍ୱ ନଦିଆ ବିହାରୀ ମହାନ୍ତିଙ୍କ ସ୍ମୃତିରେ ନଦିଆ ବିହାରୀ ମହାନ୍ତି ସ୍ମାରକୀ ସମ୍ମାନ ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଦୀପକ ସାମନ୍ତରାୟଙ୍କୁ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କ ବୃଦ୍ଧି ପାଉଥିବା ଆଗ୍ରହକୁ ଦେଖି ଏଥର ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ରେଡିଓ ମେଳାକୁ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସ ପଠାଯିବ। ଏହା ଛଡା ପଠାଣି ସାମନ୍ତ ପ୍ଲାନେଟରିୟମ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ଟେଲିସ୍କୋପ ଜରିଆରେ ସନ୍ଧ୍ୟାରେ ଆକାଶ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଆଉଟରିଚ୍ ପକ୍ଷରୁ ବିଷ୍ନୁପ୍ରିୟା ସାହୁ, ଶୁଭେନ୍ଦ୍ର ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଖ ଜାଫର ଏବଂ ସ୍ମୃତି ରଞ୍ଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

• ଆକର୍ଷଣ ସାଜିବେ ଦେଶର ୪ ଲୋକପ୍ରିୟ ଆରଜେ – ପ୍ରବୀଣ, ଅରିତ୍ର, ଭିନୀ ଓ ରାଘବ
• ୧୦୦ ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଜେଇଙ୍ଗ ଟ୍ରେନିଂ କାର୍ଯ୍ୟକ୍ରମ
• ୪୦୦୦ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ ଓ ହାମ ରେଡିଓର ପ୍ରଦର୍ଶନୀ
• ଅମ୍ରିତା ନାୟକ ପାଇବେ ୧୦ ହଜାର ଅର୍ଥରାଶି ସହ ଉପେନ୍ଦ୍ର କୁମାର ପାହାଡସିଂହ ମେମୋରିଆଲ ଆୱାର୍ଡ
• ଦୀପକ ସାମନ୍ତରାୟଙ୍କୁ ନଦିଆ ବିହାରୀ ମହାନ୍ତି ସ୍ମୃତି ସମ୍ମାନ
• କାନପୁରର ଆରଜେ ରାଘବଙ୍କୁ ବେଷ୍ଟ ଆରଜେ ଓ ଇନ୍ଦୋରର ଆରଜେ ଭିନୀଙ୍କୁ ଲୋକସେବାରେ ରେଡିଓର ଶ୍ରେଷ୍ଠ ବ୍ୟବହାର ପାଇଁ ସମ୍ମାନ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: