କଟକ,୧/୨: କଟକ ବିଜୁ ପଟ୍ଟନାୟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ‘ସନ୍ ହସ୍ପିଟାଲ୍’ରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ କୌଣସି କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ଓ ୫୦ ଜଣ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍ରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ୧୧ ଜଣ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ହସ୍ପିଟାଲରେ ଥିବା ସମସ୍ତ ୧୧ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ଓ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ତଦନ୍ତ କରାଯିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |