କଟକଣାରେ ବସିବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୧୧/ ୧୧: କରୋନା କଟକଣା ଓ ସାମାଜିକ ଦୂରତା ମଧ୍ୟରେ ବିଧାନସଭାର ଶୀତ ଅଧବେଶନ ବସିବା ନେଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବାଚସ୍ପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏ ବୈଠକରେ ସମସ୍ତ ବିଧାୟକ ଓ ସାମ୍ବାଦିକମାନଙ୍କୁ କରୋନା ପ୍ରତିଷେଧକ କିଟ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । କରୋନା ପ୍ରତିଷେଧକ ଗାଇଡଲାଇନ୍‌ ଶତ ପ୍ରତିଶତ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।କରୋନା କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ବସିବ। ଆସନ୍ତା ୨୦ରୁ ଡିସେମ୍ବର ୩୧ ଯାଏ ବସିବାକୁ ଥିବା ଏ ଲମ୍ବା ଅଧିବେଶନକୁ କରୋନା ଗାଇଡଲାଇନ୍‌ ଆଧାରରେ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି । ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ, ବିଧାୟକ, ସାମ୍ବାଦିକ, ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କର ଆରଟିପିସିଆର ପଦ୍ଧତିରେ କରୋନା ପରୀକ୍ଷା କରାଯିବ।ଆସନ୍ତା ୧୭, ୧୮ ଓ ୧୯ରେ ଏ ଟେଷ୍ଟ ହେବ । ଅଧିବେଶନ ସରିବା ଯାଏ ପ୍ରତିଦିନ ବିଧାନସଭା ହଲ୍‌ ଓ ସଂଲଗ୍ନ ପରିସରକୁ ସାନିଟାଇଜ୍‌ କରାଯିବ। ଏପରିକି ଅଧିବେଶନ ଚାଲିଥିଲା ବେଳେ ଯଦି କାହାଠାରେ କରୋନା ଲକ୍ଷଣ ପ୍ରକାଶ ପାଏ ତେବେ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।ଏ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ, ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଶିବାନନ୍ଦ ମହାପାତ୍ର, ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ କରିବେ । ୨୯ରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ । ଏ ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିବ । ତେବେ ପ୍ରଶ୍ନକାଳ ରହିବ ନା ନାହିଁ ସେ ସଂପର୍କରେ ସର୍ବଦଳୀୟ ବୈଠକ ବସି ନିଷ୍ପତ୍ତି ନିଆଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: