କଟକ, ୦୪/୦୬: ଏସ୍ସିବି ମେଡିକାଲ୍ର ଚିକିତ୍ସା ବ୍ୟବସ୍ଥାରେ ଯୋଡି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ମେଡିକାଲକୁ ଆସିବ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ୍ମୋ (ଏକ୍ସଟ୍ରା କର୍ପୋରିୟଲ ମେମ୍ବ୍ରାନେ ଅକ୍ସିଜେନେସନ୍) ମେସିନ୍। ମେଡିକାଲ୍ର ହୃଦବକ୍ଷଶଲ୍ୟ ବିଭାଗକୁ ଏହି ମେସିନ୍ ସହ ଆବଶ୍ୟକ ଉପକରଣ ଯୋଗାଇ ଦିଆଯିବ । ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା ଓ ରୋଗୀଙ୍କ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଏହି ମେସିନ୍ କିଣିବ । ଏ ନେଇ ଏକ ଚିଠି ନିଗମ ପକ୍ଷରୁ ଏସ୍ସିବି ମେଡିକାଲକୁ ଲେଖାଯାଇଛି । ଏକ୍ମୋ କିଣିବା ପାଇଁ ନିଗମ ପକ୍ଷରୁ ଏକ ୬ ଜଣିଆ ବୈଷୟିକ କମିଟି ବି ଗଠନ କରାଯାଇଛି । କମିଟିରେ ଡିଏମ୍ଇଟି ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତିଙ୍କ ସମେତ ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିବେଦିତା ପାଣି, ପଲ୍ୟୁମନାରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ହୃଦବକ୍ଷଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ଓ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି । ଏମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମେସିନ୍ କିଣାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି । ବୈଷୟିକ କମିଟି ତୁରନ୍ତ ମେସିନ୍ କିଣିବା ନିମନ୍ତେ ବୈଷୟିକ ବିଡ୍ ଚୂଡାନ୍ତ କରିବାକୁ କୁହାଯାଇଛି । ଏକମୋ ମେସିନ୍ ଜରିଆରେ ରୋଗୀଙ୍କ ଫୁସ୍ଫୁସ୍କୁ ୧ମାସ ପର୍ଯ୍ୟନ୍ତ କ୍ରିୟାଶୀଳ ରଖିହେବ। ଏହି ସମୟ ମଧ୍ୟରେ ଯଦି ଜଣେ ବ୍ରେନ୍ଡେଡ୍ ରୋଗୀ ମିଳନ୍ତି ଓ ତାଙ୍କଠାରୁ ଫୁସ୍ଫୁସ୍ ଅଣାଯାଏ ତେବେ ଫୁସ୍ଫୁସ୍ ନଷ୍ଟ ହୋଇଥିବା ରୋଗୀଙ୍କୁ ଜୀବନଦାନ ଦେଇହେବ ବୋଲି ସେ କହିଛନ୍ତି । ଏସ୍ସିବିକୁ ଏକମୋ ଆସିବାଟା ରାଜ୍ୟର କୌଣସି ସରକାରୀ ମେଡିକାଲ କଲେଜ ପାଇଁ ପ୍ରଥମ ଘଟଣା ଓ ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ ପଦକ୍ଷେପ ହେବ ବୋଲି ଏସ୍ସିବିର ଡାକ୍ତରମାନେ ମତ ଦେଉଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |