ଦୁବାଇ ,୦୪/୦୯: ଚଳିତ ଏସିଆ କପ୍ କ୍ରିକେଟର ସୁପର-୪ ଦ୍ୱିତୀୟ ମ୍ୟାଚ୍ ରେ ଆଜି ଭାରତ ଓ ପାକିସ୍ତାନ ମୁକାବିଲା ହେବ । ଗତ ରବିବାର ଏହି ଷ୍ଟାଡିୟମ୍ରେ ଚଳିତ ଏସିଆ କପ୍ରେ ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ମୁକାବିଲା ରୋମାଞ୍ଚକର ହୋଇଥିଲା। ପୁଣିଥରେ ଦୁବାଇରେ ଭାରତ ପାକିସ୍ତାନ ସୁପର-୪ ମୁକାବିଲା ହେବ। ପାକିସ୍ତାନ ଦଳ ଲିଗ୍ ପର୍ଯାୟରେ ପରାଜୟର ପ୍ରତିଶୋଧ ନେବାର ଲକ୍ଷ୍ୟ ରଖିଥିବା ବେଳେ ୮ ଦିନରେ ୨ୟ ଥର ପାକିସ୍ତାନକୁ ହରାଇ ଫାଇନାଲ ଖେଳିବା ରାସ୍ତା ପ୍ରଶସ୍ତ କରିବା ଲକ୍ଷ୍ୟରେ ରୋହିତ ସେନା ରହିଛି। ୨୦୧୮ ପରେ ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ୟ ମୁକାବିଲା ହେବାକୁ ଯାଉଛି। ରବିବାର ଉଭୟ ଦଳ ଜିତିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ। କ୍ରିକେଟ୍ ଦୁନିଆରେ ଭାରତ-ପାକିସ୍ତାନ ମୁକାବିଲା ସବୁଠାରୁ ବଡ଼ ହୋଇଥିବା ବେଳେ ୮ ଦିନରେ ୨ ଥର ହେବା; ଉଭୟ ଦେଶର କ୍ରିକେଟପ୍ରେମୀଙ୍କୁ ଉଲ୍ଲସିତ କରିଛି। ପାକିସ୍ତାନ ଓ ଭାରତ ଫାଇନାଲ ଖେଳିବେ ଏବଂ ଉଭୟ ଦଳଙ୍କ ମଧ୍ୟରେ ୩ୟ ମୁକାବିଲାର ଚର୍ଚ୍ଚା ଏବେଠାରୁ ଆରମ୍ଭ ହୋଇଗଲାଣି। ଏଠାକାର ପିଚ୍ ଓ ବାତାବରଣରେ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ବିଶେଷ ଫରକ ନାହିଁ। ଗତ ରବିବାରର ମ୍ୟାଚ୍ରେ ଶେଷ ଓଭର ପର୍ଯ୍ୟନ୍ତ ଉଭୟ ଦଳଙ୍କ ବିଜୟ ସମ୍ଭାବନା ରହିଥିଲା। ଲିଗ୍ ପର୍ଯ୍ୟାୟରେ କୌଣସି ମ୍ୟାଚ୍ ହାରିନଥିବା ଭାରତ ସୁପର-୪ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ସାମାନ୍ୟ ଫେଭରିଟ୍। ଯଶପ୍ରୀତ ବୁମ୍ରା ଓ ହର୍ଷଲ ପଟେଲଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ଲିଗ୍ ମ୍ୟାଚ୍ରେ ଭାରତୀୟ ପେସର୍ଙ୍କ ସର୍ଟପିଚ୍ ବୋଲିଂର ଜବାବ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ପାଖରେ ନଥିଲା। ଟୁ-ଇନ୍-ୱାନ୍ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବେ ଭଲ ଫର୍ମରେ ଅଛନ୍ତି। ପାକିସ୍ତାନ ବିପକ୍ଷରେ ଆରମ୍ଭରୁ ଜୀବନଦାନ ପାଇଥିବା ବିରାଟ କୋହଲି ୩୫ ରନ୍ କରିଥିବା ବେଳେ ଦୁର୍ବଳ ହଂକଂ ବୋଲିଂ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ହାସଲକରି ଫର୍ମକୁ ଫେରିବା ପରି ଲାଗୁଛନ୍ତି। ତେବେ ତାଙ୍କ ଷ୍ଟ୍ରାଇକ୍ରେଟ୍ ଚିନ୍ତାଜନକ। ଅନ୍ୟପକ୍ଷରେ ବିଶ୍ବର ୧ନଂ ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ ଉଭୟ ମ୍ୟାଚ୍ରେ ବିଫଳ ହେବା ପାକିସ୍ତାନକୁ ଚିନ୍ତାରେ ପକାଇଛି। ତାଙ୍କଠାରୁ ଦଳ ବଡ଼ ସ୍କୋର୍ର ଆଶାରଖିଛି। ତେବେ ଦଳ ପାଇଁ ଖୁସିର କଥା ଯେ ଓପ୍ନର ମହମ୍ମଦ ରିଜ୍ୱାନ ଫର୍ମକୁ ଫେରିଛନ୍ତି ଏବଂ ଖୁଦ୍ଦିଲ ଶାହା ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ଭାରତ ଅପେକ୍ଷା ପାକିସ୍ତାନର ବୋଲିଂ ଶକ୍ତିଶାଳୀ ଅଛି। ଦୁଇ ସ୍ପିନର ସଦ୍ଦାବ ଖାଁ ଓ ମହମ୍ମଦ ନୱାଜ୍ ଭଲ ୱିକେଟ ନେଉଛନ୍ତି। ପେସ୍ ବୋଲର ଶାହ୍ନୱାଜ ଦହାନି ଆହତ ଥିବାରୁ ଭାରତ ବିପକ୍ଷ ମ୍ୟାଚ୍ ଖେଳିବେନାହିଁ। ତାଙ୍କ ସ୍ଥାନରେ ଅଭିଜ୍ଞ ହାସନ୍ ଅଲୀ ଓ ଯୁବ ପେସର୍ ମହମ୍ମଦ ହସ୍ନୈନ ଖେଳିପାରନ୍ତି। ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ଚମ୍ପିଆନ୍ଙ୍କ ପରି ବ୍ୟାଟିଂ କରୁଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଫିନିସର ଭୂମିକା ନିର୍ବାହ କରୁଛନ୍ତି। ଏସିଆ କପ୍ରେ ଭାରତଠାରୁ ତା’ର ଶେଷ ୪ଟି ମ୍ୟାଚ୍ ପାକିସ୍ତାନ ହାରିଛି। ୪ଟିଯାକ ମ୍ୟାଚ୍ରେ ଭାରତ ରନ୍ର ପିଛା କରିଥିଲା। ଏସିଆ କପ୍ରେ ଉଭୟ ଦଳଙ୍କ ମଧ୍ୟରେ ୧୪ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ୯ଟି ଜିତିଛି।
ଭାରତ: ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ/ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅଭେଶ ଖାନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।
ପାକିସ୍ତାନ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଫଖାର ଜମାନ, ଇଫତିଖର ଅହମ୍ମଦ, ଖୁଶଦିଲ ଶାହ, ଶଦାବ ଖାନ, ଅସିଫ ଅଲି, ମହମ୍ମଦ ନୱାଜ, ନସିମ ଶାହ, ହ୍ୟାରିସ ରୌଫ, ହାସାନ ଅଲି/ମହମ୍ମଦ ହସନୈନ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |