ଭୁବନେଶ୍ୱର,୨୦ା୧: ଓଡ଼ିଶାରେ ଆଜି ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଆଇଆଇଏମଟିଠାରେ ରୋଜଗାର ମେଳାର ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟାମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଆୟୋଜିତ ରୋଜଗାର ମେଳାରେ ୧୨୮ ଜଣ ନବନିଯୁକ୍ତ କର୍ମଚାରୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିଛି। ଆଜି ଦେଶରେ ୭୧ ହଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାରେ ୧୨୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜୁନିଅର ଇଞ୍ଜିନିୟର, ଇନ୍ସପେକ୍ଟର, ଜୁନିଅର ଆସିଷ୍ଟାଣ୍ଟ, ନର୍ସିଂ ଅଫିସର, ଭଳି ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରୋଜଗାର ମେଳାର ୩ଟି ସଂସ୍କରଣ ଆୟୋଜନ ହୋଇଥିବା ବେଳେ ପ୍ରତି ସଂସ୍କରଣରେ ୭୦ ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରୋଜଗାର ମେଳା ମାଧ୍ୟମରେ ଯୁବକ ଯୁବତୀମାନେ ଅମୃତକାଳରେ ସୈନିକଭାବରେ କାମ କରନ୍ତୁ। ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ଯେତିକି ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନ୍ୟସ୍ତ ଥିଲା ତା’ଠାରୁ ଅଧିକ ଦାୟିତ୍ୱ ଆଜି ସେମାନଙ୍କ କାନ୍ଧ ଉପରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି କାରଣରୁ ଆଜି ଦେଶରେ ଯୁବପିଢ଼ିଙ୍କ ପାଇଁ ରୋଜଗାର, ସ୍ୱ-ରୋଜଗାର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ନୂଆ ପରିଭାଷା ତିଆରି ହୋଇଛି। ଦେଶରେ ତ୍ୱରାନ୍ୱିତ ଭିତ୍ତିରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |