ଓଡ଼ିଆ ସିନେମା ଦମନର ଲୋକପ୍ରିୟତା , ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ

ଭୁବନେଶ୍ୱର  ,୨୪/୧୧: ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ  ଜିଲ୍ଲା / ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।  ଏଥି ପାଇଁ ଉପଯୁକ୍ତ ସିନେମା   ହଲ୍ ବୁକ୍ କରିବା ନିମନ୍ତେ  ଜିଲ୍ଲାପାଳଙ୍କୁ  କୁହାଯାଇଛି ।ଚଳଚିତ୍ରଟିର ଲୋକପ୍ରିୟତା ଦିନକୁ ଦିନ  ବଢ଼ିବାରେ ଲାଗିଥିଲା ।  ଏପରିକି ଏହି ସିନେମାଟିକୁ ଗତ ରବିବାର ଦିନ  ରାଜ୍ୟ ଲୋକସେବା ଭବନ କନଭେନସନ ସେଣ୍ଟରରେ ପ୍ରଦର୍ଶିତ  କରାଯାଇଥିଲା ।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର  ଅଧିକାରୀମାନେ  ଏହି ସିନେମା ଦେଖି  ଏହାର ଉଚ୍ଚ ପ୍ରଶଂସା କରିଥିଲେ ।  ସିନେମାଟିକୁ  ଜିଲ୍ଲାସ୍ତରରେ  ପ୍ରଦର୍ଶନ  କରିବା ପାଇଁ  ମଧ୍ୟ  ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ବିଭିନ୍ନ   ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ  ବିଭାଗ ମାଧ୍ୟମରେ ଏହି ସିନେମାକୁ  ଜିଲ୍ଲା / ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ  କରିବା ପାଇଁ ସ୍ଥିର କରାଯାଇଛି ।  ବିଭାଗୀୟ  ଶାସନ ସଚିବ  ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ  ଅନୁରୋଧ କରିଛନ୍ତି ।  ଏହି  ସିନେମା “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା ଗୁଡିକର କାର୍ଯ୍ୟାନ୍ୱୟନରେ ଉଭୟ ସରକାରୀ ଅଧିକାରୀ ଓ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ” ହେବବୋଲି ଶ୍ରୀମତୀ ପଣ୍ଡିତ  କହିଛନ୍ତି ।  ଏଥିପାଇଁ  ଜିଲ୍ଲା / ଉପଖଣ୍ଡ ସ୍ତରରେ ଉପଯୁକ୍ତ ସିନେମା / ଥିଏଟର ଅଗ୍ରୀମ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ କୁହାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ  ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର  ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ  ଅଧିକ ଗୁରୁତ୍ୱ  ଆରୋପ କରାଯାଇଥିଲା । କ୍ଷେତ୍ରସ୍ତରରେ  କାର୍ଯ୍ୟରତ  ଡାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ  ନିରାକରଣ ଦିଗରେ  ଉଲ୍ଲେଖନୀୟ  ସଫଳତା ମିଳିଥିଲା ।  ତେବେ ଏହି ଯୋଜନାର  କାର୍ଯ୍ୟାୟନ ସହଜ ଓ ସୁଗମ  ନଥିଲା ।  ପାହାଡ,  ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଦୂରାନ୍ତ ଗ୍ରାମମାନଙ୍କରେ ପ୍ରଚଳିତ ଅନ୍ଧବିଶ୍ୱାଶ, ଅସ୍ୱାସ୍ଥ୍ୟକର ଜୀବନ-ଚର୍ଯ୍ୟା,  ଯୋଗାଯୋଗର ଅଭାବ ଆଦି ଏ ଦିଗରେ ବଡ଼ ପ୍ରତିବନ୍ଧକ  ସାଜିଥିଲା । ଏସବୁକୁ ଅତିକ୍ରମ କରି ‘ଦମନ’ର ସଠିକ କାର୍ଯ୍ୟାନ୍ୱୟନ ନିମନ୍ତେ  ନିଷ୍ଠାପର ଡାକ୍ତର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ  ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା ।ଏହି ବାସ୍ତବିକ କଥାକୁ ଲକ୍ଷ୍ୟକରି  ଚଳଚିତ୍ର ଲେଖକ  ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ  ଫିଲ୍ମ ଦମନ  ପ୍ରସ୍ତୁତ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: